ରାୟଗଡ଼ା: ଟ୍ରାକ୍ଟର ପିଛା ୩୦୦ ଦିଅ, ବାଲି ଉଠାଅ। ଅଫିସରୁ ନିର୍ଦେଶ ଅଛି। କେହି ତମକୁ ଧରିବେନି। ଯାହା ହେବ ମୁଁ ବୁଝିବି…। ଟ୍ରାନଜିଟ୍ ପାସ୍ ନଥିବା ରାୟଗଡ଼ା ତହସିଲର ୬ଟି ବାଲିଘାଟରେ ଏପରି ଚାଲିଛି ମାଫିଆଙ୍କ ରାଜ୍। ତହସିଲ କର୍ତ୍ତୃପକ୍ଷଙ୍କ ଛତ୍ରଛାୟା ତଳେ ରହି ଟ୍ରକ୍, ଟ୍ରାକ୍ଟର, ହାଇୱାରୁ ଦୈନିକ ଆଦାୟ ହେଉଛି ଲକ୍ଷାଧିକ ଟଙ୍କାର ଚାନ୍ଦା। ପ୍ରତି ଘାଟରେ ଟ୍ରାକ୍ଟରରୁ ୩୦୦, ଟ୍ରକ୍, ଟିପର ପିଛା ୩ରୁ୪ ହଜାର ଟଙ୍କା ଆଦାୟ ହେଉଛି। ଯାହାର ସିଂହଭାଗ ଅସାଧୁ ଅଫିସରଙ୍କ ପାଖକୁ ଯାଉଛି। ବେଆଇନ ବାଲି ଚାଲାଣ ସମୟରେ ଟ୍ରାକ୍ଟର ଚାଳକଙ୍କୁ ମାଫିଆଙ୍କ ଚାନ୍ଦା ମଗା ଭିଡ଼ିଓ ଗତକାଲି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ପରେ ବାଲି ମାଫିଆ-ଅଫିସରଙ୍କ ମଧ୍ୟରେ ଚାଲିଥିବା ଗୁମର ଖୋଲିଛି।
ରାୟଗଡ଼ ତହସିଲ ଅଧୀନରେ ରହିଛି କେରେଡ଼ା, ଖିଲିମିଶିଗୁଡା, ବଡହଂସା, ବେହେରାଗୁଡ଼ା, କୋତପେଟା, ତୁମ୍ବିଗୁଡା, ଗୁରୁରାଜୁଗୁଡା, ପାରତାପୁର ବାଲିଘାଟ। ଏହି ୮ ଘାଟରୁ ବାଲି ଉଠାଇବାକୁ ଷ୍ଟେଟ୍ ଏନଭାଓରେନମେଣ୍ଟ୍ ଇମ୍ପାକ୍ଟ୍ ଆସୋସେମେଣ୍ଟ୍ ଅଥରିଟ୍ (ସିଆ)ର ଅନୁମୋଦନକ୍ରମେ ଲିଜଧାରୀଙ୍କୁ ପ୍ରଦାନ କରାଯାଇଛି।

ମାର୍ଚ୍ଚ ସୁଦ୍ଧା କେଉଁ ବାଲି ଘାଟରୁ କେତେ ବାଲି ଉଠିବ ନିଲାମ ଧାର୍ଯ୍ୟ ଅର୍ଥ ଅନୁଯାୟୀ ସରକାର ଲିଜଧାରୀଙ୍କୁ ଟ୍ରାନଜିଟ୍ ପାସ୍ (ୱାଇ ଫର୍ମ) ପ୍ରଦାନ କରିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ଫେବ୍ରୁଆରି ପୂର୍ବରୁ ଲିଜଧାରୀ ଆନ୍ଧ୍ରଙ୍କୁ ବାଲି ଚାଲାଣ କରି ଧାର୍ଯ୍ୟ ବାଲି ଲକ୍ଷ୍ୟକୁ ପୂରଣ କରି ସାରିଛନ୍ତି। ୨/୩ ମାସ ହେଲା ଅଧିକାଂଶ ବାଲିଘାଟର ଟ୍ରାନଜିଟ୍ ପାସ୍ ଶେଷ ହୋଇଯାଇଥିଲେ ମଧ୍ୟ ତହସିଲ କର୍ତ୍ତୃପକ୍ଷଙ୍କ ସଲାସୁତୁରା ଯୋଗୁ ଉକ୍ତ ଘାଟରୁ ନିରିବିଚ୍ଛିନ୍ନ ଭାବେ ବାଲି ଚାଲାଣ ଜାରି ରହିଛି। ଟ୍ରାକ୍ଟର, ଟ୍ରକ୍, ହାଇୱାରୁ ମୁନାଫା ନେଇ ମାଫିଆମାନେ ବାଲି ଘାଟ ଚଲାଇଥିବାରୁ ସରକାର ଲକ୍ଷାଧିକ ଟଙ୍କାର ରାଜସ୍ବ ହରାଇବାରେ ଲାଗିଛନ୍ତି। ବଡହଂସା, ଖିଲିମିଶିଗୁଡା ଲିଜଧାରୀଙ୍କ ପାଖରେ ଟ୍ରାନଜିଟ୍ ପାସ୍ ଥିଲେ ମଧ୍ୟ ରାୟଗଡ଼ା ସହରରୁ ଦୂରରେ ଥିବା କାରଣରୁ ଟ୍ରାକ୍ଟର ମାଲିକ ଉକ୍ତ ଘାଟରୁ ବାଲି ଉଠାଇବାକୁ ରାଜି ହେଉନାହାନ୍ତି। ଯାହା ମାଫିଆଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ପାଲଟିଛି। ରାୟଗଡ଼ା ସହର ନିକଟରେ ଥିବା ତୁମ୍ବିଗୁଡ଼ା ବାଲିଘାଟର ବାଲି ଉଠାଣ ଧାର୍ଯ୍ୟ ଗତ ୩ ମାସ ତଳୁ ସରିଗଲାଣି। ଅଥଚ ଲିଜଧାରୀ ଟ୍ରାକ୍ଟର ପିଛା ୩୦୦ ଟଙ୍କା ଆଦାୟ କରି ବାଲିଚାଲାଣ ଜାରି ରଖିଛନ୍ତି।
ସରକାର ପ୍ରତି କ୍ୟୁବିକ୍ ମିଟର ପିଛା ୩୫ ଟଙ୍କାରେ ବିକ୍ରି କରିବାକୁ ଦର ଧାର୍ଯ୍ୟ କରିଛନ୍ତି। ପ୍ରତି ଟ୍ରାକ୍ଟରରେ ସର୍ବାଧିକ ୩ କ୍ୟୁବିକ୍ ମିଟର ବାଲି ରହୁଥିବା ବେଳେ ଲିଜଧାରୀ ୧୦୫ ଟଙ୍କା ବଦଳରେ ୩୦୦ ଟଙ୍କା ଆଦାୟ କରୁଛନ୍ତି। ଖୁଲମଖୁଲା ଭାବେ ଲିଜଧାରୀ ବାଲିଘାଟରୁ ବେଆଇନ ଭାବେ ବାଲି ବିକ୍ରି କରୁଥିବା ବେଳେ ତହସିଲ କର୍ତ୍ତୃପକ୍ଷ ଗତ ୩ ମାସ ହେଲା ଏ ଦିଗରେ ନିରବଦ୍ରଷ୍ଟା ପାଲଟିଛନ୍ତି। ବେଆଇନ ବାଲି ଚାଲାଣ ବାବଦକୁ ମାସିକ ବିଭାଗୀୟ ଅଧିକାରୀଙ୍କ ନାଁରେ ଲକ୍ଷାଧିକ ଟଙ୍କାର ମୁନାଫା ଯାଉଥିବାରୁ ଏ ଦିଗରେ ତହସିଲ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ଯାହା ଫଳରେ ରାୟଗଡ଼ା ତହସିଲ ଅଧୀନରେ ଥିବା ବାଲିଘାଟ ଏବେ ମାଫିଆଙ୍କ ଚରାଭୂଇଁ ପାଲଟିଛି।
The post ବାଲି ମାଫିଆ-ଅଫିସର୍ ମଧୁଚନ୍ଦ୍ରିକା: ଟ୍ରାନଜିଟ୍ ପାସ୍ ନଥାଇ ୬ ଘାଟରୁ ଚାଲିଛି ବାଲି ଚାଲାଣ first appeared on Sambad.
from ଜିଲ୍ଲା – Sambad https://ift.tt/3svoH9h
0 Comments