
କଟକ : କଟକ ରେଳଧାରଣାରେ ମଙ୍ଗଳବାର ଦୁଇଟି ଦୁର୍ଘଟଣା ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି। ଜଣେ ଯୁବକ ମୋବାଇଲରେ ଗପି ଗପି ରେଳ ଲାଇନ ପାର୍ ହେଉଥିବାବେଳେ ଏକ୍ସପ୍ରେସ୍ ଟ୍ରେନ୍ ଧକ୍କାରେ ପ୍ରାଣ ହରାଇଛନ୍ତି। ଅନ୍ୟ ଜଣେ ବୃଦ୍ଧ ବି ଅନ୍ୟମନସ୍କ ହୋଇ ରେଳଲାଇନ୍ ଅତିକ୍ରମ କରୁଥିବାବେଳେ ପ୍ରାଣ ହରାଇଛନ୍ତି। ମୃତ ଯୁବକ ଜଣକ ହେଉଛନ୍ତି ଯୋବ୍ରା ମଝିସାହିର ସେକ୍ ତସିଫ୍(୧୯)। କିନ୍ତୁ ମୃତ ବୃଦ୍ଧଙ୍କ ପରିଚୟ ମିଳିପାରିନଥିବା ଜିଆରପି ଥାନା ପକ୍ଷରୁ କୁହାଯାଇଛି।
ସୂଚନା ଅନୁଯାୟୀ, ଯୋବ୍ରା ମଝିସାହିର ସେକ୍ ଜୁମାଙ୍କ ୧୯ ବର୍ଷର ସାନପୁଅ ସେକ୍ ତସିଫ୍ ମଙ୍ଗୁଳିର ଏକ ଗ୍ୟାରେଜରେ କାମ କରନ୍ତି। ଆଜି ଦିନ ପ୍ରାୟ ୧୦ଟା ବେଳେ ତସିଫ୍ ଘରୁ ଖାଇ ସାରି ଯୋବ୍ରା ଆଡ଼ୁ ରେଳଧାରଣା ଅତିକ୍ରମ କରି ଶିଖରପୁର ଆଡ଼କୁ ଯାଉଥିଲେ। ଶିଖରପୁରରୁ ବସ୍ ଯୋଗେ ମଙ୍ଗୁଳି ଯାଇଥା’ନ୍ତେ। ରେଳଧାରଣା ଅତିକ୍ରମ କଲାବେଳେ ତାଙ୍କୁ ଭୁବନେଶ୍ବର-ନୂଆ ଦିଲ୍ଲୀ ଦୂରନ୍ତ ଏକ୍ସପ୍ରେସ୍ ଧକ୍କା ଦେଇଥିଲା। ତସିଫ୍ ଫୋନ୍ରେ କଥା ହୋଇଯାଉଥିବା ବେଳେ ଟ୍ରେନ୍ ଆସିବାର ଶବ୍ଦ ଶୁଣିପାରିନଥିଲେ। ଏଭଳି ଅନ୍ୟମନସ୍କତା ଯୋଗୁଁ ଦୁର୍ଘଟଣା ଘଟିଥିବା କୁହାଯାଉଛି। ଟ୍ରେନ୍ ଧକ୍କାରେ ତାଙ୍କ ମୁଣ୍ତ, ଆଖି, ନାକ ଓ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ପୁଲିସ ତସିଫ୍ଙ୍କ ଶବ ନିକଟରୁ ଏକ ମୋବାଇଲ୍ ଫୋନ୍ ଜବତ କରିଛି। ମୋବାଇଲ୍ ଲକ୍ ଥିବାରୁ ସେ କାହା ସହିତ ଫୋନରେ କଥା ହେଉଥିଲେ, ସେ ନେଇ ଜିଆରିପ ସ୍ପଷ୍ଟ ହୋଇପାରିନାହିଁ। ବଡ଼ ମେଡିକାଲ୍ରେ ତାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ସେହିଭଳି ମାଲଗୋଦାମ ଓଭର ବ୍ରିଜ ତଳେ ଆଜି ଦିନ ପ୍ରାୟ ୧୧ଟା ବେଳେ ଜଣେ ୫୫ ବର୍ଷୀୟ ବୟସ୍କ ଲୋକ ରେଳଲାଇନ ଅତିକ୍ରମ କରୁଥିବାବେଳେ ତାଙ୍କୁ ଏକ ମାଲବାହୀ ଟ୍ରେନ୍ ଧକ୍କା ଦେଇଥିଲା। ବୃଦ୍ଧଙ୍କ ଅନ୍ୟମନସ୍କତା ଯୋଗୁଁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ସେ ଧଳା ସବୁଜ ଗାର ପକା ଫୁଲ୍ ସାର୍ଟ ଓ ନୀଳ ରଙ୍ଗର ଟ୍ରାକ୍ ପ୍ୟାଣ୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। ବୃଦ୍ଧଙ୍କ ଶବ ବଡ଼ ମେଡିକାଲ୍ରେ ବ୍ୟବଚ୍ଛେଦ ପରେ ଶବ ସ˚ରକ୍ଷଣ ଗୃହରେ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ଦାବିଦାର ପହଞ୍ଚିନଥିବା ଜିଆରପି ଥାନାର ତଦନ୍ତକାରୀ ଅଧିକାରୀ ଏଏସଆଇ ଅସଲମ୍ ଖାଁ ସୂଚନା ଦେଇଛନ୍ତି।
The post ପ୍ରାଣନେଲା ମୋବାଇଲ୍ ଫୋନ୍, ରେଳଲାଇନ୍ ପାର୍ ବେଳେ ୨ ମୃତ first appeared on Sambad.
from ଜିଲ୍ଲା – Sambad https://ift.tt/3pJqOW1
0 Comments