
ମାହାଙ୍ଗା : ଦେଶରେ ଦିନକୁ ଦିନ ତୈଳଦର ବଢ଼ି ଚାଲିଛି। ଏହାଦ୍ବାରା ସାଧାରଣ ଲୋକ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ସେହିପରି ରାଜ୍ୟରେ ଗରିବ ଚାଷୀମାନେ ଧାନ ଅମଳ କରି ବସି ରହିଥିଲେ ମଧ୍ୟରେ ମଣ୍ଡିରେ ଧାନ ସଂଗ୍ରହ କରାଯାଉ ନାହିଁ। ଏଣୁ ତୈଳଦର ନ କମିଲେ ଏବଂ ଚାଷୀମାନଙ୍କ ନିକଟରୁ ତୁରନ୍ତ ଧାନ କିଣା ନ ଗଲେ କଂଗ୍ରେସ ରାଜ୍ୟବ୍ୟାପୀ ବିକ୍ଷୋଭ ଓ ଆନ୍ଦୋଳନ କରିବ ବୋଲି ଶୁକ୍ରବାର ଦିନ ମାହାଙ୍ଗା ବ୍ଲକ୍ କଂଗ୍ରେସ ପକ୍ଷରୁ ଆୟୋଜିତ ଗଣବିକ୍ଷୋଭ ଓ ପ୍ରତିବାଦ ସଭାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।
ମାହାଙ୍ଗା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିବାଦ ସଭାରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ କେନ୍ଦ୍ରରେ ବିଜେପି ସରକାର ୬ବର୍ଷ ଓ ରାଜ୍ୟରେ ବିଜେଡି ସରକାର ୨୧ବର୍ଷ ଧରି ଶାସନ କରିଆସୁଥିଲେ ମଧ୍ୟ ଚାଷୀମାନଙ୍କ ଉନ୍ନତି ପାଇଁ ସେଭଳି ଦୃଢ଼ ପଦକ୍ଷେପ ନେଇ ନାହାନ୍ତି। ପଡ଼ୋଶୀ ରାଜ୍ୟଗୁଡ଼ିକରେ ସେଠାକାର ସରକାର ଚାଷୀଙ୍କୁ ଅଧିକ ସୁବିଧାସୁଯୋଗ ଦେଉଛନ୍ତି। ମାତ୍ର ଏଠାକାର ସରକାର ଲୋକଦେଖାଣିଆ ଭାବେ ଚାଷୀମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ସେହିପରି ବିଜେପି ସରକାରର ଗତ ୬ ବର୍ଷ କାର୍ଯ୍ୟକାଳ ଭିତରେ ଭାରତର ମାତ୍ର ଏକ ପ୍ରତିଶତ ଲୋକ ପୁଞ୍ଜିପତି ଓ ଶିଳ୍ପପତିଙ୍କ ଆୟବୃଦ୍ଧି ହୋଇଥିଲା ବେଳେ ୯୯ ପ୍ରତିଶତ ଲୋକଙ୍କ ଆୟ ବଢ଼ି ପାରିନି। ଏହା ଗରିବଙ୍କ ସରକାର ନୁହେଁ ବରଂ ପୁଞ୍ଜିପତି ଓ ଶିଳ୍ପପତିଙ୍କ ସରକାର। ଦେଶରେ ତୈଳ, ଗ୍ୟାସ ଓ ଅନ୍ୟ ସାମଗ୍ରୀର ଦର ହୁହୁ ହୋଇ ବଢ଼ିଚାଲିଥିଲା ବେଳେ ମୋଦୀ ସରକାର ଯେଉଁ ଆଚ୍ଛେଦିନର ନାରା ଦେଉଥିଲା ତାହା କୁଆଡ଼େ ଗଲା ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ, କାର୍ଯ୍ୟକ୍ରମରେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ କୁମାର ଚୌଧୁରୀ, ବଡ଼ଚଣା କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜୟ ସାମଲ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।
The post ତୈଳଦର ହ୍ରାସ, ଧାନକ୍ରୟ ନ ହେଲେ ଆନ୍ଦୋଳନ: ନିରଞ୍ଜନ first appeared on Sambad.
from ଜିଲ୍ଲା – Sambad https://ift.tt/37RnwJm
0 Comments