ପୁରୀ :‌ ଶ୍ରୀମୁଖରେ ପଦ୍ମ, ହାତରେ ଶ୍ରୀହସ୍ତ ପଦ୍ମ, କରରେ କଦମ୍ବ ଫୁଲର କରପଲ୍ଲଭ, ହୃଦୟରେ ହୃଦ୍‌ପଦକ। ଶ୍ରୀପୟରରେ ମାଳା, ଫୁଲର ଝୁମ୍ପା ସାଙ୍ଗକୁ ଫୁଲର ଚିତା। ଜଳାଶୟ ଭିତରେ ହଂସ ହଂସରାଳି ଖେଳ। ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସୁଭଦ୍ରା ଶନିବାର ରତ୍ନସିଂହାସନରେ ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।

ବଡ଼ସିଂହାର ବେଶରେ ତିନି ଠାକୁରଙ୍କୁ ପଦ୍ମବେଶ ଲାଗି କରାଯାଇଛି। ଏହି ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଆସନ୍ତାକାଲି ଅବକାଶ ନୀତି ପରେ ଏହି ବେଶ ଓଲାଗି ହେବ। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଦ୍ବାରଫିଟା ପରେ କିଛି ଘଣ୍ଟା ପାଇଁ ମହାପ୍ରଭୁଙ୍କ ଏହି ବେଶ ଦର୍ଶନର ବ୍ୟବସ୍ଥା କରାଯାଇଛି।

ଏହି ସମୟ ଭିତରେ ଭକ୍ତମାନେ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରିପାରିବେ। ପରମ୍ପରା ଅନୁଯାୟୀ, ମାଘମାସ ଶୁକ୍ଳ ପ୍ରତିପଦାଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ବୁଧବାର କିମ୍ବା ଶନିବାରରେ ମହାପ୍ରଭୁଙ୍କ ପଦ୍ମବେଶ ହୋଇଥାଏ। ପ୍ରତିବର୍ଷ ଭଳି ଚଳିତ ବର୍ଷ ବଡ଼ଛତା ମଠ ପକ୍ଷରୁ ଏହି ବେଶ ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଥିଲା। ଶ୍ରୀମନ୍ଦିର ଦୟଣାମାଳି ସେବକ ବସନ୍ତ କୁମାର ରଣାଙ୍କ ନେତୃତ୍ବରେ ସୋଲ, ବାଉଁଶ, ସନ୍ତରା ପଟ, ପଇତା, କନା, ଜରି, ଡୋରି, କଇଁଥ ଅଠା ଆଦିରେ ଏହି ବେଶ ପ୍ରସ୍ତୁତ କରାଯାଇଥିଲା। ପଣ୍ଡୁ ପୂର୍ଣ୍ଣିମାରୁ ବେଶ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ବେଶ ପ୍ରସ୍ତୁତି ଶେଷ ପରେ ଆଜି ଶ୍ରୀମନ୍ଦିରରେ ସଂଧ୍ୟା ଆଳତି ପରେ ବଡ଼ଛତା ମଠର ସାଧୁସନ୍ଥମାନେ ଘଣ୍ଟି, ଦୁହୁଡ଼ି ସହକାରେ ଶ୍ରୀମନ୍ଦିରକୁ ବେଶ ବିଜେ କରିଥିଲେ। ଆଜି ରାତ୍ର ଚନ୍ଦନଲାଗି ବଢ଼ିବା ପରେ ବଡ଼ସିଂହାର ନୀତିରେ ଏହି ବେଶ କରାଯାଇଥିଲା।

ମହାପ୍ରଭୁଙ୍କଠାରେ ଏକପଣ(୮୦ଟି) ପଦ୍ମଫୁଲ, ଏକ ପଣ(୮୦ଟି) ଡାଳି, ୩ଟି ଶ୍ରୀମୁଖ ପଦ୍ମ, ୭ଟି ସିଂହାସନ ସହ ଗଛ, ୪ଟି ଶ୍ରୀହସ୍ତ ପଦ୍ମ କଢ଼, ୨୦ଟି କଦମ୍ବ ଫୁଲରେ ସୁସଜ୍ଜିତ କରପଲ୍ଲବ ମାଳ, ୪ଟି ମଗର କୁଣ୍ଡଳ, ୨ଟି ତିଳକ, ୪ଟି ହଂସ ଲାଗି ଆଦି କରାଯାଇଥିଲା। ସେହିଭଳି ବଡ଼ଛତା ମଠ ପକ୍ଷରୁ ଆସିଥିବା ତୁଳସୀ ମାଳ, ଗେଣ୍ଡୁମାଳ ଆଦି ବି ଲାଗି କରାଯାଇଥିଲା। ପଦ୍ମବେଶରେ ଠାକୁରମାନଙ୍କର ପହୁଡ଼ ନୀତି ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ଶନିବାରରେ ଏହି ବେଶ ପଡ଼ୁଥିବାରୁ କଳାରଙ୍ଗର ଘୋଡ଼ ସହ ମହାପ୍ରଭୁଙ୍କ ଏହି ବେଶ ଲାଗି କରାଯାଇଛି। ସିଂଘାରୀ, ଖୁଣ୍ଟିଆ, ଚାଙ୍ଗଡ଼ା, ଗରାବଡ଼ୁ ପ୍ରମୁଖ ସେବକମାନେ ମହାପ୍ରଭୁଙ୍କ ଏହି ବେଶ କରିଥିଲେ। ବଡ଼ଛତା ମଠ ତରଫରୁ ପ୍ରଦତ୍ତ ଦ୍ରବ୍ୟରେ ଶ୍ରୀମନ୍ଦିର କୋଠଭୋଗ ଚୁଲିରେ ପ୍ରସ୍ତୁତ କ୍ଷୀରି ଓ ଅମାଲୁ ଠାକୁରମାନଙ୍କୁ ଭୋଗ କରାଯାଇଥିଲା।

ବରିଷ୍ଠ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି, ଭକ୍ତ ମନୋହର ଦାସଙ୍କ ସ୍ମୃତିରେ ଏହି ବେଶ କରାଯାଉଥିବା କିମ୍ବଦନ୍ତୀ ରହିଛି। ଭକ୍ତ ମନୋହର ଦାସ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଆସିବା ସମୟରେ ବାଟରେ ଶୋଷ ଲାଗିଥିଲା। ‌ପାଣି ପିଇବାକୁ ପାଖରେ ଥିବା ପୋଖରୀକୁ ଯିବା ସମୟରେ ପଦ୍ମଫୁଲରେ ଏହା ଭର୍ତ୍ତିଥିବା‌ ଦେଖିବାକୁ ପାଇଥିଲେ। ପରେ ଏହି ପଦ୍ମଫୁଲ ସବୁ ତୋଳି ଗାମୁଛାରେ ବାନ୍ଧି ମହାପ୍ରଭୁଙ୍କୁ ଲାଗି କରିବାକୁ ଆଣିଥିଲେ। କିନ୍ତୁ ସେତେବେଳକୁ ଫୁଲଗୁଡ଼ିକ ମଉଳି ଯାଇଥିଲା। ପଣ୍ଡାମାନେ ମଉଳା ଫୁଲଗୁଡ଼ିକ ମହାପ୍ରଭୁଙ୍କୁ ଲାଗି କରିବା ବଦଳରେ ଫିଙ୍ଗି ଦେଇଥିଲେ। ଏହାପରେ ମନଦୁଃଖରେ ଭକ୍ତ ମନୋହର ବଡ଼ଛତା ମଠ ତଳେ ବସି କାନ୍ଦିବା ସମୟରେ ଚେତାଶୂନ୍ୟ ହୋଇପଡ଼ିଥିଲେ।

ମହାପ୍ରଭୁଙ୍କ ସ୍ବପ୍ନାଦେଶ ପରେ ଗଜପତି ମହାରାଜ ଆସି ବଡ଼ସିଂହାର ବେଶରେ ମନୋହରଙ୍କ ପଦ୍ମ ଫୁଲ ଲାଗି କରିଥିଲେ। ମହାପ୍ରଭୁଙ୍କଠାରେ ଏହା ଲାଗି ହେବା ପରେ ହଠାତ୍ ସତେଜ ହୋଇ ଉଠିଥିଲା। ଏହି ସ୍ମୃତିରେ ସେବେଠୁ ଏହି ନୀତି ଅନୁଷ୍ଠିତ ହୋଇଆସୁଛି। ମହାପ୍ରଭୁଙ୍କ ଏହି ବେଶ ୩୦୦ରୁ ଅଧିକ ବର୍ଷ ପୁରୁଣା। ସପ୍ତଦଶ ଶତାଦ୍ଦୀର ବଡ଼ଛତା ମଠ ମହନ୍ତ ସନ୍ଥ ରଘୁବୀର ଦାସ ଏହି ବେଶର ପ୍ରବର୍ତ୍ତକ ବୋଲି କୁହାଯାଏ।

The post ପଦ୍ମବେଶରେ ମହାପ୍ରଭୁ, ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ first appeared on Sambad.



from ଜିଲ୍ଲା – Sambad https://ift.tt/3pjNfAb