
କଟକ : କୋଭିଡ ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ଜିଲ୍ଲାରେ ଥିବା ଡାକ୍ତରଖାନାରେ ନିଯୁକ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଚାକରିରୁ ଅନ୍ତର ନିଷ୍ପତ୍ତିକୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପଡିଛି।
ମାମଲାର ଶୁଣାଣି ସମୟରେ ବିଜ୍ଞପ୍ତି ଜରିଆରେ ଅନୁଷ୍ଠିତ ସାନି ନିଯୁକ୍ତି ପ୍ରକ୍ରିୟାରେ କୋଭିଡ-୧୯ ମୁକାବିଲା କ୍ଷେତ୍ରରେ ନିୟୋଜିତ ଥିବା ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ। ଯଦି ନିଯୁକ୍ତି ପ୍ରକ୍ରିୟାରେ ଗୋଟିଏ ପଦ ପାଇଁ ଏକାଧିକ ପ୍ରାର୍ଥୀ ରହିଥା’ନ୍ତି ତେବେ କୋଭିଡ-୧୯ ସମୟରେ ନିୟୋଜିତ ହୋଇଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ସରକାର ଦର୍ଶାଇଥିଲେ। ସରକାରଙ୍କ ଏପରି ଯୁକ୍ତିକୁ ହାଇକୋର୍ଟ ଗ୍ରହଣ କରିଛନ୍ତି। ଏଥିସହିତ କୋଭିଡ-୧୯ ମୁକାବିଲା ପାଇଁ ନିୟୋଜିତ କର୍ମଚାରୀଙ୍କ ମଧ୍ୟରୁ ସରକାରଙ୍କ ବିଜ୍ଞପ୍ତି ଅନୁସାରେ ୨୫ ପ୍ରତିଶତଙ୍କ କାର୍ଯ୍ୟକାଳ ବୃଦ୍ଧି ସମୟରେ ପ୍ରଥମେ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ପ୍ରାଥମିକତା ଦିଆଯିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଯଦି ଏପରି ନୀତି ପାଳନରେ ଅବହେଳା ହୋଇଥାଏ ତେବେ ଏହି ପ୍ରସଂଗରେ ଆବେଦନକାରୀ ୭ ଦିନ ଭିତରେ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ କରିବେ। ଏପରି ଅଭିଯୋଗକୁ କର୍ତ୍ତୃପକ୍ଷ ବିଚାରକୁ ନେବେ ଓ ଯଦି ୨୫ ପ୍ରତିଶତ କର୍ମଚାରୀଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସଙ୍ଗରେ ଏପରି ନୀତି ପାଳନରେ ଅବହେଳା ହୋଇଥିବା ଜଣାପଡ଼େ ତେବେ ତୁରନ୍ତ ତ୍ରୁଟି ସୁଧାରିବା ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ସୂର୍ଯ୍ୟନାରାୟଣ ମିଶ୍ର ଓ ଅନ୍ୟମାନଙ୍କ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅକ୍ଷୟ କୁମାର ପାଣ୍ଡେ ମାମଲା ପରିଚାଳନା କରୁଥିଲେ।
ଫାର୍ମାସିଷ୍ଟଙ୍କ ଶିକ୍ଷାଗତ ଯୋଗ୍ୟତା ମାନଦଣ୍ଡକୁ ଚାଲେଞ୍ଜ୍, ରାଜ୍ୟ ସରକାରଙ୍କ ନିକଟରୁ ହାଇକୋର୍ଟଙ୍କ ଜବାବ ତଲବ
କଟକ : ଫାର୍ମାସିଷ୍ଟ୍ ନିଯୁକ୍ତି ପାଇଁ ଧାର୍ଯ୍ୟ କରାଯାଇଥିବା ଶିକ୍ଷାଗତ ଯୋଗ୍ୟତା ମାନଦଣ୍ଡକୁ ଚାଲେଞ୍ଜ୍ କରି ଦାୟର ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ମାମଲାରେ ୬ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଓମକାର ମଣ୍ଡଳଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୨କୁ ଧାର୍ଯ୍ୟ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ଓଡ଼ିଶା ସବ୍ଅର୍ଡିନେଟ ଷ୍ଟାଫ ସିଲେକ୍ସନ୍ କମିସନ ପକ୍ଷରୁ ୨୦୨୦ ଡିସେମ୍ବର ୨୮ରେ ଫାର୍ମାସିଷ୍ଟ୍ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ପଦବି ପାଇଁ କେବଳ ଫାର୍ମାସିରେ ଡିପ୍ଲୋମା କରିଥିବା ପ୍ରାର୍ଥୀ ଯୋଗ୍ୟ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। ଏଭଳି ବିଚିତ୍ର ନିୟମ ଯୋଗୁଁ ଫାର୍ମାସିରେ ସ୍ନାତକ ଡିଗ୍ରି ହାସଲ କରିଥିବା ପ୍ରାର୍ଥୀ ନିଯୁକ୍ତି ପ୍ରକ୍ରିୟାରୁ ବାଦ୍ ପଡିଥିଲେ। ନିଯୁକ୍ତି ବିଜ୍ଞପ୍ତିରେ ଶିକ୍ଷାଗତ ମାନଦଣ୍ଡ ସଂପର୍କିତ ନିୟମକୁ ଚାଲେଞ୍ଜ୍ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।
The post କୋଭିଡ୍ ପାଇଁ ନିଯୁକ୍ତ ଠିକା କର୍ମଚାରୀଙ୍କୁ ଛଟେଇ ପ୍ରସଂଗ : ହାଇକୋର୍ଟରେ ମାମଲା ଶୁଣାଣିରେ ପଡ଼ିଲା ପୂର୍ଣ୍ଣଚ୍ଛେଦ first appeared on Sambad.
from ଜିଲ୍ଲା – Sambad https://ift.tt/3a8LBNd
0 Comments