ପୁରୀ: ଦିଅଁ, ସେବାୟତ ଏବଂ ଭକ୍ତମାନଙ୍କର ସ୍ୱାର୍ଥ ସୁରକ୍ଷା ପ୍ରତି ଦୃଷ୍ଟି ଦେଇ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ (ଏନ୍‌ଏମ୍‌ଏ) ଜାରି କରିଥିବା ଡ୍ରାଫ୍ଟ୍‌ ବାଇ-ଲ’ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରତ୍ୟାହାର କରିନେବା ଲାଗି ଅନୁରୋଧ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍‌ କୁମାର ପତ୍ର ଲେଖିଛନ୍ତି।
ଅନାଦି କାଳରୁ ଶ୍ରୀଜଗନ୍ନାଥ ଓଡ଼ିଆ ଏବଂ ଭାରତ ତଥା ସମଗ୍ର ବିଶ୍ୱର କୋଟି କୋଟି ହିନ୍ଦୁମାନଙ୍କର ଆରାଧ୍ୟ ଦେବତା ହୋଇଥିବାରୁ ସେମାନଙ୍କର ବିଶ୍ୱାସ, ଧର୍ମଧାରା ଓ ଅଧ୍ୟାତ୍ମିକତାରେ କର୍ତ୍ତୃପକ୍ଷମାନେ ହସ୍ତକ୍ଷେପ କରିବା ପୂର୍ବରୁ କେତେକ ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ଡକ୍ଟର କୁମାର ଲେଖିଛନ୍ତି।

ସେ ଲେଖିଥିବା ପତ୍ରରେ ଉଲ୍ଲେଖ ଅଛି, ଶ୍ରୀମନ୍ଦିର ଏବଂ ଏହାର ସମସ୍ତ ସମ୍ପତ୍ତି ଶ୍ରୀଜଗନ୍ନାଥଙ୍କର। ଜମିପଟ୍ଟାରେ ମଧ୍ୟ ଏହାର ରେକର୍ଡ ରହିଛି। ମନ୍ଦିର, ସେବାୟତ ଏବଂ ପ୍ରଭୁଙ୍କର ସମସ୍ତ ସମ୍ପତ୍ତିର ପରିଚାଳନା ନିମନ୍ତେ ‘ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫’ ଆଧାରେ ‘ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି’ (ଏସ୍‌ଜେଟିଏମ୍‌ସି) ଗଠନ କରାଯାଇଛି।

ପୁରାତନ କୀର୍ତ୍ତିରାଜିଗୁଡ଼ିକର ସଂରକ୍ଷଣ ନିମନ୍ତେ ୧୯୭୯ ମସିହା ଅଗଷ୍ଟ ୨୨ ତାରିଖରେ ‘ଏସ୍‌ଜେଟିଏମ୍‌ସି’ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ) ସହ ରାଜିନାମା କରିଥିଲା। ସେତେବେଳେ ମଧ୍ୟ ମନ୍ଦିରର କେତେକ ସଂରକ୍ଷଣ ନିମନ୍ତେ ସବୁଦିଗକୁ ଧ୍ୟାନ ଦିଆଯାଇ ଏହି ରାଜିନାମାରେ ‘ଏସ୍‌ଜେଟିଏମ୍‌ସି’ ଓ ‘ଏଏସ୍‌ଆଇ’ର କର୍ତ୍ତବ୍ୟ ଏବଂ ଦାୟିତ୍ୱ ନିର୍ଦ୍ଧାରଣ କରାଯାଇଥିଲା।

Image Courtesy of Sambad English

ଏହାଛଡ଼ା ମନ୍ଦିର ଚଉହଦି ପ୍ରାଚୀନ କାଳରୁ ଅନେକ ଜନବସତି ବା ସାହି ରହିଆସିଛି। ଏସବୁ ମୁଖ୍ୟତଃ ସେବାୟତମାନଙ୍କ ପରିବାରବର୍ଗଙ୍କର। ଏହି ‘ଡ୍ରାଫ୍‌ଟ୍‌ ନୋଟିଫିକେସନ୍‌’ ଅନୁଧ୍ୟାନ କଲେ ଜଣାପଡୁଛି ସେମାନଙ୍କର ଅବସ୍ଥିତି ଭୀଷଣ ପ୍ରଭାବିତ ହେବ। ତେଣୁ ସେମାନଙ୍କର ଅଧିକାରକୁ ସଙ୍କୁଚିତ କରିବା ପ୍ରକ୍ରିୟା ପୂର୍ବରୁ ‘ଏନ୍‌ଏମ୍‌ଏ’ କର୍ତ୍ତୃପକ୍ଷମାନେ ସେମାନଙ୍କ ସହ ପରାମର୍ଶ କରିବା ଆବଶ୍ୟକ। ସେବାୟତମାନଙ୍କ ଉପରେ କୁପ୍ରଭାବ ପଡ଼ିଲେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତିରେ ବ୍ୟାହତ ସୃଷ୍ଟି ହେବ।

ସମଗ୍ର ଦେଶରୁ ଦୈନିକ ଅସଂଖ୍ୟ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପୁରୀ ଆସୁଛନ୍ତି। ସେମାନଙ୍କ ପାଇଁ ସବୁପ୍ରକାର ସୁବିଧା କରିବା ‘ଏସ୍‌ଜେଟିଏମ୍‌ସି’ ବୈଧାନିକ ଦାୟିତ୍ୱ।

ଏହି ପ୍ରାଚୀନ ଧର୍ମପୀଠର ସୁରକ୍ଷା ଓ ନିରାପତ୍ତାକୁ ସୁଦୃଢ଼ କରିବା ନମନ୍ତେ ନିକଟରେ ରାଜ୍ୟ ସରକାର ମଧ୍ୟ ‘ଶ୍ରୀଜଗନ୍ନାଥ ହେରିଟିଜ୍‌ କରିଡର୍‌’ ନିମନ୍ତେ ଜମି ଅଧିଗ୍ରହଣ କରିଛନ୍ତି। ଏଥିରେ ତୀର୍ଥଯାତ୍ରୀମାନଙ୍କ ନିମନ୍ତେ ଅନେକ ସୁବିଧା କରାଯିବ।
ତେଣୁ, ଉପରୋକ୍ତ ସବୁ ଦିଗରୁ ବିଚାର କରି ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ (ଏନ୍‌ଏମ୍‌ଏ) ଜାରି କରିଥିବା ଡ୍ରାଫ୍ଟ୍‌ ବାଇ-ଲ’ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରତ୍ୟାହାର କରି ନିଅନ୍ତୁ ବୋଲି ଡକ୍ଟର କୁମାର କହିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନସ୍ଥ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ (ଏନଏମଏ) ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ଏକ ସ୍ବତନ୍ତ୍ର ବାଇ-ଲ ବା ଉପନିୟମ ଆଣିବାକୁ ଯାଉଛନ୍ତି। ଏହି ବାଇ-ଲରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଶ୍ରୀଜଗନ୍ନାଥ ମନ୍ଦିର ଚାରିପଟେ ୩୦୦ ମିଟର ଅଞ୍ଚଳ ପାଇଁ କଟକଣା ଜାରି ହେବ। ପ୍ରଥମ ୧୦୦ ମିଟର ପୂରା ନିଷିଦ୍ଧ ଅଞ୍ଚଳ ଭାବେ ଘୋଷଣା ହେବ। ଏହି ଅଞ୍ଚଳରେ କୌଣସି ପ୍ରକାର ସରକାରୀ କିମ୍ବା ଘରୋଇ ନିର୍ମାଣକୁ ଅନୁମତି ଦିଆଯିବ ନାହିଁ। ମନ୍ଦିରର ଚାରିପଟେ ୨୦୦ ମିଟର ପରିମିତ ଅଞ୍ଚଳକୁ ନିୟନ୍ତ୍ରିତ ଅଞ୍ଚଳ ଭାବେ ଘୋଷଣା କରାଯିବ। ଏହି ଅଞ୍ଚଳରେ ନିର୍ମାଣ କାର୍ଯ୍ୟକୁ ଯଦିଓ ନିଷିଦ୍ଧ କରାଯିବ ନାହିଁ ତଥାପି ନିର୍ମାଣ ପାଇଁ ଏନଏମଏର ମଞ୍ଜୁରି ନିଶ୍ଚିତ ଆବଶ୍ୟକ।

The post ‘ଡ୍ରାଫ୍‌ଟ୍‌ ବାଇ-ଲ’ ବିଜ୍ଞପ୍ତି ପ୍ରତ୍ୟାହାର କରିନେବାକୁ ‘ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ’ଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ first appeared on Sambad.



from ଜିଲ୍ଲା – Sambad https://ift.tt/3aIvDIU