
ଫୁଲବାଣୀ: ଫୁଲବାଣୀ ଜିଲ୍ଲା ସଦର ବ୍ଲକ କଟ୍ରିଙ୍ଗିଆ ଗ୍ରାମ ପଞ୍ଚାୟତର କାଲିମୁଣ୍ଡା ଗାଁର ଆଦିବାସୀ ମହିଳା ଓ ପୁରୁଷମାନେ ବ୍ରୋକଲି ଚାଷ କରି ଅନ୍ୟମାନଙ୍କ ପାଇଁ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି। ବ୍ରୋକଲି ଚାଷ କରି କାଲିମୁଣ୍ଡା ଗାଁର ଆଦିବାସୀମାନେ ଆର୍ଥିକ ସ୍ତରରେ ବେଶ୍ ସ୍ବାବଲମ୍ବୀ ହେବା ସହିତ ଓଡ଼ିଶାର ବିଭିନ୍ନ ସ୍ଥାନକୁ ପଠାଇ ପାରୁଛନ୍ତି। ଫୁଲବାଣୀର ବ୍ରୋକଲିର ଚାହିଦା ଭୁବନେଶ୍ବର, ବ୍ରହ୍ମପୁର ସମେତ ସମ୍ବଲପୁର, ବଲାଙ୍ଗୀର, ନୟାଗଡ଼, ରାୟଗଡ଼ା ଭଳି ସ୍ଥାନରେ ଆକାଶଛୁଆଁ ରହିଛି। ବ୍ରହ୍ମପୁର ଓ ଭୁବନେଶ୍ବର ବଜାରରେ ଫୁଲବାଣୀ ବ୍ରୋକଲିର ଅଧିକ ଭାଉ ରହିଛି। ଫୁଲବାଣୀ ସଦର ବ୍ଲକର କାଲିମୁଣ୍ଡା ଗାଁର ୬ ଜଣ ଆଦିବାସୀ ଚାଷୀ ପ୍ରଥମେ ପରୀକ୍ଷାମୂଳକ ଭାବେ ବ୍ରୋକଲି ଚାଷ ଆରମ୍ଭ କରିଥିଲେ। ଫୁଲବାଣୀ ଆଇଟିଡିଏର ଜୀବିକା ମିସନ ସେମାନଙ୍କୁ ମଞ୍ଜି, ସାର ଓ ଚାଷ ସମ୍ପର୍କରେ ପ୍ରଶିକ୍ଷଣ ଯୋଗାଇ ଦେଇଥିଲା।
ଏହି ୬ ପରିବାରର ଉଭୟ ମହିଳା ଓ ପୁରୁଷ ସଦସ୍ୟମାନେ ୫ ଏକର ଜମିରେ ବ୍ରୋକଲି ଚାଷ କରିଛନ୍ତି। ଏତେ ପରିମାଣରେ ଫଳ ଫଳିବ ବୋଲି ପ୍ରଥମେ ପ୍ରଥମେ ତାଙ୍କର ବିଶ୍ବାସ ହେଉ ନଥିଲା। କିନ୍ତୁ ଚଳିତବର୍ଷର ଫଳ ଦେଖିବା ପରେ ବ୍ରୋକଲି ଚାଷ ଲାଭଦାୟକ ହୋଇପାରିଛି ବୋଲି କାଲିମୁଣ୍ଡା ଗାଁର କନ୍ଧ ସମ୍ପ୍ରଦାୟର ମହିଳା ଚାଷୀ ଶୁଆ କହଁର ଓ ତାରାବତୀ ଦେହୁରୀ କହନ୍ତି। ଫୁଲବାଣୀ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସଙ୍କ ଆନ୍ତରିକ ଉଦ୍ୟମ ଯୋଗୁଁ ଆଜି ସେମାନେ ବେଶ୍ ଭଳ ଦି’ ପଇସା ରୋଜଗାର କରିବାକୁ ସମର୍ଥ ହୋଇପାରିଛନ୍ତି ବୋଲି ସକିଲା କହଁର କହିଛନ୍ତି।
ଏହା ପୂର୍ବରୁ ଏହି ଗାଁର ଆଦିବାସୀମାନେ ଚାଷବାସ ନ କରି ଜଙ୍ଗଲ ଉପରେ ନିର୍ଭର କରୁଥିଲେ। ଜଙ୍ଗଲରୁ ଫଳମୂଳ ସଂଗ୍ରହ କରି ଜୀବନଜୀବିକା ନିର୍ବାହ କରୁଥିଲେ। ତେବେ ବ୍ରୋକଲି ଚାଷ ଯୋଗୁଁ ସେମାନେ ଆଜି ଆର୍ଥିକ ସ୍ତରରେ ସ୍ବାବଲମ୍ବୀ ହୋଇପାରିଛନ୍ତି। ବ୍ରୋକଲି କିଲୋ ପିଛା ୪୦ରୁ ୪୫ ଟଙ୍କା ଦରରେ ବିକ୍ରି କରୁଛନ୍ତି ଏବଂ କାଲିମୁଣ୍ଡା ବ୍ରୋକଲିର ବଡ଼ ଚାହିଦା ରହିଛି ବୋଲି କହନ୍ତି ଅନ୍ୟଜଣେ ଚାଷୀ ସକିଲା କହଁର। ତେବେ କାଲିମୁଣ୍ଡା ଗାଁରେ ସଫଳ ବ୍ରୋକଲି ଚାଷ ଦେଖିବା ପରେ ପାଖ ଗାଁ ଜାରିକିପଡ଼ା, ପଶୁପଦର, ଝାମ୍ପି ଗ୍ରାମର ମୋଟ ୫୨ ପରିବାର ମୋଟ ୧୦ ହେକ୍ଟର ଜମିରେ ବ୍ରୋକଲି ଚାଷ କରିଛନ୍ତି। ଏବର୍ଷ ଏହି ୪ଟି ଗାଁରୁ ମୋଟ ୩୦ କ୍ବିଣ୍ଟାଲ ବ୍ରୋକଲି ଉତ୍ପାଦନ ହୋଇଛି। ଏବେ ବି ଫସଲ କ୍ଷେତରେ ଅଛି। ଆଉ ୩୦ କ୍ବିଣ୍ଟାଲ ପାଖାପାଖି ଅମଳ ହେବାର ଅଛି ବୋଲି ଝାମ୍ପି ଗ୍ରାମର ଚାଷୀ ଶୁକ୍ଳା କହଁର କହିଛନ୍ତି।
ପ୍ରକୃତରେ ବ୍ରୋକଲି ଚାଷ ସେମାନଙ୍କୁ ନୂଆ ଜୀବନ ଦେଇଛି ବୋଲି କହନ୍ତି ପଶୁପଦର ଗ୍ରାମର ଅନ୍ୟଜଣେ ଚାଷୀ ଶାରଦା ପ୍ରଧାନ। ଏହି ୪ଟି ଗ୍ରାମର ବ୍ରୋକଲି ଚାଷର ସଫଳତା ଦେଖିବା ପରେ ପାଖାପାଖି ଗାଁର ଆଦିବାସୀମାନେ ଏହି ଚାଷ ପ୍ରତି ମନ ବଳାଇଛନ୍ତି। ଆସନ୍ତାବର୍ଷଠାରୁ ଫୁଲବାଣୀ ସଦର ବ୍ଲକର ମିଣିଆ, କଟ୍ରିଙ୍ଗିଆ, ଦଳପଡ଼ା ପଞ୍ଚାୟତର ଅନ୍ୟ ଗାଁର ଆଦିବାସୀମାନେ ବ୍ରୋକଲି ଚାଷୀ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଗାଁର ଆଦିବାସୀଙ୍କୁ ବ୍ରୋକଲି ଚାଷ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଜୀବିକା ମିସନର ପି. ମୁରଲୀ ମୋହନ, ବୈଦ୍ୟନାଥ ଖଟୁଆ ଏବଂ ଶୁଭଶ୍ରୀ ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରଶିକ୍ଷକ ଟିମ୍ କଟ୍ରିଙ୍ଗିଆରେ ପହଞ୍ଚିଥିଲା। ଆସନ୍ତାବର୍ଷଠାରୁ ଏହି ଅଞ୍ଚଳରେ ଅଧିକ ପରିମାଣରେ ବ୍ରୋକଲି ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ଦାସ ସୂଚନା ଦେଇଛନ୍ତି।
The post ଆଦିବାସୀଙ୍କ ମୁହଁରେ ହସ ଫୁଟାଇଛି ବ୍ରୋକଲି: ବ୍ରହ୍ମପୁର, ଭୁବନେଶ୍ବରରେ ଫୁଲବାଣୀ ବ୍ରୋକଲିର ଚାହିଦା ବେଶି first appeared on Sambad.
from ଜିଲ୍ଲା – Sambad https://ift.tt/2YT8v4U
0 Comments