ପୁରୀ :‌ ରଥଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ ନୀତି ପରମ୍ପରା ମୁତାବକ ଆଜି (ମଙ୍ଗଳବାର) ପବିତ୍ର ବସନ୍ତ ପଞ୍ଚମୀ‌ରେ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଶ୍ରୀମନ୍ଦିର ସମ୍ମୁଖ ରଥଖଳା ପ୍ରସ୍ତୁତ ହୋଇଛି।

ପରମ୍ପରା ଅନୁଯାୟୀ, ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ରଥଖଳାରେ ତିନି ରଥ ପାଇଁ ତିନୋଟି କାଠକୁ ପୂଜାର୍ଚ୍ଚନା ହେବ। ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ବାରିକେଡ୍ ପକାଇ ତିନି ରଥକାଠକୁ ଅଲଗା ରଖାଯାଇଛି। ପୂଜାର୍ଚ୍ଚନା ପାଇଁ ଆବଶ୍ୟକ ଜାଗା ବି ଖାଲି କରାଯାଇଛି। ଆସନ୍ତାକାଲି ରାଜନଅର ପକ୍ଷରୁ ‌ରାଜଗୁରୁଙ୍କ ସହ ସ୍ତୋତ୍ରୀୟ ବ୍ରାହ୍ମଣମାନେ ପୂଜାର୍ଚ୍ଚନା କାର୍ଯ୍ୟ ସଂପାଦାନ କରିବେ। ତିନି ରଥ ପାଇଁ ୧୨ ଫୁଟିଆ ତିନି ଧଉରା କାଠକୁ ରଥଖଳାରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ପୂଜାର୍ଚ୍ଚନା କରାଯିବ। ସ୍ତୋତ୍ରୀୟ ବ୍ରାହ୍ମଣମାନେ ବାଗ୍‌ଦେବୀଙ୍କୁ ଆବାହନ କରିବା ସହ ଫୁଲ, ଚନ୍ଦନ, ପଞ୍ଚାମୃତ, ଅର୍ଘ୍ୟ, ମହାପ୍ରସାଦ ଆଦି ଅର୍ପଣ କରିବେ। ତିନି ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ରଥଖଳାରେ ପହଞ୍ଚିବା ପରେ ପବିତ୍ର ରାମନବମୀରେ ରଥକାଠ ଚିରଟ ଓ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ନୀତି ଅନୁଷ୍ଠିତ ହେବ।

The post ଆଜି ରଥକାଠ ଅନୁକୂଳ, ପୂଜା ହେବ ତିନି ଧଉରା କାଠ first appeared on Sambad.



from ଜିଲ୍ଲା – Sambad https://ift.tt/3u4a7ac