
ଭୁବନେଶ୍ବର, ବଲାଙ୍ଗୀର : ମହାନଦୀ ଜଳ ବିବାଦ ମାମଲା ନ ତୁଟିବା ଯାଏ ବଲାଙ୍ଗୀର ଜିଲ୍ଲାରେ ଦୀର୍ଘଦିନରୁ ନିର୍ମାଣାଧୀନ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଆଗେଇ ପାରିବ ନାହିଁ। ଆଜି ଏହି ମର୍ମରେ ଏକ ଦୈନିକ ଖବରକାଗଜରେ ରାଜ୍ୟ ଜଳସମ୍ପଦ ମନ୍ତ୍ରୀଙ୍କ ବକ୍ତବ୍ୟ ପ୍ରକାଶ ପାଇବା ପରେ ହଟଚମଟ ସୃ୍ଷ୍ଟି ହୋଇଥିଲା। ତେବେ ଏହି ଖବରକୁ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି, ଏହି ଖବରରେ ସତ୍ୟତା ନାହିଁ କି ସେ ପ୍ରକଳ୍ପ ବନ୍ଦ ହେବା ନେଇ କିଛି ବି କହିନାହାନ୍ତି। ତାଙ୍କ କହିବାନୁଯାୟୀ, ନିୟମାନୁଯାୟୀ ସଂଶୋଧିତ ବ୍ୟୟ ଅଟକଳ ତାଲିକା କେନ୍ଦ୍ରୀୟ ଜଳ ଆୟୋଗଙ୍କ ମଞ୍ଜୁରି ପାଇଁ ପଠାଇବା ଚିରାଚରିତ ପ୍ରଥା। ବ୍ୟୟ ଅଟକଳ ମଞ୍ଜୁର ନ ହେଲେ ବି ପ୍ରକଳ୍ପ ବାବଦ ସମ୍ବଳ ଯୋଗାଡ଼ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଯଥେଷ୍ଟ ବିକଳ୍ପ ବ୍ୟବସ୍ଥା ରହିଛି। ଏ ନେଇ ଉଚିତ୍ ସମୟରେ ସରକାର ନିଷ୍ପତ୍ତି ନେବେ। ତେବେ ଦୀର୍ଘ ଦିନରୁ ସିଡବ୍ଲୁସିଙ୍କ ମଞ୍ଜୁରି ପାଇଥିବା ଲୋୟର ସୁକତେଲ ପ୍ରକଳ୍ପ କାମ କୌଣସି ବି ପରିସ୍ଥିତିରେ ବନ୍ଦ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି।
ସୂଚନାଯୋଗ୍ୟ, ମହାନଦୀ ଜଳବିବାଦରେ ଲୋୟର ସୁକତେଲ ପ୍ରକଳ୍ପ ଫସିଛି। କେନ୍ଦ୍ର ଜଳ ଆୟୋଗ ଡିପିଆର-୨କୁ ଫେରାଇ ଦେଇଥିବା ନେଇ ତଥ୍ୟ ସୂଚନା ଅଧିକାର ଆଇନ ବଳରେ ପଦାକୁ ଆସିଥିଲା। ଜଳବିବାଦ ମାମଲା ଟ୍ରିବ୍ୟୁନାଲଙ୍କ ବାଚାରାଧୀନ ଥିବାବେଳେ ଲୋୟର ସୁକତେଲ ପ୍ରକଳ୍ପର ଡିପିଆର-୨ ମଞ୍ଜୁର ପାଇଁ ପୁଣି ଥରେ ପଠାଇବାକୁ କେନ୍ଦ୍ର ଜଳ ଆୟୋଗ ରାଜ୍ୟକୁ ଚିଠି କରିଥିଲା। ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ଏହି ତଥ୍ୟ ପ୍ରକାଶ କରିବା ପରେ ଏହାକୁ ନେଇ ବିଗିଡି ଯାଇଥିଲେ ବଲାଙ୍ଗୀର ଜିଲ୍ଲାପାଳ। ଗଣମାଧ୍ୟମ ଏ ସମ୍ପର୍କରେ ବିଭ୍ରାନ୍ତିକର ତଥ୍ୟ ପ୍ରକାଶ କରିଛି ବୋଲି ସେ ଟ୍ୱିଟ୍ ଯୋଗେ ପ୍ରତିବାଦ କରିଥିଲେ। ଏ ନେଇ ଦ୍ବନ୍ଦ୍ବ ଓ ପ୍ରତିକ୍ରିୟା ହେବାରୁ ପ୍ରକଳ୍ପ ମୁଖ୍ୟ ଯନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ ଡାକି ମହାନଦୀ ଜଳ ବିବାଦ ସହ ଏହି ପ୍ରକଳ୍ପର କୌଣସି ସମ୍ପର୍କ ନଥିବା କଥା କହିଥିଲେ। ଅନ୍ୟପଟେ ସୁକତେର ପ୍ରକଳ୍ପର ଭାଗ୍ୟ ମହାନଦୀ ଜଳବିବାଦ ରାୟ ଉପରେ ନିର୍ଭର କରୁଥିବା ନେଇ ମନ୍ତ୍ରୀ ଶ୍ରୀ ଦାସ କହିଥିବା ଶନିବାର ଏକ ଦୈନିକ ଇଂରାଜି ଖବରକାଗଜ ପ୍ରକାଶ କରିଥିଲା। ଯାହାକୁ ନେଇ ଦିନତମାମ ବଲାଙ୍ଗୀର ଜିଲ୍ଲା ଓ ରାଜ୍ୟ ପ୍ରଶାସନରେ ତମ୍ବିତୋଫାନ ହୋଇଥିବା ଖବର ମିଳିଛି।
‘ସମ୍ବାଦ’ ପକ୍ଷରୁ ମନ୍ତ୍ରୀ ଶ୍ରୀଦାସଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ସୁକତେଲ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂକଳ୍ପ ନେଇଛନ୍ତି। ପୂର୍ବରୁ ମଧ୍ୟ ଏହି ପ୍ରକଳ୍ପ ପାଇଁ ସିଡବ୍ଲୁସି ମଞ୍ଜୁରି ପ୍ରଦାନ କରିସାରିଛନ୍ତି। ୨୦୨୨-୨୩ ବର୍ଷ ସୁଦ୍ଧା ପ୍ରକଳ୍ପ କାମ ସାରିବାକୁ ସରକାର ଲକ୍ଷ୍ୟ ରଖିଥିବା ସେ ପ୍ରକାଶ କରିଥିଲେ।
The post ବନ୍ଦ ହେବନି ସୁକତେଲ ପ୍ରକଳ୍ପ କାମ: ମନ୍ତ୍ରୀ first appeared on Sambad.
from ଜିଲ୍ଲା – Sambad https://ift.tt/37cK1bk
0 Comments