
ପୁରୀ : ଶନିବାର ପବିତ୍ର ମାଘ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମହାପ୍ରଭୁ ସୋଲ, ଜରି ଆଦିରେ ପ୍ରସ୍ତୁତ ଆୟୁଧ, ଅଳଙ୍କାର ପରିଧାନ କରି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଲକ୍ଷାଧିକ ଶ୍ରଦ୍ଧାଳୁ ଆଜି ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରିଛନ୍ତି।
ପୁରାଣ ବର୍ଣ୍ଣିତ କଥା ଅନୁଯାୟୀ, ତ୍ରିକୁଟ ପର୍ବତରେ ବାସ କରୁଥିବା ଗଜରାଜ ପ୍ରବଳ ଗରମ ଯୋଗୁ ତୃଷାର୍ତ୍ତ ହୋଇ ଜଳପାନ ପାଇଁ ବନସ୍ତରୁ ବାହାରି ଅନେକ ଜାଗା ବୁଲିବା ପରେ ବରୁଣ ହ୍ରଦ ତୀରରେ ଶୀତଳ ଜଳରେ ପଶି ଜଳପାନ କରୁଥିଲେ। ଏହି ସମୟରେ ସେଠାରେ ବାସ କରୁଥିବା ଏକ ବିରାଟ କୁମ୍ଭୀର ଗଜରାଜଙ୍କୁ ଆକ୍ରମଣ କରିଥିଲା। ଗୋଡ଼କୁ କାମୁଡ଼ି ଧରି ପାଣି ଭିତରକୁ ଟାଣିନେବାକୁ ଚେଷ୍ଟା କରିଥିଲା। ଏହି ସମୟରେ ବଳଶାଳୀ ଗଜରାଜ ଅସହାୟ ହୋଇ କୁମ୍ଭୀରଠାରୁ ଉଦ୍ଧାର ପାଇଁ ମହାପ୍ରଭୁଙ୍କୁ ଗୁହାରି କରିଥିଲେ। ଗଜରାଜଙ୍କ ଗୁହାରି ଶୁଣି ମହାପ୍ରଭୁ ଚକ୍ରରେ କୁମ୍ଭୀରକୁ ମାରି ଗଜରାଜଙ୍କୁ ଉଦ୍ଧାର କରିଥିଲେ। ପୁରାଣ ବର୍ଣ୍ଣିତ ଏହି ଘଟଣା ପବିତ୍ର ମାଘ ପୂର୍ଣ୍ଣିମାରେ ହୋଇଥିବାରୁ ଏହି ସ୍ମୃତିରେ ପ୍ରତିବର୍ଷ ମାଘ ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇ ଆସୁଛି।
ଶନିବାର ଅପରାହ୍ଣ ୩ଟାରେ ମଧ୍ୟାହ୍ନଧୂପ ଶେଷ ପରେ ମହାପ୍ରଭୁଙ୍କୁ ଏହି ବେଶରେ ସଜ୍ଜିତ କରାଯାଇଥିଲା। ଦୁଇଟି ହାତୀ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦୁଇପାର୍ଶ୍ବରେ ଦୁଇଟି ପଦ୍ମ ଫୁଲ ଧରି ବିରାଜମାନେ ହୋଇଥିଲେ। କୁମ୍ଭୀରର ଏକ ଚିତ୍ର ଗଜରାଜଙ୍କ ପାଦ କାମୁଡ଼ି ଧରିଥିବା ଭଳି ରହିଥିଲା। ସୋଲ, ଜରି, ଜମ୍ଭୁରା, କନା, କଇଥ ଅଠା ଆଦି ବ୍ୟବହାର କରାଯାଇ ପୂର୍ବପ୍ରସ୍ତୁତ ଆୟୁଧ ସହ ନାନାଦି ଅଳଙ୍କାର ମହାପ୍ରଭୁଙ୍କୁ ଲାଗି କରାଯାଇଥିଲା। ସଂଧ୍ୟାଧୂପ ପର୍ଯ୍ୟନ୍ତ ମହାପ୍ରଭୁ ଗଜ ଉଦ୍ଧାରଣ ବେଶରେ ଦର୍ଶନ ଦେଇଥିଲେ। ସଂଧ୍ୟା ଆଳତି ଓ ସଂଧ୍ୟାଧୂପ ନୀତି ଶେଷ ପରେ ଏହି ବେଶ ଓଲାଗି କରାଯାଇଥିଲା।
The post ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ, ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ first appeared on Sambad.
from ଜିଲ୍ଲା – Sambad https://ift.tt/3e0Tiau
0 Comments