ବାଲିକୁଦା : ଜନ୍ମରୁ ଡାହାଣ ହାତର ପାପୁଲି ନାହିଁ, ବାମ ହାତରେ ଦୈନଦିନ କର୍ମ କରିବା ସହ ଏକ କଠିନ କଳାକୁ ଆୟତ୍ତ କରିବାରେ ସକ୍ଷମ ହୋଇଛନ୍ତି। ଏହି କଳା ତାଙ୍କ ପରିବାର ପ୍ରତିପୋଷଣରେ ସହାୟକ ହୋଇଛି। ଏପରି ଜଣେ ବ୍ୟକ୍ତି ହେଉଛନ୍ତି ବଡ଼ଚଣା ବ୍ଲକ୍‌ ସାଉଡ଼ିଆ ପଞ୍ଚାୟତ ନାରାୟଣପୁର ଗ୍ରାମର ଦିବ୍ୟାଙ୍ଗ ନାରାୟଣ ମଲିକ ଓରଫ ବଗା(୫୫)।

୧୭ ବର୍ଷ ବୟସରୁ ବିଲବାଡ଼ି କାମ କରୁଥିବା ନାରାୟଣ କିଛିଦିନ ରିକ୍ସା ଟାଣି ପରିବାର ପ୍ରତିପୋଷଣ କରୁଥିଲେ।। ୨ ବର୍ଷ ତଳେ ଅନ୍ୟଜଣେ ବ୍ୟକ୍ତିଙ୍କ ଠାରୁ ଗଛଚଢ଼ା କୌଶଳ ଶିଖିଥିଲେ। ପ୍ରଥମେ ଛୋଟଛୋଟ ଖଜୁରୀ ଗଛ କାଟିବା ସହ ଝାଡ଼ୁ ବନ୍ଧା କାମ କରିଥିଲେ। ଏବେ ବଡ଼ ନଡ଼ିଆ, ତାଳ ଓ ଖଜୁରୀ ଗଛ ଚଢ଼ି ପାରୁଛନ୍ତି। ପ୍ରଥମେ ସେ ଗୋଟିଏ ଗଛକୁ ମାତ୍ର ୫୦ ପଇସା ନେଉଥିଲେ, ଏବେ ଗଛପ୍ରତି ୫୦ ରୁ ୬୦ ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ମିଳୁଛି। ପ୍ରତିଦିନ ସେ ୪/୫ ଟି ଗଛ ହାଣନ୍ତି। ପ୍ରତିଦିନ ୨ଶହ ଟଙ୍କାରୁ ୩ ଶହ ଟଙ୍କା ପର୍ଯ୍ୟନ୍ତ ରୋଜଗାର ହେଉଛି। ସବୁଦିନ କାମ ମିଳୁ ନଥିଲେ ମଧ୍ୟ ଏଥିରୁ ହିଁ ପରିବାର ଚଳୁଛି।

ପତ୍ନୀ, ଦୁଇପୁଅ ଓ ଦୁଇ ଝିଅଙ୍କୁ ନେଇ ତାଙ୍କ ସଂସାର। ବଡ଼ଝିଅ ବାହା ହୋଇଯାଇଥିବା ବେଳେ ବଡ଼ପୁଅ ବାହାରକୁ ଦାଦନ ଖଟିବାକୁ ଯାଇଛନ୍ତି। ପ୍ରଶାସନ ପକ୍ଷରୁ ତାଙ୍କୁ ୬୦ ପ୍ରତିଶତ ଦିବ୍ୟାଙ୍ଗ ପ୍ରମାଣପତ୍ର ମିଳିଛି। ମାସିକ ଭତ୍ତା ବାବଦକୁ ୭ଶହ ଟଙ୍କା ଓ ଅନ୍ତ୍ୟୋଦୟ ଯୋଜନାରେ ମାସକୁ ୩୫ କିଲୋ ଚାଉଳ ମିଳୁଛି। ଏହା ପରିବାର ଚଳାଇବାରେ କିଛି ମାତ୍ରାରେ ସହାୟକ ହେଉଛି। ୨୦୧୪-୧୫ ଆର୍ଥିକ ବର୍ଷରେ ବିଜୁ ପକ୍କାଘର ମିଳିଥିଲା ତାହା ଏପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ହୋଇପାରିନାହିଁ। ଏହି କଳା ଶିଖି ନଥିଲେ ସେ ପେଟ ପୋଷିବା ପାଇଁ ଭିକ୍ଷାବୃତ୍ତି କରିବାକୁ ବାଧ୍ୟ ହୋଇଥାନ୍ତେ ବୋଲି କହିଛନ୍ତି। ଖଟି ଖାଇବାରେ ତାଙ୍କୁ ବହୁ ଆନନ୍ଦ ମିଳୁଛି। ଗୋଟିଏ ଲୁନା ଗାଡ଼ି ଥିଲେ ବଳକା ସମୟରେ ସେ ଗାଁଗାଁ ବୁଲି ପଇଡ଼ ବେପାର କରିପାରନ୍ତେ ବୋଲି କହିଛନ୍ତି।

The post ପାପୁଲି ନଥାଇ ପାରଙ୍ଗମ, ଗୋଟିଏ ହାତରେ କାମ କରି ଚଳାଉଛନ୍ତି ପରିବାର first appeared on Sambad.

from ଜିଲ୍ଲା | Sambad https://ift.tt/3lwgVJK