ରାୟଗଡ଼ା: ବୃତ୍ତିରେ ଏଏନ୍ଏମ୍। କିନ୍ତୁ ଦୁର୍ଗମଇଲାକାର ନିରକ୍ଷରଙ୍କ ପାଇଁ ସେ ଆଶାବାଡ଼ି ସଦୃଶ୍ୟ।  ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ସହ ଗତ ଦେଢ଼ବର୍ଷରେ ୧୦ ନିରକ୍ଷର ଆଶାକର୍ମୀଙ୍କୁ ସ୍ବାକ୍ଷର କରାଇ ସଭିଁଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଏଏନ୍ଏମ୍ ପ୍ରିୟମ୍ବଦା ଭୋଇ। ପୂର୍ବରୁ ଓଡ଼ିଆ ଲେଖି ପଢ଼ି ପାରୁନଥିବା ଆଶାକର୍ମୀ ସ୍ବାକ୍ଷର ହେବା ପରେ ଜନନୀ ସୁରକ୍ଷା ଯୋଜନା, ଶିଶୁ ଯତ୍ନ, ଟିକାକରଣ କାର୍ଯ୍ୟକ୍ରମ ସହ ପୃଷ୍ଟିକର ସପ୍ତାହ, ମାସିକ ପ୍ରୋତ୍ସାହନ ରାଶି ସଂପର୍କିତ କାଗଜପତ୍ର ସହ ବହୁ ଯୋଜନାର ମାସିକ ରିପୋର୍ଟ ନିଜେ ପ୍ରସ୍ତୁତ କରୁଛନ୍ତି।

ରାୟଗଡ଼ା ଜିଲ୍ଲା ବିଷମକଟକ ଗୋ‌ଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ରହିଛି ସାହାଡ଼‌ା ସବ୍ ସେଣ୍ଟର୍। ଦୁର୍ଗମ ଇଲାକାରେ ଥିବା ଏହି ସବ୍ ସେଣ୍ଟର୍ ଅଧୀନରେ ରହିଛି ବାରୁକଣା, ପଦଗଲାଣି, ସମୁଦ୍ରବୁଡ଼ୁଣି, ପଦବାଇ, ଉପରଘୁଷୁରି, ତଳଘୁଷୁରି ସମେତ ୨୦ଟି ଗାଁ।

୨୦ ଖଣ୍ଡ ଗାଁରେ ବସବାସ କରୁଛନ୍ତି ୬୫୦୦ରୁ ଉର୍ଧ୍ବ ଲୋକ। ଆଦିବାସୀ, ଡଙ୍ଗରିଆ ଓ ଅନ୍ୟ ସଂପ୍ରଦାୟର ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବାକୁ ନିୟୋଜିତ ହୋଇଛନ୍ତି ୨୦ ଆଶାକର୍ମୀ। ଏଏନ୍ଏମ୍ ପ୍ରିୟମ୍ବଦା ଭୋଇ ସବ୍ ସେଣ୍ଟର ଦାୟିତ୍ବରେ ଥିବା ବେଳେ ୨୦ ଆଶାଙ୍କ ମଧ୍ୟରୁ ୧୦ ଜଣ ସଂପୂର୍ଣ୍ଣ ନିରକ୍ଷର ଥିଲେ।

ମାତୃ ଓ ଶିଶୁ ମୃତ୍ୟୁହାର ରୋକିବା ସହ ଇନଷ୍ଟିଚ୍ୟୁସନାଲ୍ ପ୍ରସବ ହାର ବୃଦ୍ଧି ପାଇଁ ସରକାର ସାହାଡ଼ାରେ ପ୍ରସବ କେନ୍ଦ୍ର ଖୋଲିଛନ୍ତି। ମାସିକ ୨୫ରୁ ୩୦ ମହିଳା ଏହି କେନ୍ଦ୍ରରେ ସଫଳତାର ପ୍ରସବ କରାଉଛନ୍ତି। ୧୦ ଆଶା ସଂପୂର୍ଣ୍ଣ ନିରକ୍ଷର ଥିବାରୁ ପୃଷ୍ଟିକର ସପ୍ତାହ ସହ ନନ୍ କମ୍ୟୁନିକେବଲ୍ ଡିଜଜ୍ କାର୍ଯ୍ୟକ୍ରମ ପରିଚାଳନାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଫଳରେ ନିରକ୍ଷର ଆଶାଙ୍କୁ ସ୍ବାକ୍ଷର କରିବା ପାଇଁ ଏଏନ୍ଏମ୍ ପ୍ରିୟମ୍ବଦା ଅଣ୍ଟା ଭିଡ଼ିଥିଲେ। ସ୍ବାସ୍ଥ୍ୟସେବା ପରେ ଦିନର ଅନ୍ୟ ସମୟରେ ଓଡ଼ିଆ ବନାନ, ବ୍ୟଞ୍ଜନ ବର୍ଣ୍ଣ ଶିଖିବା ସହ ପ୍ରତିଦିନ ହସ୍ତାକ୍ଷର ଲେଖିବାକୁ ଆଶାଙ୍କୁ ପରାମର୍ଶ ଦେଇଥିଲେ। ପ୍ରତ୍ୟେହ ଏକ ପୃଷ୍ଠାର ହସ୍ତାକ୍ଷର ଲେଖି ପରଦିନ ସବ୍ ସେଣ୍ଟରକୁ ଆସିବା କ୍ଷଣି ଦେଖାଇବା ଲାଗି ପ୍ରିୟମ୍ବଦା ଆଶାକର୍ମୀଙ୍କୁ କହିଥିଲେ।

ମାସରେ ୩୦ ପୃଷ୍ଠା ହସ୍ତାକ୍ଷର ନ ଲେଖିଲେ ମାସିକ ପ୍ରୋତ୍ସାହନ ରାଶି ପ୍ରଦାନ ନ କରିବା ଲାଗି ମଧ୍ୟ ରୋକଠୋକ୍ ଶୁଣାଇ ଦେଇଥିଲେ। ଫଳରେ ଓଡ଼ିଆ ଲେଖି ପଢ଼ି ଜାଣିନଥିବା ଆଶାକର୍ମୀ ଓଡ଼ିଆ ବନାନ ଶିଖିବା ସହ ନିୟମିତ ହସ୍ତାକ୍ଷର, ଶବ୍ଦକୋଷ ଲେଖିବା ଆରମ୍ଭ କରିଥିଲେ। ଗତ ଦେଢ଼ ବର୍ଷର ଏପରି ଅଭ୍ୟାସ ପରେ ଏବେ ୧୦ ନିରକ୍ଷର ଆଶାକର୍ମୀ ସଂପୂର୍ଣ୍ଣ ସ୍ବାକ୍ଷର ହେବା ମାସିକ ରିପୋର୍ଟ ନିଜେ ପ୍ରସ୍ତୁତ କରୁଛନ୍ତି। ଏପରିକି ୬୫୦୦ ଜନସାଧାରଣଙ୍କ ମଧ୍ୟରୁ ୨୫୨୦ ଜଣ ୩୦ ବର୍ଷର ହୋଇଥିବା ବେଳେ ୨୪୭୪ ଜଣଙ୍କ ମେଡ଼ିକାଲ୍ ସ୍କ୍ରିନିଂ ଆଶାଙ୍କ ସହାୟତାରେ ଏଏନ୍ଏମ୍ ପ୍ରିୟମ୍ବଦା କରାଇ ପାରିଛନ୍ତି। ଦୁର୍ଗମ ଇଲାକାରେ ଶିକ୍ଷାର ବିକାଶ ଜରୁରି ହୋଇ ପଡ଼ିଥିବା ବେ‌ଳେ ଏଏନ୍ଏମ୍ ପ୍ରିୟମ୍ବଦାଙ୍କ ଏପରି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

The post ଦୁର୍ଗମ ଇଲାକାରେ ନିରକ୍ଷରଙ୍କ ଆଶାବାଡ଼ି ‘ପ୍ରିୟମ୍ବଦା’, ଦେଢ଼ ବର୍ଷରେ ୧୦ ଆଶାଙ୍କୁ କରାଇଲେ ସ୍ବାକ୍ଷର first appeared on Sambad.



from ଜିଲ୍ଲା – Sambad https://ift.tt/3quJKY0