ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପାଇଁ ତୃତୀୟ ପର୍ଯ୍ୟାୟ ଅତିରିକ୍ତ ଲକ୍ଷ୍ୟର ୮୪ ପ୍ରତିଶତ ଧାନ ସଂଗ୍ରହ ହୋଇସାରିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ୭ ହଜାର ପଞ୍ଜୀକୃତ ଚାଷୀ ନିଜର ଧାନ ବିକ୍ରି କରିପାରିନାହାନ୍ତି। ଗୋଟିଏ ପଟେ ଚଳିତ ବର୍ଷ ପୂର୍ବ ବର୍ଷଠାରୁ ଅଧିକ ଧାନ ଅମଳ ହୋଇଛି ଓ କିଣାଯାଇଛି ବୋଲି ପ୍ରଶାସନ ବାହାବା ନେଉଛଇ। କିନ୍ତୁ ପୂର୍ବ ବର୍ଷ ଅପେକ୍ଷା ଅଧିକ ଚାଷୀ ଏବେ ବି ନିଜର ଧାନ ବିକ୍ରି କରିନପାରି ବସିରହିଛନ୍ତି।

ଯୋଗାଣ ବିଭାଗଠାରୁ ମିଳିଥିବା ସୂଚନା ଅନୁସାରେ, ଚଳିତ ବର୍ଷ ୧୩୮ଟି ପ୍ରାଥମିକ କୃଷି ସମବାୟ ସମିତିର ୪୪୧୨୯ଜଣ ଚାଷୀ ନିଜ ଧାନ ବିକ୍ରି କରିବା ପାଇଁ ପଞ୍ଜୀକରଣ କରିଥିଲେ। ଆଜି ସୁଦ୍ଧା ୩୭ ୮୦୬ଜଣ ଚାଷୀଙ୍କ ଠାରୁ ୧୪ଲକ୍ଷ ୨୩ହଜାର ୮୪୫.୮୦ କ୍ବିଣ୍ଟାଲ୍ ଧାନ କିଣାଯାଇଛି। ଆସନ୍ତା ଦୁଇ ସପ୍ତାହର ମଣ୍ତି ଦିବସରେ ବଳକା ପ୍ରାୟ ୭ହଜାର ଚାଷୀ ନିଜର ଧାନ ବିକ୍ରି କରିବାକୁ ଅପେକ୍ଷା କରିଛନ୍ତି। ସରକାରଙ୍କ ଟୋକନ୍‌ ପ୍ରଦାନ ନିୟମ ଅନୁସାରେ, ଜଳସେଚିତ ଜମିର ଜଣେ ଚାଷୀ ଏକର ପିଛା ୧୯ କ୍ବିଣ୍ଟାଲ୍ ଓ ଅଣଜଳସେଚିତ ଚାଷୀ ଏକର ପିଛା ୧୩ କ୍ବିଣ୍ଟାଲ୍ ଧାନ ବିକ୍ରି କରିପାରିବ। ଏହି ଆକଳନରେ ଜିଲ୍ଲାର ପଞ୍ଜୀକୃତ ୪୪ହଜାର ୧୨୯ଜଣ ଚାଷୀଙ୍କ ନିକଟରୁ (ପ୍ରତ୍ୟେକ ଚାଷୀଙ୍କ ନିକଟରେ ୩ ଏକର ଲେଖାଏଁ) ହିସାବ କରାଗଲେ ପ୍ରାୟ ୨୨ ଲକ୍ଷ କ୍ବିଣ୍ଟାଲ୍ ଧାନ କିଣାଯିବା କଥା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାର ୬୫ ପ୍ରତିଶତ ଧାନ କିଣାଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ୨୦୨୦–୨୧ ଖରିଫ ଋତୁରେ ୨୦୨୦ ଡିସେମ୍ବର ୯ ତାରିଖରେ ଧାନ କିଣା ଆରମ୍ଭ ହେବା ଯୋଜନା ଥିଲା। କିନ୍ତୁ ଡିସେମ୍ବର ୨୩ ତାରିଖରୁ ଧାନ ସଂଗ୍ରହ ଆରମ୍ଭ ହେଲା। ତେବେ ପ୍ରଥମ ସପ୍ତାହରେ ଟୋକନ୍‌ ଦିଆଯାଇନଥିବାରୁ ଜାନୁଆରି ମାସରୁ ଟୋକନ୍‌ ମାଧ୍ୟମରେ ଧାନ କିଣିବା ଆରମ୍ଭ ହୋଇଥିଲା। ପ୍ରଥମ ଦୁଇ ସପ୍ତାହ ଯାଇଛି କି ନାହିଁ ଧାନମଣ୍ତିରେ ଧାନ କିଣାରେ ଅବ୍ୟବସ୍ଥା, ଅନିୟମିତତା ନେଇ ବିଭିନ୍ନ ସ୍ଥାନରୁ ଅଭିଯୋଗର ସୁଅ ଛୁଟିବାରେ ଲାଗିଲା। ନିୟମିତ ଭାବେ ଚାଷୀ ବିଭିନ୍ନ ସ୍ଥାନରେ ଧାରଣା ଦେବା ଆରମ୍ଭ କଲେ। ବାଲୁଗାଁ, ବେଗୁନିଆ, ବୋଲଗଡ଼ ଆଦିରେ ଲାଞ୍ଚ ନେଇ ଟୋକନ୍‌ ଜାରି କରିବା ଓ ଧାନ କିଣିବା ଅଭିଯୋଗ ମଧ୍ୟ ଆସିଲା। ଏନେଇ ସମବାୟ ରେଜିଷ୍ଟ୍ରାର ଓ ଯୋଗାଣ ବିଭାଗ ପକ୍ଷରୁ ତଦନ୍ତ କରାଯାଇଥିଲେ ମଧ୍ୟ ଏଯାଏ କୌଣସି କୃଷି ସମବାୟ ସମିତିର ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ କି ଧାନ କିଣା ସମସ୍ୟାର ସମାଧାନ ହୋଇନାହିଁ। ତେବେ ୫ ଦିନ ପୂର୍ବେ ଜିଲ୍ଲା ଉନ୍ନୟନ କମିଟି ବୈଠକରେ ଜିଲ୍ଲାପାଳ ମାର୍ଚ୍ଚ ଶେଷ ସୁଦ୍ଧା ସମସ୍ତ ଟୋକନ୍‌ ପାଇଥିବା ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ କିଣାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ଧାନ କିଣା ପାଇଁ ୯ଲକ୍ଷ ୫୮ ହଜାର କ୍ବିଣ୍ଟାଲ୍ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଫେବ୍ରୁଆରି ୧୦ ତାରିଖସୁଦ୍ଧା ୬୦ ପ୍ରତିଶତ ପଞ୍ଜୀକୃତ ଚାଷୀଙ୍କଠାରୁ ପ୍ରଥମ ପର୍ଯ୍ୟାୟ ଧାନ କିଣାଯାଇଥିଲା। ବଳକା ୪୦ ପ୍ରତିଶତ ଚାଷୀଙ୍କ ପାଇଁ ପୁଣି ଦ୍ବିତୀୟ ପର୍ଯ୍ୟାୟ ପାଇଁ ୨ଲକ୍ଷ ୫୨ ହଜାର କ୍ବିଣ୍ଟାଲ୍ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ତୃତୀୟ ପର୍ଯ୍ୟାୟରେ ପୁଣି ପୁଣି ଅତିରିକ୍ତ ୩ ଲକ୍ଷ କ୍ବିଣ୍ଟାଲ୍ କିଣାଯିବାକୁ ଟାର୍ଗେଟ୍‌ ରହିଛି।

ଏନେଇ ଯୋଗାଣ ବିଭାଗ ଅଧିକାରୀ ଅନାମ ସ୍ବାଇଁ କହିଛନ୍ତି ଯେ ମାର୍ଚ୍ଚ ୧ ତାରିଖ ସୁଦ୍ଧା ଜିଲ୍ଲାରୁ ୧୪ଲକ୍ଷ ୫୦ ହଜାର କ୍ବିଣ୍ଟାଲ୍ ଧାନ କ୍ରୟ କରିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଗତବର୍ଷ ଖରିଫ ଋତୁରେ ୧୩ଲକ୍ଷ ୭୦ହଜାର କ୍ବିଣ୍ଟାଲ୍ ଧାନ କିଣାଯାଇଥିଲା। ଚଳିତ ବର୍ଷ ଆଜି ସୁଦ୍ଧା ୧୪ଲକ୍ଷ ୨୩ ହଜାର କ୍ବିଣ୍ଟାଲ୍ ଧାନ କିଣା ସରିଲାଣି। ହାତରେ ଆଉ ୨୦–୩୦ ହଜାର କ୍ବିଣ୍ଟାଲ୍ ଧାନ କିଣିବା ପାଇଁ ରହିଛି। ପ୍ରାୟ ସବୁ ଚାଷୀଙ୍କ ଠାରୁ ଧାନ କିଣାଯାଇଛି। ଆସନ୍ତା ୧୪ ଦିନ ମଧ୍ୟରେ ବଳକା ଟୋକନ୍‌ ପାଇଥିବା ଚାଷୀଙ୍କ ଠାରୁ ଧାନ କିଣାଯିବ ବୋଲି ଆଶା ରଖାଯାଇଛି।

The post ଧାନ ଯନ୍ତ୍ରଣା : ଧାନ ବିକ୍ରି ଅପେକ୍ଷାରେ ହଜାର ହଜାର ଚାଷୀ first appeared on Sambad.



from ଜିଲ୍ଲା – Sambad https://ift.tt/3leKzDv