କଟକ : ଯେତେବେଳେ ଦୋକାନ ବଜାର, ଗାଡ଼ି ମଟର ଚଳାଚଳ ସବୁ କିଛି ବନ୍ଦ ଥିଲା, ରାସ୍ତା ଶୂନଶାନ ଥିଲା, ସେତେବେଳେ କଟକ ସହରରେ ବାହାରିଛି ସବୁଠୁ ଅଧିକ ଆବର୍ଜନା। ଜୀବନଯାତ୍ରା ସ୍ବାଭାବିକ ସମୟଠାରୁ ବି ଅଧିକ ଆବର୍ଜନା। ଆଉ ଏହି ଆବର୍ଜନା ଉଠାଇବା ପାଇଁ ଦାୟିତ୍ବରେ ଥିବା ଘରୋଇ ସଂସ୍ଥା ବିବିଜି ନେଇଛି ହାରାହାରି ଭାବେ ମାସକୁ ୨ କୋଟିରୁ ଅଧିକ ଟଙ୍କା। କଟକ ମହାନଗର ନିଗମରେ ଆବର୍ଜନା ଉଠାଇବାରେ ହୋଇଥିବା ଏହି ମହାଲୁଟ ଏବେ ସୂଚନା ଅଧିକାର ତଥ୍ୟ ଆଧାରରେ ସାମନାକୁ ଆସିଛି। ଅଳିଆ ଉଠାଉଥିବା ସଂସ୍ଥ‌‌ା ବିବିଜି ମେଟାଲ ପ୍ରାଇଭେଟ ଲିମିଟେଡ ନାମକ ସଂସ୍ଥା ସିଏମସି ଠାରୁ କେଉଁଭଳି ଆଖିରେ ଆଙ୍ଗୁଠି ଗେଞ୍ଜି ଟଙ୍କା ଲୁଟିବାକୁ ବସିଛି, ତାହା ଏବେ ଧରା ପଡିଛି।

ତଥ୍ୟ ଅନୁଯାୟୀ ଲକଡାଉନ ଯୋଗୁଁ ଦୋକାନ ବଜାର, ସପିଂ ମଲ ଓ ଅନ୍ୟ ଅନୁଷ୍ଠାନ, ଅଫିସ ସବୁ ବନ୍ଦ ଥିବାବେଳେ କଟକ ସହରରେ ଅଳିଆ ଆବର୍ଜନା କିନ୍ତୁ କମି ନଥିଲା। ଅର୍ଥାତ ଲକଡାଉନ ପୂର୍ବରୁ କଟକ ସହରରୁ ‌‌ଯେତିକି ଅଳିଆ ଆବର୍ଜନା ବାହାରୁଥିଲା କରୋନା ସମୟରେ ମଧ୍ୟ ସେତିକି ଆବର୍ଜନା ବାହାରୁଥିବା ସଂସ୍ଥା ଦାଖଲ କରିଥିବା ଏ ସଂପର୍କିତ ବିଲ୍‌ରୁ ଜଣାପଡିଛି। ରାଜ୍ୟ‌ରେ ମାର୍ଚ୍ଚ ୨୦ରୁ ଲକଡାଉନ ଘୋଷଣା ହୋଇଥିଲା। ଅର୍ଥାତ ଏପ୍ରିଲ ମାସରୁ ସେପ୍ଟେମ୍ବର ପର୍ଯ୍ୟନ୍ତ କଡା କଟକଣା ଥିଲା। ଏହି କଟକଣା ସମୟରେ ବିବିଜିର ଆବର୍ଜନା ଉଠା କିନ୍ତୁ କମି ନଥିଲା। ବରଂ ଗତ ବର୍ଷ ଅପେକ୍ଷା ବଢି ଯାଇଥିଲା। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ମୁତାବକ, ଲକଡାଉନ ସମୟ ୨୦୨୦ ଏପ୍ରିଲ ମାସରେ ସିଏମ୍‌ସି ବିବିଜି ଆବର୍ଜନା ବାବଦରେ ୧ କୋଟି ୯୩ ଲକ୍ଷ ନେଇଛି। ତୁଳନାତ୍ମକ ଭାବେ ୨୦୧୯ ଏପ୍ରିଲ ମାସରେ ବିବିଜି ୧ କୋଟି ୯୪ ଲକ୍ଷ ୪୩ ହଜାର ୯୩ ଟଙ୍କା ନେଇଥିଲା। ଅର୍ଥାତ ୨୦୧୯-୨୦ (ଏପ୍ରିଲ) ଲକଡାଉନ ମାସରେ ପାଖାପାଖି ସମାନ ପରିମାଣରେ ଆବର୍ଜନ‌ା ବାହାରିଛି। ଏହା କିଭଳି ସମ୍ଭବ ହେଲା ତାକୁ ନେଇ ପ୍ରଶ୍ନ ଉଠିଛି। ସେହିଭଳି ୨୦୨୦ ମେ ମାସ (ସଂପୂର୍ଣ୍ଣ ଲକଡାଉନ) ଥିବା ବେଳେ ବିବିଜି ଆବର୍ଜନା ବାବଦରେ ୨ କୋଟି ୧୩ ଲକ୍ଷ ୬୧ ହଜାର ଟଙ୍କା ବିଲ୍‌ କରିଛି। ୨୦୧୯ ମେ ମାସରେ ମଧ୍ୟ ବିବିଜି ପାଖାପାଖି ସମାନ ବିଲ୍‌ ଅର୍ଥାତ ୨ କୋଟି ୩୨ ଲକ୍ଷ ଟଙ୍କା କରିଛି। ଅର୍ଥାତ ମେ ମ‌ାସ ସମଗ୍ର ସହର ବନ୍ଦ ଥିବା ବେଳେ ବି ବିବିଜିର ଅଳିଆ ହାର ଯେତିକି କମିବା କଥା କମିନାହିଁ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ଲକଡାଉନ ସମୟ ଜୁଲାଇ ମାସରେ ସର୍ବାଧିକ ୨ କୋଟି ୩୩ ଲକ୍ଷ ଓ ଅଗଷ୍ଟରେ ୨ କୋଟି ୩୦ ଲକ୍ଷ ଟଙ୍କା ବିଲ୍ କରିଛି ବିବିଜି। ଲକଡାଉନ ସମୟ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ବିବିଜି ଆବର୍ଜନା ଉଠାଇବା ବାବଦରେ ମୋଟ ୧୨ କୋଟି ୮୬ ଲକ୍ଷ ଟଙ୍କା ବିଲ୍ ପୈଠ କରାଯାଇଛି। ପୂରା ସହର ବନ୍ଦ ଥିବା ବେଳେ ବିବିଜି ଏତେ ଅଳିଆ କେଉଁଠୁ ଆଣିଲା, କେଉଁ ଓଜନ କଣ୍ଟାରେ ଏହା ଓଜନ ହେଲା, କିଏ ଏହାକୁ ପ୍ରମାଣପତ୍ର ଦେଲା, କିଛି ନ ବୁଝି ସିଏମସି ସ୍ବାସ୍ଥ୍ୟ ଅଧିକାରୀ କିଭଳି ଏ ବିଲକୁ ପାସ କଲେ ତାହା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଆଖି ଆଗରେ ଜଳ ଜଳ ହୋଇ ଦିଶୁଥିବା ଏଭଳି ଭୟଙ୍କର ଲୁଟ୍‌ ଘଟଣାରେ ସିଏମସି କମିସନର କି ପ୍ରକାର ପଦକ୍ଷେପ ନେବେ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

The post କଟକ ମହାନଗରରେ ମହାଲୁଟ : ବନ୍ଦ ବେଳେ ଉଠିଛି ସବୁଠୁ ଅଧିକ ଆବର୍ଜନା first appeared on Sambad.



from ଜିଲ୍ଲା – Sambad https://ift.tt/3vge7oL