
କଟକ : କିଏ ଦୁଇ ସପ୍ତାହ ତ ପୁଣି କିଏ ୨୦ ଦିନ ଅପେକ୍ଷା କରୁଛି। ଏଞ୍ଜିଓଗ୍ରାମ୍, ଷ୍ଟେଣ୍ଟ୍ ହେଉ ବା ବେଲୁନିଙ୍ଗ… ଚିକିତ୍ସା ପାଇଁ ଏଭଳି ଦିନ ଦିନ ଅପେକ୍ଷା କରୁଛନ୍ତି ହୃଦ୍ରୋଗୀ। ସରକାରଙ୍କ ମାଗଣା ବ୍ୟବସ୍ଥା ପରେ ଏସ୍ସିବି ଦୃଦ୍ରୋଗ ବିଭାଗରେ ଅପେକ୍ଷାରେ ଯାଉଛି ରୋଗୀଙ୍କ ଜୀବନ। ଅନେକ ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳିଲାବେଳକୁ ସେମାନଙ୍କ ଅବସ୍ଥା ବି ସଙ୍କଟଜନକ ହୋଇପଡୁଛି। ହେଲେ, ଏସବୁ ଚିକିତ୍ସା ପାଇଁ ଦିନକୁ ଅତିକମ୍ରେ ୫୦ ରୋଗୀ ଅପେକ୍ଷା କରୁଥିବା ବେଳେ ୮ରୁ ୧୦ ରୋଗୀଙ୍କୁ ମିଳିପାରୁଛି ଚିକିତ୍ସା। ଗୋଟିଏପଟେ ବସିଥିବା କ୍ୟାଥ୍ ଲାବ୍ ପୁରୁଣା ହୋଇ ଆସୁଥିବାବେଳେ ୨ୟ କ୍ୟାଥ୍ ଲାବ୍ ଅଣାଯାଇପାରୁନି। ଏସ୍ସିବି ସମ୍ପ୍ରସାରଣ ଆଳରେ ଏହା ଅଟକିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଏସ୍ସିବି ହୃଦ୍ରୋଗ ବିଭାଗ ସ୍ବତନ୍ତ୍ରଭାବେ ରାଣୀହାଟ ଗେଟ୍ ପାଖରେ ରହିଛି। ସେଠାରେ ହୃଦ୍ରୋଗ ଓ ହୃଦ୍ବକ୍ଷଶଲ୍ୟ ବିଭାଗ ରହିଛି। ୨୦୧୦ରୁ ସ୍ବତନ୍ତ୍ରଭାବେ ହୃଦ୍ରୋଗୀଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସେହିଦିନଠାରୁ କ୍ୟାଥ୍ ଲାବ୍ କାର୍ଯ୍ୟକ୍ଷମ ହେଉଛି। ଏହି କ୍ୟାଥ୍ ଲାବ୍ କାର୍ଯ୍ୟକାରୀ ହେବା ସହ ବିଭିନ୍ନ ପରୀକ୍ଷା, ଅସ୍ତ୍ରୋପଚାର କରାଯାଉଛି। ସାଧରଣତଃ ଗୋଟିଏ କ୍ୟାଥ୍ ଲାବ୍ର ଆୟୁଷ ୧୦ବର୍ଷ ହୋଇଥିବାବେଳେ ଅତିବେଶୀରେ ଏହା ଅଧିକ ୨/୩ବର୍ଷ ଚାଲିଥାଏ। ହୃଦ୍ରୋଗ ବିଭାଗରେ ରୋଗୀ ସଂଖ୍ୟାକୁ ଦେଖି ଓ ତ୍ବରିତ ଚିକିତ୍ସା ପାଇଁ ୮ବର୍ଷ ହେବ ୨ୟ କ୍ୟାଥ୍ ଲାବ୍ କରିବା ପାଇଁ ଯୋଜନା ହୋଇଛି। ୧୦କୋଟି ଟଙ୍କାରେ ଏହି ବ୍ୟବସ୍ଥା କରାଯିବ। କିନ୍ତୁ ଏନେଇ ଟେଣ୍ଡର ହୋଇପାରୁନି। ୧୦କୋଟି ଟଙ୍କା ବ୍ୟୟରେ ଯଦି ୨ୟ କ୍ୟାଥ୍ ଲାବ୍ ବିଭାଗରେ କରାଯାଏ ଓ ସଂପ୍ରସାରଣ ଯୋଜନାରେ ହୃଦ୍ରୋଗ ବିଭାଗକୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଏ, ତା’ହେଲେ ଏହି ଲାବ୍ ପ୍ରତି ବିପଦ ହେବ। କାରଣ ସ୍ଥାନାନ୍ତରଣ ଦ୍ବାରା ଏହାର ଆୟୁଷ କମିଯିବ ବୋଲି କୁହାଯାଉଛି । ଏଭଳି ବିଭିନ୍ନ କାରଣ ପାଇଁ ଅଟକିଛି ଏହି କ୍ୟାଥ୍ ଲାବ୍। ସରକାର ଏ ଦିଗରେ ଗୁରୁତ୍ବର ସହ ଚିନ୍ତା ନକଲେ ରୋଗୀଙ୍କ ଯନ୍ତ୍ରଣା ବଢିଯିବ।
ଅନ୍ୟପକ୍ଷରେ, ହୃଦ୍ରୋଗୀଙ୍କ ସଂଖ୍ୟା ବଢୁଛି, କିନ୍ତୁ ଚିକିତ୍ସା ବ୍ୟବସ୍ଥା ଓ ଭିତ୍ତିଭୂମିର ଯେଉଁଭଳି ବିକାଶ କରାଯିବା କଥା, ତା’ ହୋଇପାରୁନି। ଯେଉଁଥିପାଇଁ ରାଜ୍ୟର କୋଣଅନୁକୋଣ ତଥା ରାଜ୍ୟ ବାହାରୁ ଆସୁଥିବା ରୋଗୀଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି। ଏହି ଦୀର୍ଘ ଅପେକ୍ଷା ଯୋଗୁ ସେମାନଙ୍କ ଜୀବନ ଚାଲି ଯାଉଥିବା ଦେଖିବାକୁ ମିଳୁଛି।
The post ଅପେକ୍ଷାରେ ଯାଉଛି ହୃଦ୍ରୋଗୀଙ୍କ ଜୀବନ first appeared on Sambad.
from ଜିଲ୍ଲା – Sambad https://ift.tt/2Ow0yR1
0 Comments