ବାଲେଶ୍ବର, (ମନୋଜ କୁମାର ରାଉଳ) : ବାଲେଶ୍ବର ଜିଲ୍ଲାରେ ସକ୍ରିୟ ରାଜନୈତିକ ଦଳଗୁଡ଼ିକରେ ବହୁ ନାରୀନେତ୍ରୀ ଆଗଧାଡ଼ିରେ ବସୁଥିବାବେଳେ ସେମାନଙ୍କ ମଧ୍ୟରୁ କିଛି ନାରୀନେତ୍ରୀ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇ ବି ସଫଳ ହୋଇ ପାରିନାହାନ୍ତି।

୯୦ ଦଶକରୁ ୨୦୦୦ ମସିହା ମଧ୍ୟରେ ଭୋଗରାଇରେ ତତ୍କାଳୀନ ବିଧାୟକ ଡକ୍ଟର କାର୍ତ୍ତିକେଶ୍ବର ପାତ୍ର ସଂସଦକୁ ନିର୍ବାଚିତ ହେଲେ। ନିର୍ବାଚନମଣ୍ଡଳୀ ଆସନ ଖାଲି ପଡ଼ିବାରୁ ତାଙ୍କ ପତ୍ନୀ ଉମାରାଣୀ ପାତ୍ର ଟିକେଟ ପାଇ ସେଠାରୁ ବିଧାୟିକା ଭାବେ ନିର୍ବାଚିତ ହେଲେ। ସେହିପରି ସୋର ନିର୍ବାଚନମଣ୍ଡଳୀ ବିଧାୟକ କାର୍ତ୍ତିକ ମହାପାତ୍ର ବାଲେଶ୍ବର ସାଂସଦ ଭାବେ ନିର୍ବାଚିତ ହେବା ପରେ ସେଠାରୁ ତାଙ୍କ ପତ୍ନୀ ଇନ୍ଦୁରାଣୀ ମହାପାତ୍ରଙ୍କୁ ରାଜନୈତିକ ଉତ୍ତରାଧିକାରୀ ସୂତ୍ରରେ ବିଧାୟକ ଟିକେଟ ପ୍ରଦାନ କରାଯାଇଥିଲା। ଏହି ଦୃଷ୍ଟିରୁ ସେମାନେ ବିଧାନସଭାକୁ ନିର୍ବାଚିତ ହେବାର ସୁ‌ଯୋଗ ପାଇଥିଲେ। ତେବେ ଏ କ୍ଷେତ୍ରରେ ବ୍ୟତିକ୍ରମ ଥିଲେ ଭୋଗରାଇର ଟାଣୁଆ ନେତ୍ରୀ ଡାକ୍ତର କମଳା ଦାସ। ୧୯୯୦ ମସିହାରୁ ୨୦୦୪ ପର୍ଯ୍ୟନ୍ତ ସେ ଜନତା ଦଳରୁ ଟିକେଟ ପାଇ ଲଗାତାର ଜିତି ମନ୍ତ୍ରୀ ହେବାର ବିରଳ ସୁଯୋଗ ପାଇଥିଲେ। କିନ୍ତୁ ତାଙ୍କ ପରଠୁ ଆଜିଯାଏ ଜିଲ୍ଲାରୁ କେହି ଜଣେ ହେଲେ ନାରୀନେତ୍ରୀ ବିଧାନସଭା କିମ୍ବା ସଂସଦକୁ ନିର୍ବାଚିତ ହୋଇ ପାରିନାହାନ୍ତି।

ନିକଟ ଅତୀତ‌ରେ ନୀଳଗିରି ବିଧାନସଭା ଆସନରେ ସୁଷମା ବିଶ୍ବାଳ (ବିଜେପି), ରାଣୀ ମନୋଜାମଂଜରୀ ଦେବୀ (କଂଗ୍ରେସ), ବାଲେଶ୍ବର ସଦର ଆସନରେ ମମତା କୁଣ୍ଡୁ (କଂଗ୍ରେସ), ଅର୍ଚ୍ଚନା ନନ୍ଦୀ (ଏଆଇଟିସି) ଏବଂ ବସନ୍ତଲତା ପଟ୍ଟନାୟକ (ସ୍ବାଧୀନ) ବିଧାୟିକା ପ୍ରାର୍ଥୀ ଭାବେ ଟିକେଟ ପାଇଛନ୍ତି। କିନ୍ତୁ ଏମାନଙ୍କ ମଧ୍ୟରୁ କେହି ନିଜ ସପକ୍ଷରେ ଜନମତ ଜୁଟାଇ ପାରିନାହାନ୍ତି।

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ଜନସଂଖ୍ୟା ୨୩ ଲକ୍ଷରୁ ଉର୍ଦ୍ଧ୍ବରେ ପହଞ୍ଚିଥିବା ବେଳେ ସେଥିରୁ ପାଖାପାଖି ଅଧା ହେଉଛନ୍ତି ମହିଳା। ମତାଦାତା ହାରରେ ମଧ୍ୟ ପୁରୁଷ ଓ ମହିଳାଙ୍କ ସଂଖ୍ୟା ପ୍ରାୟ ସମାନ। ସେଥିଲାଗି ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି କେନ୍ଦ୍ର ସରକାର ମହିଳା ସଂରକ୍ଷଣ ଏବଂ ନାରୀ ସଶକ୍ତୀକରଣ ପ୍ରତି ବିଶେଷ ଗୁରୁତ୍ବ ଦେଉଥିବା ବେଳେ ସବୁଥିରେ ସେମାନଙ୍କୁ ସମାନ ଅଧିକାର ଦିଆଯାଉଛି। ଏହି କ୍ରମରେ ତୃଣମୂଳସ୍ତରରେ ମହିଳାମାନେ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ପରିଷଦ କ୍ଷେତ୍ରରେ ଯେଉଁଭଳି ସଫଳତା ହାସଲ କରୁଛନ୍ତି, ବିଧାନସଭା, ସଂସଦରେ ସେମାନଙ୍କୁ ସେପ୍ରକାର ସଫଳତା ମିଳୁନାହିଁ।

ପ୍ରଶ୍ନ ଉଠୁଛି, ବାଲେଶ୍ବର ରାଜନୀତିରେ ନାରୀଶକ୍ତିକୁ ଅବହେଳା କରାଯାଉଛି ନା ସେମାନଙ୍କ ଭିତରେ ନେତୃତ୍ବ ନେବାର ଅଭାବ ରହିଛି, ସେ ସମ୍ପର୍କରେ ଏବେ ଚିନ୍ତା କରିବାର ବେଳ ଆସିଛି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

The post ବାଲେଶ୍ବର ରାଜନୀତିରେ ନାରୀଶକ୍ତି : କମଳାଙ୍କ ପରେ ସୁଯୋଗ ନାହିଁ first appeared on Sambad.



from ଜିଲ୍ଲା – Sambad https://ift.tt/38gOD0s