
ନୟାଗଡ଼ : ନୟାଗଡ଼ ଜିଲ୍ଲାର କୁଖ୍ୟାତ ଅଭିଯୁକ୍ତ ପ୍ରଭାତ କୁମାର ରାଉତ ଓରଫ୍ ପାଙ୍ଗା(୩୫)କୁ ଲୋକେ ପିଟିପିଟି ମାରିଦେଇଛନ୍ତି। ଏଭଳି ଏକ ଲୋମଟାଙ୍କୁରା ଘଟଣା ନୟାଗଡ଼ ସଦର ଥାନା ଜାମୁବଣ ରାସ୍ତାରେ ଘଟିଛି। ପାଙ୍ଗା ନୟାଗଡ଼ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଥାନାର ପୁଲିସ ଟାର୍ଗେଟ୍ରେ ଥିଲା। ତେବେ ସୋମବାର ସକାଳୁ ସକାଳୁ ନୟାଗଡ଼ ସଦର ଥାନା ଅଞ୍ଚଳର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଲୁଟ୍ କରିବା ପାଙ୍ଗା ପାଇଁ ମହଙ୍ଗା ପଡ଼ିଥିଲା। ପାଙ୍ଗା ହତ୍ୟା ମାମଲରେ ପୁଲିସ ୪ ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।

ପାଙ୍ଗାର ଘର ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଡିମିସର ଗ୍ରାମରେ। ଓଡ଼ଗାଁ ଥାନାରେ ପାଙ୍ଗା ନାମରେ ୧୦ରୁ ଅଧିକ ମାମଲା ରହିଥିବା ବେଳେ, ରାଜ୍ୟର ବିଭିନ୍ନ ସ୍ଥାନରେ ଡକାୟତି, ଚୋରି, ରାହାଜାନା, ଲୁଟ୍ ଭଳି ମାମଲାର ତା’ର ସଂପୃକ୍ତ ଥିଲା ବିଭିନ୍ନ ଥାନରେ ତା’ ନାମରେ ୫୦ରୁ ଅଧିକ ମାମଲା ରହିଛି। ତେବେ ସୋମବାର ଦିନ ସକାଳୁ ସକାଳୁ ନୟାଗଡ଼ ସଦର ଥାନା ଅଧୀନ ବାରବାଟୀ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଅରକ୍ଷିତ ଭଟ୍ଟ ପ୍ରାତଃଭ୍ରମଣରେ ବାହାରିଥିଲେ। ସ୍ଥାନୀୟ ଜାମୁବଣ ରାସ୍ତାରେ ନିୟମିତ ପ୍ରାତଃଭ୍ରମଣରେ ଯିବା ଭଳି ଶ୍ରୀ ଭଟ୍ଟ ଆଜି ମଧ୍ୟ ଯାଇଥିଲେ। ଏହି ନିଛାଟିଆ ରାସ୍ତାରେ ପାଙ୍ଗା ହାବୁଡ଼ରେ ଶ୍ରୀ ଭଟ୍ଟ ପଡ଼ିଥିଲେ। ଅଭିଯୁକ୍ତ ପାଙ୍ଗା ଶ୍ରୀ ଭଟ୍ଟଙ୍କ ଠାରୁ ମୋବାଇଲ୍ , ସୁନା ଚେନ୍ ଆଦି ଲୁଟି ନେଇ ତାଙ୍କୁ ଧକ୍କା ମାରି ଚାଲିଯାଉଥିଲା। ଶ୍ରୀ ଭଟ୍ଟ ଏହାର ପ୍ରତିବାଦ କରି ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଜମା ହୋଇଯାଇଥିଲେ। ସ୍ଥାନୀୟ ଲୋକେ ପାଙ୍ଗାକୁ କାବୁ କରି ବାରବାଟୀ ଗ୍ରାମକୁ ଆଣିଥିଲେ। ଏହି ଲୁଟେରା ପାଙ୍ଗା ବୋଲି ଜଣାପଡ଼ିବାରୁ ଲୋକଙ୍କ ରାଗ ଚରମ ସୀମରେ ପହଞ୍ଚିଥିଲା। ଫଳରେ ସେଠାରେ ତାକୁ ଗଛରେ ବାନ୍ଧି ନିର୍ଧୂମ ମାଡ଼ ମାରିଥିବା ଜଣାପଡ଼ଛି। ଲୋକଙ୍କ ମାଡ଼ରେ ପାଙ୍ଗାର ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଖବର ପାଇ ସକାଳ ପ୍ରାୟ ୮ଟାରେ ପାଙ୍ଗାକୁ ସଦର ଥାନା ପୁଲିସ ଟିମ୍ ପହଞ୍ଚି ଉଦ୍ଧାର କରିଥିଲା। ଗୁରୁତର ଅବସ୍ଥାରେ ଆଣି ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ତେବେ ଡାକ୍ତର ପାଙ୍ଗାକୁ ମୃତ ଘୋଷଣା କରିଛନ୍ତି।
ଖବର ଲେଖା ହେବା ପର୍ଯ୍ୟନ୍ତ ପାଙ୍ଗାର ଶବ ଚିକିତ୍ସାଳୟରେ ପଡ଼ିରହିଥିବା ଜଣାପଡ଼ିଛି। ଶବ ବ୍ୟବଚ୍ଛେଦ ନିମନ୍ତେ ତା’ର ପରିବାରକୁ ପୁଲିସ ଅପେକ୍ଷା କରିଥିବା ଜଣାପଡ଼ିଛି। ତେବେ ସ୍ଥାନୀୟ ଲୋକଙ୍କ ଅତ୍ୟଧିକ ମାଡ଼ ପାଙ୍ଗାର ମୃତ୍ୟୁର କାରଣ ବୋଲି ଏସ୍ପି ସିଦ୍ଧାର୍ଥ କଟାରିଆ ଗଣମାଧ୍ୟମକୁ କହିଛନ୍ତି। ସଦର ଥାନା ପୁଲିସ ଏନେଇ ଅଧିକ ତଦନ୍ତ କରୁଥିବା ଆଇଆଇସି ଶରତଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।
The post ଅବସରପ୍ରାପ୍ତ ଶିକ୍ଷକଙ୍କୁ ଲୁଟ୍ ମହଙ୍ଗା ପଡ଼ିଲା : କୁଖ୍ୟାତ ପାଙ୍ଗାକୁ ପିଟି ପିଟି ମାରିଦେଲେ first appeared on Sambad.
from ଜିଲ୍ଲା – Sambad https://ift.tt/305a3ct
0 Comments