ମହାକାଳପଡ଼ା : ପ୍ରେମ ସମ୍ପର୍କକୁ କେନ୍ଦ୍ରକରି କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ମହାକାଳପଡ଼ା ବ୍ଲକ ଖୁରୁସିଆ ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ସମ୍ପର୍କୀୟଙ୍କ ମାଡ଼ରେ ନାବାଳିକା କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ରାତାରାତି ଶବକୁ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ତେବେ, ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ନାବାଳିକାଜଣଙ୍କ ଏହି ବର୍ଷ ଯୁକ୍ତ ୨ରେ ଆଡମିସନ୍‌ କରିଛନ୍ତି। ତାଙ୍କ ଘର ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳରେ ହୋଇଥିବାବେଳେ ସେ ଏଠାରେ ମାମୁଁଘରେ ରହି ପଢୁଥିଲେ। ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଗତକାଲି ରାତିରେ ଘର ପାଖରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା। ବିଳମ୍ବିତ ରାତିରେ ଯୁବକଜଣଙ୍କ ନାବାଳିକାଙ୍କ ନିକଟକୁ ଆସି କଥାବାର୍ତ୍ତା କରୁଥିଲେ। ନାବାଳିକାଙ୍କ ସମ୍ପର୍କୀୟମାନଙ୍କ ନଜରରୁ ସେ ବର୍ତ୍ତି ପାରି ନ ଥିଲେ। ଯୁବକଜଣଙ୍କ ସେଠାରୁ ପଳାଇ ଯାଇଥିବାବେଳେ ସମ୍ପର୍କୀୟମାନେ ନାବାଳିକାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଏଥିରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ଏ ସମ୍ପର୍କରେ କାହାରିକୁ ନ ଜଣାଇ ସମ୍ପର୍କୀୟମାନେ ରାତାରାତି ଗାଁ ଶ୍ମଶାନରେ ମୃତଦେହ ପୋଡ଼ି ଦେଇଥିଲେ।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଯୁବକଜଣଙ୍କ ଅନ୍ୟ ଜାତିର ହୋଇଥିବାରୁ ପ୍ରେମ ସମ୍ପର୍କକୁ ନାବାଳିକାଙ୍କ ସମ୍ପର୍କୀୟମାନେ ବିରୋଧ କରୁଥିଲେ।

The post ପ୍ରେମ ବ୍ୟାପାର : ସମ୍ପର୍କୀୟଙ୍କ ମାଡ଼ରେ ନାବାଳିକା ଛାତ୍ରୀ ମୃତ first appeared on Sambad.



from ଜିଲ୍ଲା – Sambad https://ift.tt/3qbJ4GJ