
ଯୁଯୁମୁରା: ଗତରାତି ପ୍ରାୟ ସାଢ଼େ ଦୁଇଟା ବେଳେ ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ପେଟ୍ରୋଲ୍ ପମ୍ପ୍ ପାଖରେ ଗୋଟାଏ ଟ୍ରକ୍ ଓ ଗୋଟାଏ ମିନି ଟ୍ରକ୍ ପରସ୍ପର ସହ ଧକ୍କା ଖାଇବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।
ମୃତ ବ୍ୟକ୍ତିଜଣକ ହେଉଛନ୍ତି ଦୁର୍ଘଟଣାଗ୍ରସ୍ତ ମିନି ଟ୍ରକ୍ର ଚାଳକ ୩୪ ବର୍ଷିୟ ମାହିର ହୁସେନ୍। ମାହିରଙ୍କ ଘର ଉତ୍ତର ପ୍ରଦେଶ ରାଜ୍ୟର ବସ୍ତି ଜିଲ୍ଲା ଅଞ୍ଚଳ ମୁଦ୍ରା ଥାନା ଅନ୍ତର୍ଗତ ବଙ୍କାସାହିରେ।
ହସ୍ତଗତ ହୋଇଥିବା ସୂଚନା ଅନୁସାରେ, ଏମ୍ଏଚ୍୦୩ସିଭି୭୨୦୨ ନମ୍ବରଧାରୀ ମିନି ଟ୍ରକ୍ଟି କଟକ ଅଭିମୁଖେ ଯାତ୍ରା କରୁଥିଲା। ପେଟ୍ରୋଲ୍ ପମ୍ପ୍ ପାଖାପାଖି ହୋଇଥିବା ବେଳେ ରାଜପଥର ବିପରୀତ ଦିଗରୁ ଆସୁଥିବା ଓଡି୧୯ଏନ୍୭୭୫୭ ନମ୍ବରବିଶିଷ୍ଟ ଏକ ଟ୍ରକ୍ ଉକ୍ତ ମିନି ଟ୍ରକ୍କୁ ଧକ୍କା ଦେଇ ରାସ୍ତା ଧାରକୁ ଚାଲିଯାଇଥିଲା। ଟ୍ରକ୍ ଧକ୍କା ଖାଇ ମିନି ଟ୍ରକ୍ର ସମ୍ମୁଖ ଅଂଶ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ବେଳେ ତାହାର ଚାଳକ ମାହିର ଭିତରେ ଚାପି ହୋଇ ମରିଯାଇଥିଲେ।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ଯୁଯୁମୁରା ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି କଟର୍ଦ୍ୱାରା ମିନି ଟ୍ରକ୍ର ଭଙ୍ଗାରୁଜା ଅଂଶକୁ କାଟି ଚାଳକଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି।
ଦୁର୍ଘଟଣା ଘଟାଇଥିବା ଉଭୟ ଗାଡ଼ିକୁ ଜବତ କରି ପୁଲିସ ଏକ ମାମଲା ରୁଜୁ କରିଛି।
The post ଯୁଯୁମୁରା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥରେ ଟ୍ରକ୍-ମିନି ଟ୍ରକ୍ ଧକ୍କା: ମିନି ଟ୍ରକ୍ ଚାଳକ ମୃତ first appeared on Sambad.from ଜିଲ୍ଲା | Sambad https://ift.tt/3c2tLwx
0 Comments