କଟକ : ଅଦାଲତ ଅବମାନନା ମାମଲାର ଶୁଣାଣି ସମୟରେ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ବ୍ୟକ୍ତିଗତ ଭାବେ ହାଜର ହୋଇ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଦୁଇ ଦିନ ଭିତରେ ପାଳନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ହାଇକୋର୍ଟ ଏଥିପାଇଁ ଉଚ୍ଚଶିକ୍ଷା ସଚିବଙ୍କୁ ଅନୁମତି ଦେବା ସହିତ ଦୁଇ ଦିନ ଭିତରେ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ସଚିବ ବ୍ୟକ୍ତିଗତ ଭାବେ ହାଜର ହୋଇ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇଥିବା ନେଇ ସତ୍ୟପାଠ ଦାଖଲ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୬ ତାରିଖକୁ ଧାର୍ଯ୍ୟ କରାଯାଇଛି। ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଜୟପାଟଣାର ଇନ୍ଦ୍ରାବତୀ ମହାବିଦ୍ୟାଳୟ ଓ ନବରଙ୍ଗପୁରର ଇନ୍ଦ୍ରାବତୀ ପ୍ରୋଜେକ୍ଟ କଲେଜର ଅଧ୍ୟାପକ ଓ କର୍ମଚାରୀଙ୍କ ପକ୍ଷରୁ ଅଗତ ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୯୪ ଗ୍ରାଣ୍ଟ୍-ଇନ୍-ଏଡ୍ ଅନୁସାରେ ଦରମା ଓ ଅନ୍ୟାନ୍ୟ ପ୍ରାପ୍ୟ ପ୍ରଦାନ ପ୍ରସଂଗକୁ ନେଇ ୨୦୧୦ରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୧୫, ଏପ୍ରିଲ ୧୬ରେ ହାଇକୋର୍ଟ ମାମଲାର ଶୁଣାଣି କରି ଆବେଦନକାରୀଙ୍କ ଦାବି ପ୍ରସଂଗରେ ବିଚାର କରି ନିଷ୍ପତ୍ତି ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ଆବେଦନକାରୀ ଅଦାଲତ ଅବମାନନା ମାମଲା ଦାୟର କରିଥିଲେ। ଉଚ୍ଚଶିକ୍ଷା ସଚିବ ଜବାବରେ ଦର୍ଶାଇଥିଲା ଯେ ଆବେଦନକାରୀଙ୍କୁ ୨୦୧୪ ବ୍ଲକ୍ ଗ୍ରାଣ୍ଟ ଆଧାରରେ ଦରମା ପ୍ରଦାନ କରାଯିବ। ଏହି ପ୍ରସଂଗରେ ଅଦାଲତଙ୍କ ନିର୍ଦ୍ଦେଶ ପାଳନରେ ଅବହେଳା ଅଭିଯୋଗରେ ଉଚ୍ଚଶିକ୍ଷା ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ କାରଣ ଦର୍ଶାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ବାରମ୍ବାର ନିର୍ଦ୍ଦେଶ ସତ୍ତ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଉ ନଥିବାରୁ ଅଦାଲତ ଅବମାନନା ମାମଲାର ଶୁଣାଣି ସମୟରେ ଖଣ୍ଡପୀଠ ଅସନ୍ତୋଷବ୍ୟକ୍ତ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ମାମଲା ପରିଚାଳନା କରୁଛନ୍ତି।

The post ଅଦାଲତ ଅବମାନନା ମାମଲା : ଉଚ୍ଚଶିକ୍ଷା ସଚିବ ବ୍ୟକ୍ତିଗତ ହାଜର first appeared on Sambad.

from ଜିଲ୍ଲା | Sambad https://ift.tt/39x2yjM