କୋରାପୁଟ : ଭୟ ଏବଂ ସଂଘର୍ଷର ବର୍ଷ ଥିଲା ୨୦୨୦। ଠିକ୍ ବର୍ଷକ ତଳେ ରାଜ୍ୟର ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ପରେ ଖେଳି ଯାଇଥିଲା ଆତଙ୍କ। ଯଦିଓ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ସେତେବେଳକୁ ନିରାପଦ ଜୋନ୍‌ରେ ରହିଥିଲା। ଏପ୍ରିଲ୍ ମାସ ଶେଷ ଆଡ଼କୁ ଅର୍ଥାତ ୨୭ତାରିଖ ଦିନ କୋଲକତାରୁ ଫେରିଥିବା ଜଣେ ଯୁବକ ଜିଲ୍ଲାର ପ୍ରଥମ ସଂକ୍ରମିତ ଭାବେ ଚିହ୍ନଟ ହୋଇଥିଲେ। ଏହାପରେ ଜିଲ୍ଲାର ବିଭିନ୍ନ ଭାଗକୁ ମାଡ଼ି ଚାଲିଥିଲା ମାରାତ୍ମକ ଭୂତାଣୁ କରୋନା। ଯଦି ଆଜି ସୁଦ୍ଧା ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରାଯିବ ତେବେ ମୋଟ ୭୮୯୮ଜଣ ସଂକ୍ରମିତ ହୋଇ ସାରିଲେଣି। ସେଥିରୁ ୭୮୭୯ଜଣ ଏହି ମହାମାରୀକୁ ହରାଇ ସାରିଥିବା ବେଳେ ୪ଜଣ ଚିକିତ୍ସାଧୀନ ରହିଛନ୍ତି। ଜିଲ୍ଲାର ମୋଟ ୧୬ଜଣ ଏହି ମହାମାରୀ ପ୍ରଭାବରେ ପ୍ରାଣ ହରାଇଛନ୍ତି।

ଗତ ୩ମାସର ସଂକ୍ରମଣ ହାରକୁ ଦେଖିଲେ ଜିଲ୍ଲାରେ ପରିସ୍ଥିତି ନିୟନ୍ତ୍ରଣାଧୀନ। କିନ୍ତୁ ପଡ଼ୋଶୀ ରାଜ୍ୟ ସହ କିଛି ରାଜ୍ୟରେ ବଢ଼ୁଥିବା ସଂକ୍ରମଣ ହାର କୋରାପୁଟ ଜିଲ୍ଲା ପାଇଁ ଚିନ୍ତା ବଢ଼ାଇ ଦେଇଛି। ଯଦି ଆରମ୍ଭରୁ କୋରାପୁଟ ଜିଲ୍ଲାର ସ୍ଥିତିର ଅନୁଧ୍ୟାନ କରି‌ବା ତେବେ ପ୍ରଥମ ୩ମାସ କାଁ ଭାଁ କେଉଁଠି ସଂକ୍ରମିତ ଚିହ୍ନଟ ହେଉଥିଲେ। ତାହା ବି ବାହାରୁ ଫେରୁଥିବା ବ୍ୟକ୍ତି ସଂକ୍ରମିତ ଚିହ୍ନଟ ହେଉଥିଲେ, ସ୍ଥାନୀୟ ସଂକ୍ରମଣ ପ୍ରାୟ ନଥିଲା। ଜୁନ୍‌ରୁ ନଭେମ୍ବର ମାସ ମଧ୍ୟରେ ଦ୍ରୁତଗତିରେ ମାଡ଼ି ଚାଲିଥିଲା ସଂକ୍ରମଣ। ଏପ୍ରିଲ ୨୭ ତାରିଖରୁ ସେପ୍ଟମ୍ବର ୨୬ତାରିଖ ମଧ୍ୟରେ ପ୍ରଥମ ୬ମାସରେ ଜିଲ୍ଲାରେ ୫୯୫୨ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେଥିରୁ ୫ହଜାର ସଂକ୍ରମଣ କେବଳ ମେ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ଚିହ୍ନଟ ହୋଇଥିଲେ। ଅପରପକ୍ଷରେ ଗତବର୍ଷ ସେପ୍ଟମ୍ବର ୨୭ତାରିଖ ଚଳିତ ମାସ ଆଜି ସୁଦ୍ଧା ଜିଲ୍ଲାରେ ୧୯୪୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି ଗତବର୍ଷ ସେପ୍ଟେମ୍ବର ମାସ ୧୯ ତାରିଖ ସୁଦ୍ଧା ଜିଲ୍ଲାକୁ ମୋଟ ୨୨୮୫ଜଣ ପ୍ରବାସୀ ଶ୍ରମିକ ଫେରିଥିଲେ। ସେଥିରୁ ଆନ୍ଧ୍ରରୁ ୯୮୬ ଜଣ, ତେଲେଙ୍ଗାନାରୁ ୪୨୮, ତାମିଲନାଡ଼ୁରୁ ୨୨୨, ପଶ୍ଚିମବଙ୍ଗରୁ ୧୧୮ଜଣ, ମହାରାଷ୍ଟ୍ରରୁ ୯୭ଜଣ, କେରଳରୁ ୯୦, ଛତିଶଗଡ଼ରୁ ୮୮, କର୍ଣ୍ଣାଟକରୁ ୮୧, ପଞ୍ଜାବରୁ ୫୮ଜଣ, ବିହାରରୁ ୩୫, ମଧ୍ୟପ୍ରଦେଶରୁ ୨୬, ଝରଖଣ୍ଡରୁ ୨୩, ଉତ୍ତରପ୍ରଦେଶରୁ ୧୬, ଆଣ୍ଡାମାନ ଓ ନିକୋବରରୁ ୬, ଦିଲ୍ଲୀରୁ ୫, ହରିୟଣାରୁ ଓ ପୁଡୁଚେରିରୁ ୨ଜଣ ଲେଖାଏଁ, ଗୁଜରାଟ ଓ ତ୍ରିପୁରାରୁ ଜଣେ ଲେଖାଏଁ ପ୍ରବାସୀ ଶ୍ରମିକ ଜିଲ୍ଲାକୁ ଆସିଥିଲେ। ତେବେ ଏହାପରେ ବି ପ୍ରବାସୀ ଜିଲ୍ଲାକୁ ଫେରିଥିବା ବେଳେ ମୋଟ ୧୨୦୬୫ଜଣ ଶ୍ରମିକ ଫେରିଥିବା ଜଣାପଡ଼ିଛି। ସେପ୍ଟେମ୍ବର ପରେ ୯ହଜାରରୁ ଊର୍ଦ୍ଧ୍ବ ପ୍ରବାସୀ ଫେରିଥିଲେ ବି ସଂକ୍ରମଣ ହାରରେ ସେହି ତୁଳନାରେ କୌଣସି ପ୍ରକାର ବୃଦ୍ଧି ହୋଇ ନଥିଲା। ତେଣୁ ଗତ ୬ମାସ ମଧ୍ୟରେ ଆଶାତୀତ ଭାବେ ସଂକ୍ରମଣ କମିବା ଜିଲ୍ଲା ପାଇଁ ଆଶ୍ବସ୍ତ ଆଣିଛି। ତଥାପି ଭୟ ସଂପୂର୍ଣ୍ଣ କମିନି।

The post କରୋନା ବିଭୀଷିକା : ଭୟ ବଢ଼ାଇଥିଲା ପ୍ରଥମ ୬ମାସ first appeared on Sambad.



from ଜିଲ୍ଲା – Sambad https://ift.tt/3lktYhp