ବାଲିପାଟଣା: ବାଲିପାଟଣା ଅଞ୍ଚଳର ସର୍ବପୁରାତନ ଦୋପଟ୍ଟୀ ମେଳଣ ଆରମ୍ଭ ହୋଇଛି। ବ୍ରିଟିଶ ଅମଳରୁ ଏହି ମେଳଣ ଅନୁଷ୍ଠିତ ହୋଇ ଆସୁଛି। ଚଳିତ ବର୍ଷ କରୋନା କଟକଣାରେ ଠାକୁରଙ୍କ ଜମାଣ ହୋଇଥିଲା। ପ୍ରଶାସନର ନିର୍ଦେଶ କ୍ରମେ ଡିଜେ , ବାଣ ବନ୍ଦ ହୋଇଥିଲା। ତେଣୁ ଜମାଣ ଶୋଭାଯାତ୍ରା ଫିକା ପଡ଼ିଥିଲା।

ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ୧୮୬୫ ମସିହାରେ ଇଂରେଜ ଶାସନ କାଳରୁ ପ୍ରତିଷ୍ଠା ହୋଇଛି। ଏହା ସର୍ବ ପୁରାତନ ଥାନା ଅଟେ। ଥାନାରେ ନିୟୋଜିତ ତତ୍କାଳୀନ ଦାରୋଗା ସାହେବ ବା ଡ଼େପୁଟ୍ଟୀ ସାହେବ ଏହି ମେଳଣ ଆରମ୍ଭ କରିଥିଲେ। ତେଣୁ ଏହି ମେଳଣକୁ ଦୋପଟ୍ଟୀ ମେଳଣ କୁହାଯାଏ। ଗତ ରାତିରୁ ଠାକୁରଙ୍କ ସୁସଜ୍ଜିତ ଵିମାନ ଗୁଡିକ ମେଳଣ ତୋଟାକୁ ଆସିଥିଲେ। ଏଠାକୁ ବାଲିପାଟଣା ଓ ବାଲିଅନ୍ତା ବ୍ଲକର ୨୦ ଦୋଳ ଆସନ୍ତି।  ଗାରେଡିପାଞ୍ଚଣ ଗ୍ରାମର ଶ୍ରୀ ଶ୍ରୀ ବୁଦ୍ଧନାଥ ମହାଦେବ ଦୋପଟ୍ଟୀ ମେଳଣ ଥାନପତି ଅଟନ୍ତି। ସରାଟ ନୀଳକଣ୍ଠେଶ୍ୱର ମହାଦେବ ଏବଂ ଗୋପିନାଥ , ସଠିଲୋ ଚମ୍ପେଶ୍ୱର ମହାଦେବ , ଚଣାହଟ୍ଟା ରାଧାଗୋବିନ୍ଦ , ଶିଶୁମଠ ସାହିର ମଦନ ମୋହନ , କୁଳନ୍ତିରା ଶାସନ/ବାରିଲୋ/ବ୍ରାହ୍ମଣ ଷଢଙ୍ଗୀର /ଗିରିଙ୍ଗ/ତରଡ଼ପଡାର ଗୋପୀନାଥ ଦେବ , ବାରିଲୋ ରାଧାମାଧବ , ଫକୀରପଡାର ରାଧା ମୋହନ ଦେବ , କାକରଦ୍ରପୁରର ପତିତପାବନ ଦେବ , ସାହେବନଗର ହରିଦାସ ଦେବ ମେଳଣକୁ ଆସନ୍ତି।

ମଧ୍ୟ ରାତ୍ରରୁ ଜମାଣ ଆରମ୍ଭ ହୁଏ।  ଲାଇଟ , ଡିଜେ , ବାଜା , ଶିଂଗା ବାଜା , ସମ୍ବଲପୁରୀ ବାଜା , ଘୋଡ଼ା ନାଚ , ଘଣ୍ଟ , ବଗଵଗୁଳଲି ନୃତ୍ୟ , ଷଣ୍ଢ ନାଚ ପ୍ରଭୃତି ଦେଖିବାକୁ ମିଳେ| ଚଳିତ ବର୍ଷ ଡିଜେ ଓ ବାଣ ସମ୍ପୂର୍ଣ ନିଷେଧ କରାଯାଇଥିଲା। ସେହିପରି ଲକ୍ଷାଧିକ ଟଙ୍କାର ଭଳିକି ଭଳି ଆତସବାଜି ବାଣ ଦେଖିବାକୁ ମିଳି ନ ଥିଲା। ଜମାଣ ଦେଖିବାକୁ କମ ଲୋକ ଆସିଥିଲେ। ସନ୍ଧ୍ୟାରେ ଲଉଡ଼ି ଖେଳ ଅନୁଷ୍ଠିତ ହେବ। ଠାକୁରଙ୍କ ହରିହର ଭେଟ ହୋଇ ମେଳଣ ଉଦଯାପିତ ହେବ। ଦୋକାନ ବଜାର ବସିବ ନାହିଁ ବୋଲି ପ୍ରଶାସନ ଆଗୁଆ ସତର୍କ କରିଛି। ଭିଡ଼ ନ ଜମାଇ ସାମଜିକ ଦୂରତାରେ ଠାକୁରଙ୍କୁ ଦର୍ଶନ କରିବାର ବନ୍ଦୋବସ୍ତ ହୋଇଛି।

The post କରୋନା କଟକଣାରେ ଆରମ୍ଭ ହେଲା ବାଲିପାଟଣା ଅଞ୍ଚଳର ସର୍ବପୁରାତନ ଦୋପଟ୍ଟୀ ମେଳଣ ଜମାଣ first appeared on Sambad.

from ଜିଲ୍ଲା | Sambad https://ift.tt/3rnwFAa