
ସମ୍ବଲପୁର : ଫେସ୍ବୁକ୍ରେ ଦିଆଯାଇଥିଲା ବିଜ୍ଞାପନ। ବଡ଼ ପରିମାଣର ମାସ୍କ ମଗାଇଲେ ମିଳିବ ବଡ଼ ରିହାତି। କରୋନା ଆରମ୍ଭ ହୋଇସାରିତିଲା। ବଜାରରେ ମାସ୍କର ଘୋର ଅଭାବ ଥିଲା। ଯେଉଁଠି ଦେଖିଲେ କଳାବଜାର ହିଁ କଳାବଜାର। ବର୍ତ୍ତମାନ ୧୦ ଟଙ୍କାରେ ମିଳୁଥିବା ମାସ୍କ ସେତେବେଳେ ୩ ଶହ ଟଙ୍କାରେ ବିକ୍ରି ହେଉଥିଲା। ବଜାରରେ ମାସ୍କର ଚାହିଦାକୁ ନଜରରେ ରଖି ଧନୁପାଲି ଥାନା ଅଧୀନ ସୁନାପାଲି ଅଞ୍ଚଳର ମନୋଜ କୁମାର ବରାଦୋଙ୍କ ବଡ଼ ରିହାତି ମିଳୁଥିବାରୁ ମାସ୍କ ଅର୍ଡର କରିବାକୁ ଭାବିଥିଲେ। ମନୋଜ ଆମଦାନି-ରପ୍ତାନୀ ବ୍ୟବସାୟ କରନ୍ତି। ଫେସ୍ବୁକ୍ରେ ବିଜ୍ଞାପନ ଦେଖିବା ପରେ ସେ ଯୋଗାଯୋଗ କରିଥିଲେ। ସାଇବର୍ ଲୁଟେରା ଜଣକ ବେଶ୍ ଭଲଭାବରେ ତାଙ୍କୁ ବୁଝାଇ ମଧ୍ୟ ଦେଇଥିଲା। କହିଥିଲା ମୋର ହରିୟାଣା ଗୁରଗାଁଓରେ ଏଲ୍ଇଡି ରେଣ୍ଟାଲ୍ କମ୍ପାନି ଅଛି ଯାହା ୩ ସ୍ତରର ମାସ୍କ ଉତ୍ପାଦ କାରବାର କରୁଛି। ଆମ କମ୍ପାନି ଯେତେ କମ୍ ଦରରେ ମାସ୍କ ଦେଉଛି ଆଉ କୌଣସିଠାରେ ବି ମିଳିବ ନାହିଁ। ବର୍ତ୍ତମାନ ବଜାରରେ ମାସ୍କର ବହୁତ ସଙ୍କଟ ଅଛି। ଯଦି ନେବେ ଆଗୁଆ ପେମେଣ୍ଟ କରିବା ପାଇଁ ପଡ଼ିବ। ମନୋଜ ମଧ୍ୟ ଏଥିରେ ରାଜି ହୋଇଯାଇଥିଲେ ଏବଂ ଲୁଟେରା ଜଣକ ଦେଇଥିବା
ଆକାଉଣ୍ଟରେ ପ୍ରଥମ ଥର ୩ ଲକ୍ଷ ଟଙ୍କା ପଠାଇଥିଲେ। ଏହାପରେ ସାଇବର୍ ଲୁଟେରାଙ୍କ ମନରେ ଲୋଭ ଆହୁରି ବଢ଼ିଗଲା। ଏହାପରେ ସେ ଡିଏଚ୍ଏଲ୍ ଏକ୍ସପ୍ରେସ୍ କୋରିଅର୍ ସର୍ଭିସ୍ରେ ଏକ ରିସିପ୍ଟ କାଟି ମନୋଜଙ୍କ ପାଖକୁ ଟ୍ରାକିଂ ଆଇଡି ପଠାଇଥିଲା। ମନୋଜ ଆଇଡିର ଷ୍ଟାଟସ୍ ଦେଖିବା ପରେ ସବୁକିଛି ଠିକ୍ ଅଛି ବୋଲି ବିଶ୍ବାସ କରିନେଇଥିଲେ। ଏହାପରେ ଲୁଟେରା ଜଣକ ଆହୁରି ଅଧିକ ଲୋଭ ଦେଖାଇ ମନୋଜଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇ ତିଲା। କୋରିଅର୍ କୁଆଡେ ଗଲା ବୋଲି ପଚାରିବା ପରେ ଲୁଟେରା ଜଣକ ଆଉ ଫୋନ୍ ଉଠାଇଲା ନାହିଁ। ମୋବାଇଲ୍ ସ୍ବିଚ୍ ଅଫ୍ କରିଦେଲା।
ଯେତେବେଳେ ଠକାମିର ଶିକାର ହୋଇଛି ବୋଲି ମନୋଜ ଅନୁଭବ କରିବା ପରେ ଗତବର୍ଷ ଜୁନ୍ ୧୬ ତାରିଖରେ ସାଇବର୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସାଇବର୍ ପୁଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ କୋଭିଡ୍ କାରଣରୁ ବାହାରେ ଯାଇ ତଦନ୍ତ କରିବା ସମ୍ଭବ ହୋଇ ନଥିଲା। ସ୍ଥିତି ସାଧାରଣ ହେବା ପରେ ସମ୍ବଲପୁର ସାଇବର୍ ଥାନାଧିକାରୀ ଇନ୍ସପେକ୍ଟର ତାରାବତୀ ପ୍ରଧାନଙ୍କ ନେତୃତ୍ବରେ ଏସ୍ଆଇ ସୁବ୍ରତ କୁମାର ମେହେର, ଏସ୍ଆଇ ଦେବଦତ୍ତ ବସ୍ତିଆ ଓ ମହେଶ୍ବର ସାହୁଙ୍କୁ ନେଇ ଏକ ଟିମ୍ ଗଠନ ହୋଇଥିଲା। ଏହି ଟିମ୍ ଦିଲ୍ଲୀ, ଗାଜିଆବାଦ୍ ଓ ଫରିଦାବାଦ୍ରେ ଗୋଟିଏ ସପ୍ତାହ ରହିବା ସହ ସେଠାକାର ପୁଲିସ ସହାୟତାରେ ଅଭିଯୁକ୍ତ ହରିୟାଣା ପରିଦାବାଦର ଜତିନ୍ ସେହଗଲ(୨୩)କୁ ଧରିବାରେ ସଫଳ ହୋଇଥିଲା। ଗତ ୨୪ ତାରିଖରେ ଫରିଦାବାଦ ଜେଏମ୍ଏଫ୍ସିଙ୍କ କୋର୍ଟରେ ଦାଖଲ କରି ୩ ଦିନ ପାଇଁ ରିମାଣ୍ଡରେ ଆଣିଥିଲା। ଏ ନେଇ ଶୁକ୍ରବାର ଉତ୍ତରାଞ୍ଚଳ ରେଞ୍ଜ୍ ଆଇଜି ନରସିଂହ ଭୋଳ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଭିଯୁକ୍ତ ବ୍ୟବହାର କରିଥିବା ମୋବାଇଲ୍ ଫୋନ୍ ଓ ଟ୍ୟାବଲେଟ୍ ନଦୀରେ ଫୋପାଡ଼ି ଦେଇଥିବା ସତ୍ତ୍ବେ ସାଇବର ପୁଲିସ ନିଜ ଦକ୍ଷତା ବଳରେ ତାକୁ ଧରିବାରେ ସଫଳ ହୋଇଥିବାରୁ ଆଇଜି ଓ ଏସ୍ପି ସାଇବର୍ ଥାନାଧିକାରୀଙ୍କ ସମେତ ପୂରା ଟିମ୍କୁ ଶୁଭେଚ୍ଛା ଦେଇଥିଲେ। ଆଇଜିଙ୍କ ସୂଚନା ଅନୁଯାୟୀ ସାଇବର୍ ଲୁଟେରା ଜଣକ ମନୋଜଙ୍କ ଠାରୁ ୨୬ ଲକ୍ଷ ୫୦ ହଜାର ଟଙ୍କା ନେଇଥିବା ପ୍ରମାଣ ମିଳିଛି। ତେବେ ଅନ୍ୟ ଦେଢ଼ ଲକ୍ଷ ଟଙ୍କା କିଏ ନେଲା ତାହା ଯାଞ୍ଚ କରାଯାଉଛି।
ଅଭିଯୁକ୍ତର ଶିକ୍ଷାଗତ ଯୋଗ୍ୟତା
ସବୁଠାରୁ ଅଦିକ ଆଶ୍ଚର୍ଯ୍ୟ କରିଛି ୨୬ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ଏହି ଅଭିଯୁକ୍ତ ଜତିନ୍ର ଶିକ୍ଷାଗତ ଯୋଗ୍ୟତା। ଜତିନ୍ ଇଂରାଜୀ ମିଡିଅମ୍ରେ ମାତ୍ର ନବମ ଶ୍ରେଣୀ ଯାଏ ପାଠ ପଢ଼ିଛନ୍ତି। କିନ୍ତୁ ଚତୁରତାର ସହ ସେ ବିଶ୍ବାସ ଜନ୍ମାଇ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ। ତଦନ୍ତ ଅନୁଯାୟୀ ଏହି ଲୁଟ୍ ପଛରେ ଜତିନ୍ ଏକା ଥିବା ଆଇଜି କହିଛନ୍ତି। ଅନ୍ୟପଟେ ତା ପାଖରୁ ୧୦ ଲକ୍ଷ ଟଙ୍କା, ଏକାଧିକ ମୋବାଇଲ, ସିମ କାର୍ଡ, ଏଟିଏମ କାର୍ଡ ଜବତ ହୋଇଛି। ଏହା ସହିତ ତାର ଦୁଇଟି ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍(ଅସ୍ଥାୟୀ ଭାବେ ବନ୍ଦ) କରାଯାଇଛି। ଏ ମାମଲାରେ ଅଧିକ ସୂଚନା ପାଇଁ ଆଗକୁ ପୁଲିସ ଜତିନକୁ ୭ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ବୋଲି ଆଇଜି କହିଛନ୍ତି ।
from ଜିଲ୍ଲା | Sambad https://ift.tt/3cwcCM1
0 Comments