
ଅନୁଗୁଳ : ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସୁନ୍ଦରୀର ଘର ବାହୁଡ଼ା ପ୍ରକ୍ରିୟା। ସବୁ ଠିକ୍ଠାକ୍ ଚାଲିଲେ ସପ୍ତାହକ ଭିତରେ ହିଁ ସୁନ୍ଦରୀ ଓଡ଼ିଶା ଛାଡିବ। ମଧ୍ୟପ୍ରଦେଶ ବନବିଭାଗ ପକ୍ଷରୁ ଏଥିନେଇ ସୂଚନା ମିଳିବା ପରେ ସୁନ୍ଦରୀ ସ୍ଥାନାନ୍ତରଣ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ଅନୁଗୁଳ ଆଂଚଳିକ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ୍) ପ୍ରଦୀପ ରାଜ କରାଟ ସୂଚନା ଦେଇଛନ୍ତି।
ସୁନ୍ଦରୀର ଜଙ୍ଗଲ ପ୍ରବୃତ୍ତି ଫେରାଇ ଆଣିବାକୁ ତାକୁ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭୟାରଣ୍ୟର ଘୋରେଲାକୁ ନିଆଯିବ। ଏଥିପାଇଁ କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଏକ ଟିମ୍ ଦିନେ ଦୁଇଦିନ ଭିତରେ ଅନୁଗୁଳ ଅଭିମୁଖେ ବାହାରିବେ ବୋଲି ଜଣାପଡ଼ିଛି। ସେମାନେ ଏଠାରେ ସୁନ୍ଦରୀକୁ ଦେଖିବା ପରେ ତାକୁ ଫେରାଇ ନେବା ବାବଦରେ ଆବଶ୍ୟକ ବ୍ୟବସ୍ଥା କରିବେ।
ସାତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶରୁ ବାଘୁଣୀ ‘ସୁନ୍ଦରୀକୁ ଅଣାଯାଇଥିଲା। ଏହା ଥିଲା ଦେଶର ପ୍ରଥମ ଅନ୍ତଃରାଜ୍ୟ ସ୍ଥାନାନ୍ତରଣ। ଏହି ସ୍ଥାନାନ୍ତରଣ ପ୍ରକଳ୍ପ କିନ୍ତୁ ଆରମ୍ଭରୁ ବିବାଦରେ ଫସିଥିଲା। ୨୦୧୮ ଜୁନ୍ରେ ସାତକୋଶିଆ ଆସିଥିବା ‘ସୁନ୍ଦରୀ ବିଭିନ୍ନ କାରଣ ପାଇଁ ବନ ବିଭାଗର ମୁଣ୍ଡବିନ୍ଧାର କାରଣ ସାଜିଥିଲା । ସୁନ୍ଦରୀ ଆକ୍ରମଣରେ ୨ ଜଣ ସାଧାରଣ ଲୋକଙ୍କ ଜୀବନ ଯିବା ପରେ ଏହାକୁ କେନ୍ଦ୍ର କରି ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାପରେ ୨୦୧୮ ନଭେମ୍ବରରୁ ସୁନ୍ଦରୀ ଏନକ୍ଲୋଜର ମଧ୍ୟରେ ବନ୍ଦୀ ଜୀବନ ବିତାଉଛି। ଏହି ଘଟଣା ପରଠାରୁ ସୁନ୍ଦରୀର ଭାଗ୍ୟ ଓ ଭବିଷ୍ୟତକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା। ପ୍ରଥମେ ମଧ୍ୟପ୍ରଦେଶ ବନ ବିଭାଗ ସୁନ୍ଦରୀକୁ ଫେରାଇ ନେବାକୁ ସେତେଟା ଆନ୍ତରିକତା ଦେଖାଇ ନ ଥିଲେ। ବହୁ ବାଦବିବାଦ ପରେ ସୁନ୍ଦରୀକୁ ଫେରାଇ ନେବା ପାଇଁ ଶେଷରେ ରାଜି ହୋଇଥିଲେ ମଧ୍ୟପ୍ରଦେଶ ସରକାର। ସୁରକ୍ଷିତ ଭାବେ କେମିତି ବାଘୁଣୀ ସୁନ୍ଦରୀକୁ ସେଠାକୁ ନିଆଯିବ ସେଥିନେଇ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହେବା ପରେ ପ୍ରାୟ ୩ ମାସ ତଳେ ବିଧିବଦ୍ଧ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା।
ଶେଷରେ, ଏହି ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏପରିକି ୩-୪ ଦିନ ଭିତରେ ପ୍ରକ୍ରିୟା ଶେଷ ହୋଇଯିବାର ସମ୍ଭାବନା ରହିଛି ବୋଲି ଆରସିସିଏଫ୍ ସୂଚନା ଦେଇଛନ୍ତି।
The post ଚୂଡ଼ାନ୍ତ ପର୍ଯ୍ୟାୟରେ ଘର ବାହୁଡ଼ା ପ୍ରକ୍ରିୟା, ସପ୍ତାହକ ଭିତରେ ଓଡ଼ିଶା ଛାଡ଼ିବ ସୁନ୍ଦରୀ first appeared on Sambad.from ଜିଲ୍ଲା | Sambad https://ift.tt/30YWwnh
0 Comments