
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବହୁ ଅଂଚଳ ନଦୀ ତଥା ନାଳ ଯୋଗୁଁ ବାହ୍ୟ ଜଗତରୁ ଏକ ପ୍ରକାର ବିଛିନ୍ନ ହୋଇ ରହିଛି। ସିଧାସଳଖ ସଡକ ପଥ ନଥିବାରୁ ସରକାରୀ ଯୋଜନା ବି ସେହି ଅଂଚଳରେ ପହଞ୍ଚିପାରେ ନାହିଁ। ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଏହି ଅଂଚଲ ଗୁଡିକରେ ବିକାଶ କାର୍ଯ୍ୟ ଆଦୌ ହୋଇପାରି ନାହିଁ। ତଥାପି ବଂଚିବା ପାଇଁ ଲୋକେ ସଂଘର୍ଷ ଜାରି ରଖିଛନ୍ତି। ଜଳପଥକୁ ଯୋଗାଯୋଗ ନିମନ୍ତେ ବ୍ୟବହାର କରୁଛନ୍ତି। କିନ୍ତୁ ଏହି ଜଳପଥରେ ଯୋଗାଯୋଗକୁ ସୁରକ୍ଷିତ କରାଯିବା ଦିଗରେ ପ୍ରଶାସନ କିମ୍ବା ସରକାରଙ୍କ ପକ୍ଷରୁ ଆଦୌ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଯାହାଫଳରେ ବିପଦପୂର୍ଣ୍ଣ ଭାବେ ଅସୁରକ୍ଷିତ ନୌକାରେ ଲୋକେ ଯାତ୍ରା କରୁଛନ୍ତି। ଏହି ଦୃଶ୍ୟ ବିଛିନ୍ନାଞ୍ଚଳରେ ନିୟମିତ ଦେଖିବାକୁ ମିଳେ। ହେଲେ ଏହି ଅଂଚଳ ସଂପର୍କରେ ଜାଣିନଥିବା ଲୋକେ ଏମିତି ଯାତ୍ରା ଦେଖିଲେ ମନରେ ଆପେ ଆପେ ଭୟ ସୃଷ୍ଟି ହୋଇଥାଏ। କୌଣସି ମୁହର୍ତ୍ତରେ ଡଙ୍ଗା ଓଲଟି ପଡିବାର ଆଶଂକାକୁ ଏଡାଇ ଦିଆଯାଇନପାରେ। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟତଃ ଡଙ୍ଗା ବୁଡି ଘଟଣା ଗଣମାଧ୍ୟମର ଶିରୋମଣ୍ଡନ କରିଥାଏ। ଜିଲ୍ଲାର ବିଭିନ୍ନ ନଦୀରେ ବିଭିନ୍ନ ଅଂଚଳକୁ ଯୋଗାଯୋଗ କରିବା ପାଇଁ ଘାଟ ରହିଥିବା ବେଳେ ସେଥିମଧ୍ୟରୁ କୋରକୋଣ୍ଡା ବ୍ଲକର ରାଖାଲଗୁଡା ଘାଟ ଅନ୍ୟତମ। ଏଠାରେ ଗୋଟିଏ ଦେଶୀ ଡଙ୍ଗାରେ ହିଁ ଲୋକେ ଖୁନ୍ଦାଖୁନ୍ଦି ହୋଇ ନଦୀ ପାର କରୁଥିବା ଦେଖିବାକୁ ମିଳେ। ଦେଶୀ ଡଂଙ୍ଗାରେ ଦଶ ଜଣ ବସିବା ସ୍ଥାନରେ ବସୁଛନ୍ତି ୫୦ ଜଣ।
ଏଥିସହ ମଟର ସାଇକେଲ ଓ ଦୈନନ୍ଦିନ ସାମଗ୍ରୀ ମଧ୍ୟ ଯାଉଛି। ପୁଣି ପୁରୁଣା ଦଦରା ଡଂଙ୍ଗା ହୋଇଥିବା ବେଳେ ଏଥିରେ ଛୋଟ ଛୋଟ କଣା ରହିଥାଏ। ଯେଉଁବାଟେ ପାଣି ଡଙ୍ଗା ଭିତରକୁ ପଶିଯାଉଥାଏ। ନାଉରିଆ କାତ ମାରୁଥିବା ବେଳେ ଅନ୍ୟ ଜଣେ ସହଯୋଗୀ ଡଙ୍ଗାରୁ ପାଣି କାଢିବାରେ ନିୟୋଜିତ ହୋଇଥାଏ। ଏହି ଯାତ୍ରା ବିପଦ ରହିଥିଲେ ମଧ୍ୟ ଅନ୍ୟ ବିକଳ୍ପ ନଥିବାରୁ ଲୋକେ ଡଙ୍ଗାରେ ଲଦାଲଦି ହୋଇ ଯାଉଛନ୍ତି।
ଅନ୍ୟପକ୍ଷରେ ପ୍ରଶାସନ ତରଫରୁ ଏମାନଙ୍କୁ ନା ଲାଇଫ ଜ୍ୟାକେଟ କରାଯାଇଛି ନା ନାଉରିଆ ମାନଙ୍କୁ ସଚେତନ କରାଯାଉଛି। ଏମ୍ଭି-୨୬ ଗ୍ରାମ ନିକଟରେ ରହିଥିବା ରାଖାଲଗୁଡା ଘାଟରେ ଗତ କିଛି ବର୍ଷ ତଳେ ଏକ ଦେଶୀ ଡଙ୍ଗା ପ୍ରଶାସନ ତରଫରୁ ଦିଆଯାଇଥିଲା। ଦୀର୍ଘ ବର୍ଷ ହେଲା ଲୋକେ ଏହି ଦେଶୀ ଡଂଗାରେ ହିଁ ଯିବା ଆସିବା କରୁଥିବା ଦେଖିବାକୁ ମିଳେ।
ଏନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିବା ବେଳେ ସରକାରଙ୍କ ତରଫରୁ ଏଠାରେ ଏକ ବ୍ରିଜ ନିର୍ମାଣ ପାଇଁ ଯୋଜନା କରାଯାଇଛି। ତେବେ ଏହି ବ୍ରିଜ କାମ ଆରମ୍ଭ ହୋଇଛି ସତ କିନ୍ତୁ କେବେ ସରିବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ନଦୀଘାଟ ଗୁଡିକରେ ମଟର ଚାଳିତ ଡଙ୍ଗା ନଥିବାରୁ ଦେଶୀ ଡଙ୍ଗା ହିଁ ବରସା ରହିଛି।ତେବେ ଲୋକେ ସରକାରୀ ନିୟମକୁ ଫୁ କରି ଏହି ଡଂଗାରେ ହିଁ ଯିବା ଆସିବା କରୁଛନ୍ତି। ପ୍ରଶାସନ ତରଫରୁ ନଦୀ ଘାଟଗୁଡିକରେ ଥିବା ଦେଶୀ ଡଙ୍ଗାଗୁଡିକର ମରାମତି କରାଯିବା ସହ ନୂତନ ଦେଶୀ ଡଙ୍ଗା ଦେବାର ଘୋଷଣା ପରେ ମଧ୍ୟ ବହୁ ଘାଟରେ ଏବେ ବି ଲୋକେ ପୁରୁଣା ଦେଶୀ ଡଙ୍ଗାରେ ହିଁ ନଦୀ ପାର ହେଉଥିବା ଦେଖିବାକୁ ମିଳେ। ଡଂଗାର କ୍ଷମତା ଠାରୁ ୫ ଗୁଣ ଲୋକ ବସୁଥିବାରୁ କୌଣସି ମୂହୁର୍ତ୍ତରେ ଅଘଟଣ ଘଟିପାରେ।
ଏମାନଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଜଲଦି ଯିବାକୁ ପସନ୍ଦ କରି ଡଂଗାରେ ଚଢିଯାଆନ୍ତି। ଏହି ଗୋଟିଏ ଡଂଗାରେ ଚାରୋଟି ପଞ୍ଚାୟତର ୨୨ଟି ଗ୍ରାମର ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ବ ଲୋକ ନିର୍ଭର କରୁଥିବା ଲୋକେ କହନ୍ତି। ଭତ୍ତା ଟଂକା ହେଉ ବା ପିଡିଏସ ଚାଉଳ ପାଇଁ ହେଉ ଲୋକେ ପଞ୍ଚାୟତ କାର୍ଯ୍ୟାଳୟ ହେଉ ବା ବ୍ଲକ କାର୍ଯ୍ୟାଳୟକୁ ଯିବା ପାଇଁ ହେଲେ ଏହି ଦେଶୀ ଡଙ୍ଗା ଉପରେ ହିଁ ନିର୍ଭର କରିଥାନ୍ତି। ଏଠାରେ ଆରମ୍ଭ ହୋଇଥିବା ବ୍ରିଜକୁ ତୁରନ୍ତ ସମାପ୍ତ କରିବା ପାଇଁ ଦାବି ହୋଇଛି।
The post ରାଖାଲଗୁଡା ଘାଟରେ ଦେଶୀ ଡଂଗା ହିଁ ଭରସା; ବିନା ଲାଇଫ ଜ୍ୟାକେଟରେ ଅସୁରକ୍ଷିତ ଯାତ୍ରା first appeared on Sambad.
from ଜିଲ୍ଲା – Sambad https://ift.tt/38bxXaC
0 Comments