
କଟକ : ପଶ୍ଚିମବଙ୍ଗର ମାଲ୍ଦା ଜିଲ୍ଲା ଏବେ ଚୋରା ମୋବାଇଲ୍ର ଗୋଦାମ ପାଲଟିଛି। କଟକ ଓ ଭୁବନେଶ୍ବର କମିସନରେଟ୍ରୁ ଚୋରି ହେଉଥିବା ଅଧିକା˚ଶ ମୋବାଇଲ୍ ମାଲ୍ଦା ଚାଲାଣ ହେଉଛି। ମାଲଦାରୁ ଭାରତ ସୀମା ଡେଇଁ ପଡେ଼ାଶୀ ବାଙ୍ଗଲାଦେଶକୁ ଚାଲାଣ କରାଯାଉଛି। ବାଙ୍ଗଲାଦେଶ ବଜାରରେ ଆଣ୍ତ୍ରଏଡ୍ ମୋବାଇଲ୍ ପିଛା ମାତ୍ର ୨ରୁ ୩ ହଜାର ଟଙ୍କାରେ ବିକ୍ରି କରାଯାଉଛି। ଏହିଭଳି ନିୟମିତ ଢ˚ଗରେ ଗୋଟିଏ ବଡ଼ ନେଟଵାର୍କ କଟକରୁ ବାଙ୍ଗଲାଦେଶ ଯାଏ ଲମ୍ବିଛି। ମୋବାଇଲ୍ ଲୋକେସନ୍ ମାଲ୍ଦା ଦେଖାଉଥିବାରୁ କମିସନରେଟ୍ ପୁଲିସ ସେଠାକୁ ଯିବାକୁ ଆଗ୍ରହ ପ୍ରକାଶ କରୁନଥିବାରୁ ଚୋରା ମୋବାଇଲ୍ ଠାବ କରିବା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।
ଝାଡ଼ଖଣ୍ତର ସାହିବଗଞ୍ଜ, ମଧ୍ୟପ୍ରଦେଶର ଇନ୍ଦୋର, ବିହାରର ବେଗୁସରାଇ, ପଶ୍ଚିମବଙ୍ଗର ପୁରୁଲିଆ, ମେଦିନିପୁର, ମୁର୍ସିଦାବାଦ, ମାଲ୍ଦା ଜିଲ୍ଲାକୁ ଯାଉଛି କଟକ ସହରର ଚୋରା ମୋବାଇଲ୍। କିନ୍ତୁ ସେଥିରୁ ଅଧିକ ମୋବାଇଲ୍ ମାଲଦା ଯାଉଛି। କଟକ ସମେତ ପଡେ଼ାଶୀ ଭୁବନେଶ୍ବର କମିସନରେଟ୍ ପୁଲିସ ଅଞ୍ଚଳରୁ ବି ଏହି ଜିଲ୍ଲାକୁ ଯାଉଛି ଚୋରା ମୋବାଇଲ୍। ଓଡ଼ିଶା ସମେତ ମହାରାଷ୍ଟ୍ର, ଗୁଜୁରାଟ, ରାଜସ୍ଥାନ, ତେଲେଙ୍ଗାନାରେ ବି ଚୋରା ମୋବାଇଲ୍ ଉପରୋକ୍ତ ଅଞ୍ଚଳକୁ ଚାଲାଣ କରାଯାଉଛି। କଟକ କମିସନରେଟ୍ ପୁଲିସ ଅଞ୍ଚଳରେ ମୋବାଇଲ୍ ଚୋରି ମାମଲା ମାସକୁ ପ୍ରାୟ ୫୦ରୁ ଅଧିକ ହେଉଛି। ଏତେ ମାତ୍ରାରେ ଅଭିଯୋଗ ଆସୁଛି ଯେ ପୁଲିସ ମାମଲା ରୁଜୁ କରିବା ପରିସ୍ଥିତିରେ ନାହିଁ। କେବଳ ଥାନାରେ ମିସି˚ ରିପୋର୍ଟ କରାଯାଉଛି। ଚୋରି ହୋଇଥିବା ମୋବାଇଲ୍ର ଲୋକେସନ୍ ବିହାର, ପଶ୍ଚିମବଙ୍ଗ ଏବ˚ ମଧ୍ୟପ୍ରଦେଶ ଦେଖାଯାଉଛି। ଗୋଟିଏ ମୋବାଇଲ୍ ଚୋରି ମାମଲାରେ ପୁଲିସ ଟିମ୍ ଉପରୋକ୍ତ ରାଜ୍ୟକୁ ଗଲେ ୩ରୁ ୪ ଦିନ ଲାଗି ଯାଉଛି। ଯିବା ଆସିବା ଖର୍ଚ୍ଚ, ରହିବା ଓ ଖାଇବା ଖର୍ଚ୍ଚ ମିଶାଇଲେ ମୋବାଇଲର ଦାମକୁ ବଳି ଯାଉଛି। ସେଠାରେ ପହଞ୍ଚିଲା ବେଳକୁ ବି ପ୍ରକୃତ ଲୁଟେରା ନିକଟରେ ପହଞ୍ଚିବା ସହଜ ହେଉ ନାହିଁ। ରିସିଭରଙ୍କୁ ଚିହ୍ନଟ କରାଯାଉଛି। ଯେଉଁମାନେ କି ମୋବାଇଲ୍ ଫୋନ୍ ଅଧା ମୂଲ୍ୟରେ ଲୁଟେରାଙ୍କଠାରୁ କିଣିଥାନ୍ତି। କିନ୍ତୁ ପ୍ରକୃତ ଲୁଟେରା ଗ୍ୟାଙ୍ଗ୍ ନିକଟରେ ପହଞ୍ଚିବା ପୁଲିସ ପାଇଁ କଷ୍ଟକର ହେଉଛି। ତେଣୁ ପୁଲିସ ମୋବାଇଲ୍ ଲୁଟ୍ ମାମଲାରେ ପ୍ରକୃତ ଗ୍ୟାଙ୍ଗ୍କୁ ଠାବ କରିବାରେ ସଫଳ ହୋଇପାରୁ ନାହିଁ। ଯେଉଁ ରିସିଭର୍ଙ୍କୁ ପୁଲିସ ଗିରଫ କରୁଛି, ସେମାନେ ଏହି ଚୋରା ମୋବାଇଲ୍ ରାକେଟ୍ ସମ୍ପର୍କରେ ଧାର ଧାରନ୍ତି ନାହିଁ। ତେଣୁ ପୁଲିସ ମୋବାଇଲ୍ ଚୋରି କେସ୍ ରାଜ୍ୟ ବାହାରକୁ ଯିବାକୁ ବିଶେଷ ଆଗ୍ରହ ପ୍ରକାଶ କରୁନାହିଁ।
କଟକ ସହରରେ ଏବେ ବାଦାମବାଡ଼ି ବସଷ୍ଟାଣ୍ତ, କୃଷକବଜାର, ସେମିନାରୀ ଛକ, ଛତ୍ରବଜାର, ମାଲଗୋଦାମ, ଆରଟିଓ ଅଫିସ ସାମନା, ରେଳ ଷ୍ଟେସନ୍, ବଡ଼ ମେଡିକାଲ୍, କ୍ୟାନସର ଇନ୍ଷ୍ଟିଚ୍ୟୁଟ୍ ଭଳି ଗୁରୁତ୍ବପୂର୍ଣ୍ଣ ସ୍ଥାନରୁ ଅଧିକ ମୋବାଇଲ୍ ଚୋରି ହେଉଛି। ବଞ୍ଜାରା ଓ ଭିକ୍ଷା ବୃତ୍ତି କରୁଥିବା ନାବାଳକଙ୍କୁ ଏହି ଚୋରି କାରବାରରେ ବ୍ୟବହାର କରାଯାଉଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ଏମାନେ ମୁଖ୍ୟତଃ ଜଗତପୁର ଗୋଲେଇ ଛକ, କେନ୍ଦ୍ରାପଡ଼ା ରେଳ ଷ୍ଟେସନ, କଟକ ରେଳଷ୍ଟେସନ୍ ଓ ମାଲଗୋଦାମ ଅଞ୍ଚଳରେ ଆଡା ଜମାଉଛନ୍ତି। କଟକରୁ ଏମାନେ ମୋବାଇଲ୍ ଚୋରି କରିବା ପରେ ଜଣେରୁ ଦୁଇ ଜଣଙ୍କ ହାତରେ ଚୋରା ମୋବାଇଲ୍ ଗୁଡ଼ିକ ଉପରୋକ୍ତ ରାଜ୍ୟକୁ ଚାଲାଣ କରି ଦେଉଛନ୍ତି। ପଶ୍ଚିମବଙ୍ଗ ଓ ବିହାର ଯାଉଥିବା ମୋବାଇଲ୍ଗୁଡ଼ିକ ବାଙ୍ଗଲାଦେଶ ଚାଲାଣ ହେଉଛି। ମୋବାଇଲ୍ ଲୁଟେରା ଅଧିକା˚ଶ ମାଲ୍ଦା ଜିଲ୍ଲାର ହୋଇଥିବାରୁ ସେଠାକାର ଜିଲ୍ଲା ପୁଲିସ ଅପରାଧୀଙ୍କୁ ଧରିବା କ୍ଷେତ୍ରରେ ଭ୍ୟାନ୍ କିମ୍ବା ପୁଲିସ ଫୋର୍ସ କମିସନରେଟ୍ ପୁଲିସକୁ ଯୋଗାଉ ନଥିବା ସମ୍ପୃକ୍ତ ଅଧିକାରୀ ଜଣକ କହିଛନ୍ତି। ପଶ୍ଚିମବଙ୍ଗର ମାଲ୍ଦା ପୁଲିସ ଅନେକ ସମୟରେ ସହଯୋଗ ନକରିବା କଟକ ପୁଲିସ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।
The post କଟକରୁ ବଙ୍ଗଳାଦେଶ ଲମ୍ବିଛି ଚୋରା ମୋବାଇଲ୍ ରାକେଟ୍ first appeared on Sambad.from ଜିଲ୍ଲା | Sambad https://ift.tt/3vL6N4N
0 Comments