ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ବସବାସ କରୁଥିବା ଆଦିବାସୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଶୁକ୍ରବାର ଜିଲ୍ଲା ଜୟ କିଷାନ ମଜଦୁର ସଂଗ୍ରାମ ପରିଷଦ ଜିଲ୍ଲାପାଳଙ୍କୁ ଭେଟିଛି। ପରିଷଦର ଆବାହକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତତ୍ବରେ ଜିଲ୍ଲାପାଳ ସ୍ୱଧାଦେବ ସିଂହଙ୍କ ସହ ଆଲୋଚନା କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୧୨ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି।
ଅଭୟାରଣ୍ୟ ଭିତରେ ଅବସ୍ଥିତ ସୁନାବେଡ଼ା ଓ ସୋସେଙ୍ଗ ପଞ୍ଚାୟତବାସୀ ବିଭିନ୍ନ ମୌଳିକ ସୁବିଧାରୁ ଦୀର୍ଘଦିନରୁ ବଞ୍ଚିତ ହେଉଥିଲେ। ସେଥିପାଇଁ ସେମାନେ ଛତିଶଗଡ଼ରେ ମିଶିବାକୁ ଧମକ ପରିପ୍ରେକ୍ଷୀରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ପହରିଆ ସମ୍ପ୍ରଦାୟଙ୍କୁ ତୁରନ୍ତ ଆଦିବାସୀ ମାନ୍ୟତା, ସିବିଡିଏ ସଂସ୍ଥାରେ ହୋଇଥିବା ଚରମ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ଓପିଇଏଲ ଆଇପି ପ୍ରୋଜେକ୍ଟ ଦାୟିତ୍ୱରେ ଥିବା ଏନ୍ଜିଓକୁ ପରିବର୍ତ୍ତନ, ୭ ବର୍ଷରୁ ପଡ଼ି ରହିଥିବା ୧୭ଟି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ରାସ୍ତାର ପିଚୁ, ଜୀବନ ମିସନ ଯୋଜନାର ପାଣି ପ୍ରକଳ୍ପ ତୁରନ୍ତ ସମ୍ପୂର୍ଣ୍ଣ କରି ଲୋକଙ୍କୁ ପାଇପ୍ ପାଣି ଯୋଗେଇଦେବା ଆଦି ୧୨ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଏହା ପୂର୍ବରୁ ପରିଷଦର ଆବାହକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଅନୁଧ୍ୟାନକାରୀ ଟିମ୍ ସୁନାବେଡ଼ା ପହଞ୍ଚି ସେଠିକାର ଅଧିବାସୀଙ୍କ ସହ ଆଲୋଚନା କରିଥିଲେ। ଦାବିପତ୍ର ପ୍ରଦାନ ସମୟରେ ସହ ଆବାହକ ବସନ୍ତ ସିଂହ ଠାକୁର ଉପସ୍ଥିତ ଥିଲେ।

The post ଅଭୟାରଣ୍ୟବାସୀଙ୍କ ପାଇଁ ଜିଲ୍ଲାପାଳଙ୍କୁ ଭେଟିଲା ଜୟ କିଷାନ ମଜଦୁର ସଂଗ୍ରାମ ପରିଷଦ first appeared on Sambad.

from ଜିଲ୍ଲା | Sambad https://ift.tt/3rADnDj