ଟିଟିଲାଗଡ଼ : ଚଳିତ ବର୍ଷ ବି କରୋନା କଟକଣା ଯୋଗୁଁ ହୋଲି ପର୍ବ ଫିକା ପଡ଼ିବ। ସବୁଆଡ଼େ ରଙ୍ଗ ବଜାର ମାନ୍ଦା ରହିଛି। ଟିଟିଲାଗଡ଼ରେ ବି ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଗୋଟିଏ ପଟେ ବ୍ୟବସାୟୀମାନେ ଆଶଙ୍କାରେ ରହିଛନ୍ତି ତାଙ୍କ ବିନିଯୋଗ ରାଶି ଫେରି ପାଇପାରିବେ କି ନାହିଁ। ଅନ୍ୟପଟେ କରୋନା ମହାମାରୀର ଦ୍ଵିତୀୟ ଲହର ସହରବାସୀଙ୍କୁ ଭୟଭୀତ କରିଛି।

ଟିଟିଲାଗଡ଼ ପ୍ରଶାସନ ମଧ୍ୟ ସହରରେ ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ସାର୍ବଜନୀନ ସ୍ଥାନରେ ହୋଲି ଖେଳିବା ତଥା ହୋଲି ସମ୍ପର୍କ କୌଣସି ପୂଜା କରିବାକୁ ବାରଣ କରି ଗାଇଡ୍‌ଲାଇନ୍‌ ଜାରି କରିଛି। ତଥାପି କଟକଣା ନମାନି କେତେକ ସ୍ଥାନରେ ହୋଲିକା ଦହନ କରାଯାଇଛି। ରଙ୍ଗ ଦୋକାନଗୁଡ଼ିକରେ ବିଭିନ୍ନ ପ୍ରକାର ମାଟିରଙ୍ଗ, ଫଗୁ, ଚୁଡ଼ିରଙ୍ଗ, ପିଚକାରି, ସ୍ପ୍ରେ ଆଦି ସହ ପୂଜା ପାଇଁ ମହୁଲ ଫୁଲ, ପଳାଶ ଫୁଲ, ଚଣା, ସାକରପଟି, କଞ୍ଚାଆମ୍ବ ଓ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ମଧ୍ୟ ବିକ୍ରି ପାଇଁ ରହିଥିଲା। କିନ୍ତୁ କଟକଣା ପାଇଁ ଦୋକାନଗୁଡ଼ିକରେ ସେତେଟା ଭିଡ଼ା ନଥିଲା। ପୂର୍ବ ବର୍ଷଗୁଡ଼ିକରେ ବ୍ୟବସାୟୀମାନେ ହୋଲିର ପାଞ୍ଚ ଦିନ ପୂର୍ବରୁ ରଙ୍ଗ ଦୋକାନ ଖୋଲୁଥିଲେ। ହେଲେ ଚଳିତ ବର୍ଷ କେବଳ ଦିନକ ପୂର୍ବରୁ ରଙ୍ଗ ଦୋକାନ ଖୋଲିଥିବା କହିଛନ୍ତି।

The post କରୋନା କଟକଣା: ହୋଲିରେ ବି ଦୋକାନ ଖାଁ ଖାଁ first appeared on Sambad.

from ଜିଲ୍ଲା | Sambad https://ift.tt/3diBXrR