
କେନ୍ଦୁଝର : କେନ୍ଦୁଝରରୁ ଚାଲୁନାହିଁ ପାସେଞ୍ଜର ଟ୍ରେନ। ମାତ୍ର ମାଲବାହୀ ଟ୍ରେନ ନିୟମିତ ଯାତାୟାତ କରୁଛି। ମାଲବାହୀ ଟ୍ରେନକୁ ହଁ ଏବଂ ପାସେଞ୍ଜର ଟ୍ରେନକୁ ନା ଭଳି ରେଳବାଇର ଅଜବ ନୀତିକୁ ନେଇ କେନ୍ଦୁଝର ଜିଲ୍ଲାରେ ଆରମ୍ଭ ହୋଇଛି ପ୍ରତିବାଦ। କେନ୍ଦୁଝର ଯୁବ ପରିଷଦ ଭଳି ଅନୁଷ୍ଠାନ ଦାବି ଓ ପ୍ରତିବାଦ କରିବା ସତ୍ତ୍ବେ ରେଳବାଇ ଚୁପ୍ ରହିଛି।
୨୦୦୯ ମସିହା ଜାନୁଆରି ୪ ତାରିଖରେ ପ୍ରଥମଥର ପାଇଁ ପୁରୀଠାରୁ କେନ୍ଦୁଝର ପର୍ଯ୍ୟନ୍ତ ଏକ ଇଣ୍ଟରସିଟି ଏକ୍ସପ୍ରେସ୍ ଚଳାଚଳ ଆରମ୍ଭ କରିଥିଲା। ଏହା ଏବେ ବାଂଶପାଣି, ବଡବିଲ ଦେଇ ଚକ୍ରଧରପୁର ଏବଂ ରାଉରକେଲା ପର୍ଯ୍ୟନ୍ତ ସଂପ୍ରସାରିତ ହୋଇଛି। ୨୦୧୨ ମସିହାରୁ କେନ୍ଦୁଝର ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର ଭୁବନେଶ୍ବରକୁ ସବୁଦିନ ଯାତାୟାତ ବ୍ୟବସ୍ଥା ଅଛି। ଅନୁରୂପ ଭାବରେ ବିଶାଖାପାଟଣା-ଟାଟା ଏକ୍ସପ୍ରେସ ସପ୍ତାହକୁ ଦୁଇଦିନ ଯାତାୟାତର ବ୍ୟବସ୍ଥା ରହିଛି। ବହୁ କଷ୍ଟରେ କେନ୍ଦୁଝର ଜିଲ୍ଲାକୁ ଚାଲିଥିବା ଏହି ଯାତ୍ରୀବାହୀ ଟ୍ରେନଗୁଡିକ କରୋନା ଆଳରେ ବନ୍ଦ ହୋଇଯାଇଛି। ଏବେ ସ୍ୱାଭାବିକ ଅବସ୍ଥା ଆସି ଥିବାବେଳେ କେନ୍ଦୁଝର ପାଇଁ ରେଳ ସେବାକୁ ଜାଣିଶୁଣି ବନ୍ଦ ରଖାଯାଇଥିବା ଅଭିଯୋଗ ହେଉଛି। ଏହାଦ୍ୱାରା ସାଧାରଣ ଲୋକେ ରେଳସେବାରୁ ବଞ୍ଚିତ ହେଉଛନ୍ତି। ପ୍ରତ୍ୟେକ ଦିନ କଟକ ବଡ ଡାକ୍ତରଖାନା ହେଉ ବା ହାଇକୋର୍ଟ କାର୍ଯ୍ୟ, ଭୁବନେଶ୍ୱରରେ ସାଧାରଣ କାମ ହେଉ ବା କଟକରେ ବ୍ୟବସାୟ ପାଇଁ ଜିନିଷ ଆଣିବାର ବ୍ୟବସ୍ଥା ହେଉ,ଏପରିକି ପୁରୀରେ ଜଗନ୍ନାଥଙ୍କୁ ଦର୍ଶନର ସୁବିଧା ହେଉ ଏପରି ଅନେକ କାର୍ଯ୍ୟ ପାଇଁ ଲୋକେ ଟ୍ରେନ ଉପରେ ନିର୍ଭରଶୀଳ।
ଖାଲି ରେଳ ଚଳାଚଳ ନୁହେଁ, କେନ୍ଦୁଝର ଜିଲ୍ଲାକୁ ରେଳବାଇର ଅବହେଳା ନେଇ କେନ୍ଦୁଝରବାସୀଙ୍କର ଅନେକ ଲମ୍ବା ଅଭିଯୋଗ ରହିଛି। କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ଯାତ୍ରୀଙ୍କ ପାଇଁ ଏକ ରେଳଷ୍ଟେସନ ରହିଛି। ମାତ୍ର ଏଠାରେ ସେପରି କୌଣସି ଆନୁଷଙ୍ଗିକ ସୁବିଧା ସୁଯୋଗ ଯାତ୍ରୀମାନଙ୍କୁ ପ୍ରଦାନ କରାଯାଉନାହିଁ। କେନ୍ଦୁଝର ରେଳଷ୍ଟେସନରେ ବ୍ୟାଙ୍କ୍ ଏଟିଏମ୍, ଶୌଚାଳୟ ଏବଂ ଅନ୍ୟାନ୍ୟ ବହୁବିଧା ସୁବିଧା ଯୋଗାଇ ଦେବାରେ ବିଫଳ ହୋଇଛି। କେନ୍ଦୁଝରଠାରୁ ଟାଟା, କୋଲକାତା, ବିଶାଖାପାଟଣା, ନୂଆଦିଲ୍ଲୀ, ଅମୃତସର ଆଦି ଅଞ୍ଚଳକୁ ସିଧାସଳଖ ଟ୍ରେନ୍ ଚାଲିବାକୁ କେନ୍ଦୁଝରବାସୀ ଅନେକ ଥର ଦାବି ଜଣାଇଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ମଧ୍ୟ ଏହାକୁ ଶୁଣିବାକୁ ନାରାଜ।
କେନ୍ଦୁଝର ଓ ନରଣପୁର ରେଳଷ୍ଟେସନକୁ ଅତ୍ୟାଧୁନିକ ରେଳଷ୍ଟେସନରେ ପରିଣତ କରିବା ସହ ଭୁବନେଶ୍ୱର-କେନ୍ଦୁଝର ଫାଷ୍ଟ ପାସେଞ୍ଜର ପରି ଅନ୍ୟ ଏକ ଇଣ୍ଟନସିଟି ଟ୍ରେନ୍ ବଡବିଲଠାରୁ କେନ୍ଦୁଝର ଦେଇ ଭୁବନେଶ୍ୱରକୁ ଚଲାଇବା ପାଇଁ କେନ୍ଦୁଝର ଯୁବ ପରିଷଦ ପକ୍ଷରୁ ବାରମ୍ବାର ଦାବି କରାଯାଇଛି। ସପ୍ତାହେ ତଳେ ଯୁବ ପରିଷଦ ଆବାହକ ବରଦା ପ୍ରସନ୍ନ ଦାସଙ୍କ ନେତୃତ୍ବରେ ଏକ ଟିମ୍ ରେଳବାଇ କତ୍ତୃର୍ପକ୍ଷଙ୍କୁ ଭେଟି ତୁରନ୍ତ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବାକୁ ଦାବି ଜଣାଇଥିଲେ ବି ସୁଫଳ ମିଳିନି। ତୁରନ୍ତ ଯାତ୍ରୀ ବାହୀ ରେଳ ସେବା ଆରମ୍ଭ କରିବାକୁ ରେଳ କତ୍ତୃର୍ପକ୍ଷଙ୍କୁ ଦାବିପତ୍ର ଦିଆଯାଇଛି। ମାତ୍ର ଯଦି ଏ ଦିଗରେ କୌଣସି ପଦକ୍ଷେପ ନିଆ ନଯିବ, ତେବେ ଆସନ୍ତା ୧୫ ତାରିଖରେ ରେଳରୋକ କରାଯିବ ବୋଲି ଯୁବ ପରିଷଦ ଆବାହକ ବରଦା ପ୍ରସନ୍ନ ଦାସ ଚେତାବନୀ ଦେଇଛନ୍ତି।
The post ଯାତ୍ରୀ ସେବାକୁ ନା, ମାଲବାହୀକୁ ହଁ, ଆନ୍ଦୋଳନ ଚେତାବନୀ ଦେଇଛି କେନ୍ଦୁଝର ଯୁବ ପରିଷଦ first appeared on Sambad.
from ଜିଲ୍ଲା – Sambad https://ift.tt/3vjcRRQ
0 Comments