
କଟକ: ଅଦାଲତ ଅବମାନନା ମାମଲାରେ ଉଚ୍ଚଶିକ୍ଷା ସଚିବ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ କାରଣ ଦର୍ଶାଇବେ। ଆଜି ହାଇକୋର୍ଟ ଏ ସଂପର୍କିତ ଅଦାଲତ ଅବମାନନା ମାମଲାର ଶୁଣାଣି କରି ମାର୍ଚ୍ଚ ୧୭ରେ ଉଚ୍ଚଶିକ୍ଷା ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଚିତ୍ତରଂଜନ ତ୍ରିପାଠୀ ଓ ଉଦିତ କୁମାର ପାଣିଗ୍ରାହୀଙ୍କ ପକ୍ଷରୁ ଦାୟର ଅଦାଲତ ଅବମାନନା ମାମଲାର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ସମ୍ବଲପୁର ବିଶ୍ବବିଦ୍ୟାଳୟର କର୍ମଚାରୀ ଭାବେ ଆବେଦନକାରୀ କାର୍ଯ୍ୟ କରୁଥିବାବେଳେ ସେମାନଙ୍କୁ ଚାକିରିରୁ ଅନ୍ତର କରାଯାଇଥିଲା। ଏହି ପ୍ରସଙ୍ଗରେ ଉଭୟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୧୪, ଅଗଷ୍ଟ ୩୧ରେ ହାଇକୋର୍ଟ ଆବେଦନକାରୀଙ୍କ ସପକ୍ଷରେ ରାୟ ଦେଇଥିଲେ। ଦୁଇ ଆବେଦନକାରୀଙ୍କୁ ଚାକରିରେ ପୁନଃଅବସ୍ଥାପିତ କରିବା ସହିତ ବକେୟା ଦରମା ଓ ଅନ୍ୟାନ୍ୟ ପ୍ରାପ୍ୟ ପ୍ରଦାନ ପାଇଁ ହାଇକୋର୍ଟ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦୁଇ ଆବେଦନକାରୀ ଚାକିରିରେ ପୁଣି ଅବସ୍ଥାପିତ ହେବା ପରେ ବକେୟା ପ୍ରାପ୍ୟ ପାଇବା ପାଇଁ ବିଶ୍ବବିଦ୍ୟାଳୟ କତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ।
ଦୁଇ ଆବେଦନକାରୀଙ୍କୁ ବକେୟା ପ୍ରାପ୍ୟ ପ୍ରଦାନ କରାଯାଉ ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସୁପାରିସ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଉଚ୍ଚଶିକ୍ଷା ବିଭାଗ ଏହି ପ୍ରସଂଗରେ କୌଣସି ପଦକ୍ଷେପ ନେଇ ନଥିଲା। ଦୁଇ ଆବେଦନକାରୀ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ଦାୟର କରିଥିଲେ। ଅନ୍ୟପକ୍ଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ସଂପୂର୍ଣ୍ଣ ପାଳନ ପରିବର୍ତ୍ତେ ଉଚ୍ଚଶିକ୍ଷା ବିଭାଗ କହିଥିଲା ଯେ ଦୁଇ ଆବେଦନକାରୀ ବକେୟା ପ୍ରାପ୍ୟ ପାଇବାକୁ ହକଦାର ନୁହେଁ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ୨୦୧୯, ଜୁନ ୨୫ରେ ନିର୍ଦ୍ଦେଶନାମା ଜାରି କରିଥିଲା। ଏହା ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶର ଉଲ୍ଲଂଘନ ବୋଲି ଆବେଦନକାରୀଙ୍କ ପକ୍ଷରୁ ମାମଲା ଶୁଣାଣି ସମୟରେ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସମୀର କୁମାର ଦାସ ମାମଲା ପରିଚାଳନା କରୁଛନ୍ତି।
The post ଅଦାଲତ ଅବମାନନା ମାମଲା: ବ୍ୟକ୍ତିଗତ ହାଜିରା ପାଇଁ ଉଚ୍ଚଶିକ୍ଷା ସଚିବଙ୍କୁ ନିର୍ଦ୍ଦେଶ first appeared on Sambad.
from ଜିଲ୍ଲା – Sambad https://ift.tt/3bCdoGN
0 Comments