ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ ଲୋକାର୍ପିତ
ଖର୍ଚ୍ଚ ହୋଇଛି ୨୯୫ କୋଟି
ରହିଛି ୩ ପ୍ରମୁଖ ବିଭାଗ ସହ ଅତ୍ୟାଧୁନିକ ବ୍ୟବସ୍ଥା

ରାଉରକେଲା : ‘ରାଉର’ ଅର୍ଥାତ୍‌ ଆପଣଙ୍କର ଏବଂ ‘କେଲା’ ଅର୍ଥାତ୍‌ ଗାଁ। ଅର୍ଥାତ୍‌ ଆପଣଙ୍କ ଗାଁ। ଲୋକେ ‘ ମୋ ଗାଁ’ ଅବା ‘ ମୋ ସହର’ କହି ଗର୍ବ ଅନୁଭବ କରିଥା’ନ୍ତି, କିନ୍ତୁ ଆପଣ ସମସ୍ତେ ଏହାକୁ ‘ ଆପଣଙ୍କ ଗାଁ’ ବୋଲି କହୁଛନ୍ତି। ଅର୍ଥାତ୍‌ ମୁଁ ଆପଣଙ୍କ ଗାଁରେ ଅଛି ବୋଲି କହିଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ଆଜି ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌) ପରିସରରେ ବହୁ ପ୍ରତୀକ୍ଷିତ ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ ଲୋକାର୍ପଣ ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ପ୍ରାୟ ଛଅ ବର୍ଷ ପୂର୍ବେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁପର ସ୍ପେଶିଆଲିଟି ହସ୍ପିଟାଲ ଘୋଷଣା କରିଥିଲେ। କେନ୍ଦ୍ରୀୟ ଇସ୍ପାତ ମନ୍ତ୍ରାଳୟ ଏବଂ ସେଲ୍‌ର ମିଳିତ ପ୍ରୟାସରେ ଆଜି ଏହି ଉନ୍ନତ ଚିକିତ୍ସାଳୟ ଲୋକାର୍ପିତ ‌ହେଲା। ଚିକିତ୍ସାଳୟ ଦ୍ବାରା କେବଳ ଓଡ଼ିଶା ନୁହେଁ, ପଡ଼ୋଶୀ ଝାଡ଼ଖଣ୍ଡ, ଛତିଶଗଡ଼ର ରୋଗୀଙ୍କୁ ସହାୟତା ମିଳିବ। ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି, ସମଗ୍ର ବିଶ୍ବରେ ମହାମାରୀ ନିଜର ବିକଟାଳ ରୂପ ଦେଖାଦେଇଛି। ଡାକ୍ତର, ନର୍ସ, ପାରା ମେଡ଼ିକାଲ ଷ୍ଟାଫ, ସ୍ବାସ୍ଥ୍ୟ କର୍ମଚାରୀ, ପ୍ରଶାସକ ଓ ସ୍ବଚ୍ଛତାକର୍ମୀ ନିଜ ଜୀବନକୁ ଖାତିର ନ କରି ଲୋକମାନଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରାଣପଣେ ଲାଗି ପଡିଥିଲେ। ସାଂପ୍ରତିକ ସ୍ଥିତିରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବହୁତ ଉପଯୋଗୀ ସାବ୍ୟସ୍ତ ହେଉଛି। ଟେଲି ମେଡ଼ିସନ ମାଧ୍ୟମରେ ଦୁର୍ଗମ ଅଞ୍ଚଳରେ ପହଞ୍ଚିବା ସହଜ ହୋଇ ପାରିବ, ଡାକ୍ତରଙ୍କ ପାଖକୁ ନଯାଇ ରୋଗୀ ପରାମର୍ଶ ପାଇ ପାରିବେ। ଖଣି ଖାଦାନ ଅଞ୍ଚଳ ଏବଂ ଦୂରଦୂରାନ୍ତ ସ୍ଥାନରେ ରହୁଥିବା ରୋଗୀଙ୍କୁ ସ୍ମାର୍ଟ ଫୋନ୍‌ରେ ଭିଡିଓ ପରାମର୍ଶ ମାଧ୍ୟମରେ ଆବଶ୍ୟକତା ସମୟରେ ସହାୟତା ମିଳିପାରୁଛି। ବିଶ୍ବର ସବୁଠାରୁ ବଡ ସ୍ବାସ୍ଥ୍ୟସେବା ପଦକ୍ଷେପ ଅର୍ଥାତ୍‌ ‘ଆୟୁଷ୍ମାନ୍ ଭାରତ’, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ଏହା ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି।

The post ଇସ୍ପାତ ସହରରେ ରାଷ୍ଟ୍ରପତି first appeared on Sambad.

from ଜିଲ୍ଲା | Sambad https://ift.tt/3tHU1C9