ଖୋର୍ଦ୍ଧା/ବେଗୁନିଆ: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଲାଞ୍ଚ ନେଇ କେତେଜଣ ଅସାଧୁ ସରକାରୀ କର୍ମଚାରୀ ଧରାପଡ଼ିଛନ୍ତି। ସୂଚନା ଅନୁସାରେ, ଏକ ଦାଖଲଖାରଜ ମାମଲାର ରିପୋର୍ଟ ପ୍ରସ୍ତୁତ କରିବାକୁ ଗଡ଼କିଲୋ ଗାଁ’ର ତ୍ରିନାଥ ଛୁଆଳସିଂହ ନାମକ ଜଣେ ବ୍ୟକ୍ତିଙ୍କଠାରୁ ୧୩ଶହ ଟଙ୍କା ଲାଞ୍ଚ ନେଇ ବେଗୁନିଆ ତହସିଲର ଜଣେ ରାଜସ୍ବ ନିରୀକ୍ଷକ(ଆର୍‌ଆଇ) ମନୋକୁମାର ନାୟକ ଓ କାର୍ଯ୍ୟାଳୟର ପିଅନ୍ ରାଜକିଶୋର ସାମନ୍ତରାୟ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଉଭୟଙ୍କ ବିରୋଧରେ ୧୧/୨୦୨୧ରେ ମାମଲା ରୁଜୁ କରାଯିବା ସହ ସେମାନଙ୍କୁ ଗିରଫ କରି ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିବା ଭିଜିଲାନ୍ସ ଡିଏସ୍‌ପି ସୁଶାନ୍ତ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଫୁଲବାଣୀ: କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ କର୍ମଚାରୀ ଲାଞ୍ଚ କାରବାର ଚଳାଇ ଥିବାର ନଜିର୍‌ ଆଜି ଦେଖିବାକୁ ମିଳିଛି। ହାର୍ଭେଷ୍ଟ ମେସିନ୍‌ କିଣିବା ପାଇଁ ଆବଶ୍ୟକ କରୁଥିବା ପୁରୁଣା ଜମି ରେକର୍ଡ଼ ପାଇବାକୁ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ବିଳାସପୁର ଗ୍ରାମର ଲଳିତ କୁମାର ସାହୁ ନାମକ ଜଣେ ବ୍ୟକ୍ତିଙ୍କଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଇ ବରିଷ୍ଠ କିରାଣି ଅଶୋକ ପଟ୍ଟନାୟକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ଭଞ୍ଜନଗର : ଅବସର ପରେ ପେନ୍‌ସନ୍‌ ବାବଦ କାଗଜପତ୍ର କରି ଦେବାକୁ ୧୫ହଜାର ଟଙ୍କା ଲାଞ୍ଚ ମାଗି ଭିଜିଲାନ୍ସ୍ ଜାଲରେ ପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ସହାୟକ ମାନସ ରଞ୍ଜନ ଦାସ। ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

The post ଆର୍‌ଆଇ, ପିଅନ, କିରାଣି, ବରିଷ୍ଠ ସହାୟକ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3sgxFY1