ଭୁବନେଶ୍ବର: ରାଉରକେଲାର ଆଇଜିଏଚକୁ ନେଇ ତେଜିଲା ରାଜନୀତି। ଏହାକୁ ୨୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ହସ୍ପିଟାଲ କରାଯାଇଥିବାବେଳେ ମେଡିକାଲ କଲେଜ କରାଯାଇନଥିବା ଦର୍ଶାଇ ଆପତ୍ତି କରିଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ। ଏଥିରେ ଉଲ୍ଲେଖ କରାଯାଇଛି ଯେ, ୨୦୧୫ , ଏପ୍ରିଲ ୨ତାରିଖରେ ପ୍ରଧାନମନ୍ତ୍ରୀ ରାଉରକେଲା ଗସ୍ତ ସମୟରେ ଘୋଷଣା କରିଥିଲେ ଯେ ଇସ୍ପାତ ଜେନେରାଲ ହସ୍ପିଟାଲକୁ ଏକ ମେଡିକାଲ କଲେଜ ଏବଂ ସୁପର ସ୍ପେସିଆଲିଟି ହସ୍ପିଟାଲରେ ବିକଶିତ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି କରିସାରିଛନ୍ତି। ଏଥି ସହିତ ୨୦୧୫ରେ ତତ୍କାଳୀନ ଇସ୍ପାତ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ରାଉରକେଲା ସାଂସଦଙ୍କୁ ଆଶ୍ୱାସନା ଦେଇଥିଲେ ଅତିଶୀଘ୍ର ମେଡିକାଲ କାର୍ଯ୍ୟ ଆରମ୍ଭ କରାଯିବ।
ହେଲେ ଏବେ କେବଳ ସୁପର ସ୍ପେସିଆଲିଟି ହସ୍ପିଟାଲ କରାଯାଇ, ଏହାର ଉଦଘାଟନୀ ଉତ୍ସବରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯାଇଛି। ତେଣୁ ମେଡିକାଲ କଲେଜ କୁଆଡ଼େ ଗଲା ବୋଲି ପ୍ରଶ୍ନ କରି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ। ଏହା ଏକ ବଡ଼ ରାଜନୈତିକ ବିବାଦର ସୂତ୍ରପାତ କରିଛି। ସେ ଆହୁରି ମଧ୍ୟ କହିଛନ୍ତି, ରାଉରକେଲା ଓ ସୁନ୍ଦରଗଡ଼ ଏକ ଆଦିବାସୀବହୁଳ ଅଞ୍ଚଳ ଅଟେ। ଏହି ଅଞ୍ଚଳରୁ ବହୁ ପରିମାଣରେ ଲୁହାପଥର, ଖଣି, କୋଇଲା ଏବଂ ଲକ୍ଷ ଲକ୍ଷ ଲୋକଙ୍କ ପରିଶ୍ରମ ଦେଶର ଉନ୍ନତିରେ ସହାୟକ ହେଉଛି। ଆଜି ଯଦି ରାଉରକେଲା ଇସ୍ପାତ କାରଖାନା ଦେଶ ଓ ବିଦେଶରେ ସୁନାମ ଅର୍ଜନ କରିପାରିଛି। ଏଥିରେ ରାଉରକେଲା ଏବଂ ସୁନ୍ଦରଗଡ଼ବାସୀଙ୍କର ବହୁତ ଅବଦାନ ରହିଛି ।
ଆଇଜିଏଚ ଏକ ମେଡିକାଲ କଲେଜରେ ଉନ୍ନୀତ ହୋଇଥିଲେ ଆଖପାଖ ଅଞ୍ଚଳର ଲୋକମାନେ ବିଶେଷ ଉପକୃତ ହୋଇଥାନ୍ତେ। ପ୍ରତିଶ୍ରୁତି ପୂରଣ ନହେବାରୁ ସେହି ଅଞ୍ଚଳବାସୀ ଓ ବିଶେଷ କରି ସୁନ୍ଦରଗଡ଼ ଏବଂ ରାଉରକେଲାବାସୀ ନିରାଶ ଏବଂ ଦୁଃଖିତ। ମେଡିକାଲ କଲେଜ ନକରି ମାତ୍ର ୨୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଟି ହସ୍ପିଟାଲ ହୋଇଥିବାରୁ ଲୋକେ ଅସନ୍ତୁଷ୍ଟ। ତେଣୁ ରାଉରକେଲା ଇସ୍ପାତ କାରଖାନାର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଅନ୍ତୁ, ଏହି ଘୋଷଣାକୁ ଗମ୍ଭୀରତାର ସହିତ ଗ୍ରହଣ କରି ମେଡିକାଲ କଲେଜର ନିର୍ମାଣ ଶୀଘ୍ର ପୂରଣ କରନ୍ତୁ ଏବଂ ଏହି ଆଦିବାସୀ ବହୁଳ ରାଉରକେଲା ଓ ସୁନ୍ଦରଗଡ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବିକୁ ପୂରଣ କରନ୍ତୁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

The post ରାଉରକେଲାର ଆଇଜିଏଚକୁ ନେଇ ତେଜିଲା ରାଜନୀତି: ଉଦଘାଟନୀ ଉତ୍ସବକୁ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ ପରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଲେ ରାଜ୍ୟ ଖଣି ମନ୍ତ୍ରୀ first appeared on Sambad.

from ଜିଲ୍ଲା | Sambad https://ift.tt/2OXw0Ie