
କଟକ : ମହିଳା ଓ ଶିଶୁ ଅଧିକାରକୁ ନେଇ କାର୍ଯ୍ୟ କରୁଥିବା ଟ୍ରଷ୍ଟ ‘ଉଡାନ’ ପକ୍ଷରୁ ଆଜି ଅନ୍ତର୍ଜାତୀୟ ମହିଳା ଦିବସ ସିଡିଏସ୍ଥିତ ଉଇଣ୍ଡସର୍ ପ୍ୟାଲେସରେ ଅନୁଷ୍ଠିତ ହୋଇଯାଇଛି। ଡକ୍ଟର ସୁଧୀର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଫିକି ଓଡ଼ିଶା କାଉନସିଲ ଅଧ୍ୟକ୍ଷା ତଥା ‘ସମ୍ବାଦ’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, ସାମଗ୍ରିକ ବିକାଶ ପାଇଁ ୫୦ ପ୍ରତିଶତ ମହିଳାଙ୍କ ସହଭାଗିତା ଜରୁରୀ ବୋଲି ମତ ରଖିଛନ୍ତି।
ଶ୍ରୀମତୀ ନୈୟାର କହିଛନ୍ତି ଯେ ଦେଶର ସମୁଦାୟ ଜନସଂଖ୍ୟାର ୪୯ ପ୍ରତିଶତ ହେଉଛନ୍ତି ମହିଳା। ସେହି ହାରରେ ସବୁକ୍ଷେତ୍ରରେ ୫୦ ପ୍ରତିଶତ ମହିଳାଙ୍କ ସହଭାଗିତା ମଧ୍ୟ ଆବଶ୍ୟକ। ଏହା ସମ୍ଭବ ହୋଇପାରିଲେ ମହିଳା ସଶକ୍ତିକରଣ ସଫଳ ହୋଇପାରିବ। ଏବେ ଫିକି ଓଡ଼ିଶା ଓ ‘ସମ୍ବାଦର ମିଳିତ ଉଦ୍ୟମରେ ‘ଓଡ଼ିଶା-୫୦ କାର୍ଯ୍ୟକ୍ରମ ଜରିଆରେ ପ୍ରତି ବ୍ଲକ୍ରୁ ମହିଳା ଉଦ୍ୟୋଗୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ପ୍ରଶିକ୍ଷିତ କରାଯାଉଛି। ଆଗାମୀ ଦିନରେ ରାଜ୍ୟର ୩୧୪ଟି ବ୍ଲକରୁ ୫ ହଜାର ମହିଳାଙ୍କୁ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କୁ ସ୍ବାବଲମ୍ବୀ କରିବାକୁ ଯୋଜନା ରହିଛି ବୋଲି ଶ୍ରୀମତୀ ନୈୟାର ସୂଚନା ଦେଇଥିଲେ।
ଉତ୍ସବରେ ମୁଖ୍ୟଅତିଥି ଭାବେ ରଶ୍ମି ସିଂହ ଯୋଗଦେଇ ମହିଳାମାନେ ସେମାନଙ୍କ ଅଧିକାର ପାଇଁ ସାହସର ସହିତ ଆଗକୁ ବଢ଼ିବା ଉଚିତ ବୋଲି କହିଥିଲେ।
ସମ୍ମାନିତ ଅତିଥି ଭାବେ ସିଏମ୍ସି କମିସନର ଅନନ୍ୟା ଦାସ ଯୋଗଦେଇ କହିଥିଲେ, କୋଭିଡ ମହାମାରୀ ମୁକାବିଲାରେ ମହିଳାଙ୍କ ଯଥେଷ୍ଟ ସହଭାଗିତା ଥିଲା ବୋଲି କହିଥିଲେ। ମହିଳାମାନେ କୌଣସି ପରିସ୍ଥିତିରେ ଗୌଣ ନୁହନ୍ତି।
ଡକ୍ଟର କ୍ରୀଷ୍ଣା କାବେରୀ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ଲିଙ୍ଗଗତ ପ୍ରଭେଦ ଉପରେ ନିଜର ମତ ରଖିଥିଲେ। ପ୍ରଫେସର ଡାକ୍ତର ଲିନା ଦାସ ମଧ୍ୟ ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ପାଇଁ ସର୍ବଦା ଉତ୍ସର୍ଗୀକୃତ ବୋଲି କହିଥିଲେ। ‘ଉଡାନ’ର ସିଇଓ ଗୀତା ପାଣିଗ୍ରାହୀ ଅନୁଷ୍ଠାନର ଆଭିମୁଖ୍ୟ ସଂପର୍କରେ ମତ ରଖିବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବୈଶାଳୀ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଦୁଇ ଶହ ମହିଳା ପ୍ରତିନିଧି ଯୋଗ ଦେଇଥିଲେ।
The post ଉଡ଼ାନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ : ସାମଗ୍ରିକ ବିକାଶ ପାଇଁ ମହିଳାଙ୍କ ୫୦ ପ୍ରତିଶତ ସହଭାଗିତା ଜରୁରୀ first appeared on Sambad.
from ଜିଲ୍ଲା – Sambad https://ift.tt/3qwGF9Q
0 Comments