କଟକ/ମହାନଦୀବିହାର: ‘ମୁଁ ଅଖନା କହୁଛି …ମତେ ଜାଣି ପାରୁନ… ମାସକୁ ଦୁଇ ଲକ୍ଷ ବଟି ଦିଅ.. ମୋ ପିଲା ଚଳିବେ… ଟଙ୍କା ନ ଦେଲେ ଦୀପାବଳି କରିବି …’ଚୌଦ୍ୱାର ଜେଲ ଭିତରୁ ଗ୍ୟାଙ୍ଗଷ୍ଟର ଅଖନା ସାହୁ ଚାଉଳିଆଗଞ୍ଜ ଅଞ୍ଚଳର ଜଣେ ହସ୍ପିଟାଲ ମାଲିକଙ୍କୁ ଫୋନରେ ଧମକ ଦେବା ସହ ତାଙ୍କୁ ମାସକୁ ଦୁଇ ଲକ୍ଷ ଟଙ୍କା ବଟି ମାଗିବା ଓ ବଟି ଟଙ୍କା ନ ଦେଲେ ତାଙ୍କ ହସ୍ପିଟାଲ ଉପରେ ବୋମା ଓ ଗୁଳି ମାଡ଼ କରିବାର ଧମକ ଦେବା ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଗୋଟିଏ ପଟେ ଅପରାଧୀମାନେ ଖୁଲମଖୁଲା ଜେଲରେ ମୋବାଇଲ ଫୋନ୍ ବ୍ୟବହାର କରି ଧମକ ଦେବା ଘଟଣା ଜେଲ୍‌ର ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି। ଚାଉଳିଆଗଞ୍ଜ ପୁଲିସ ଅଖନା ନାମରେ ଦଫା ୩୮୭/୫୦୬ ରେ ମାମଲା ରୁଜୁ କରିବା ସହିତ ଗତକାଲି ଚୌଦ୍ୱାର ଜେଲ ଉପରେ ଏକ ସ୍ପେସାଲ ଟିମ ଚଢାଉ କରି ଅଖନାକୁ ମାରାଥନ ଜେରା କରିବା ପରେ ତା ଠାରୁ ଗୋଟିଏ ସିମ କାର୍ଡ ଜବତ କରିଛି।

ଏହି ନମ୍ବରରୁ ଅଖନା ହସ୍ପିଟାଲ ମାଲିକଙ୍କୁ ଧମକ ଦେଇଥିବା ପୁଲିସ ଜାଣିବାକୁ ପାଇଛି। ଚାଉଳିଆଗଞ୍ଜ ଅଞ୍ଚଳରେ ୫ରୁ ଅଧିକ ଯୁବକ ବିଭିନ୍ନ ସମୟରେ କଟକର ବିଭିନ୍ନ ଅଞ୍ଚଳରେ ବ୍ୟବସାୟୀ ମାନଙ୍କ ସଂପର୍କରେ ଜେଲରେ ଥିବା ଅପରାଧୀ ମାନଙ୍କୁ ଖବର ଦେଇଥାନ୍ତି। ଏହି ଯୁବକ ମାନେ ବ୍ୟବସାୟୀ ମାନଙ୍କ ଉପରେ ନଜ଼ର ରଖିବା ପରେ ସେ ସବୁର ସମ୍ପୂର୍ଣ୍ଣ ତଥ୍ୟ ଗ୍ୟାଙ୍ଗଷ୍ଟର ମାନଙ୍କୁ ଯୋଗାଇ ନିଜର କମିଶନ ହାସଲ କରୁଥିବା ପୁଲିସ ଜାଣିବାକୁ ପାଇଛି। ଅଖନା ସାହୁ ନାମରେ ପୂର୍ବରୁ ହତ୍ୟା, ହତ୍ୟାଉଦ୍ୟମ, ଦାଦାବଟି, ବେଆଇନ ବନ୍ଧୁକ କାରବାର, ଟେଣ୍ଡରଫିକ୍ସିଂ ଭଳି ପ୍ରାୟ ପନ୍ଦର ରୁ ଅଧିକ ଅଭିଯୋଗ ଚାଉଳିଆଗଞ୍ଜ, କେନ୍ଦ୍ରାପଡା ଥାନାରେ ରାହଥିବା ବେଳେ କିଛି ମାସ ପୂର୍ବରୁ ଅଖନାକୁ ଚାଉଳିଆଗଞ୍ଜ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତା’ ବିରୁଦ୍ଧରେ ଜାତୀୟ ନିରାପତ୍ତା ଆଇନ ଲଗାଯାଇଥିଲା

The post ଜେଲ୍ ଭିତରୁ ଗ୍ୟାଙ୍ଗଷ୍ଟର ଅଖନା ସାହୁର ଧମକ: ‘ମୁଁ ଅଖନା କହୁଛି ...ମତେ ଜାଣି ପାରୁନ... ମାସକୁ ଦୁଇ ଲକ୍ଷ ବଟି ଦିଅ..’ first appeared on Sambad.



from ଜିଲ୍ଲା – Sambad https://ift.tt/2MDjjlb