ଜୟପୁର: ଜଙ୍ଗଲ ବୃଦ୍ଧି, ସୁରକ୍ଷା ଓ ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ବ‌ୃକ୍ଷରୋପଣ କାର୍ଯ୍ୟକ୍ରମ ହେଉଛି। ଜିଲ୍ଲାର କୋରାପୁଟ ଜୟପୁର ବନଖଣ୍ଡର ୬ଟି ରେଂଜରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏମଜିନରେଗା, କାମ୍ପା, ଏଗ୍ରୋ ଫରେଷ୍ଟରୀ, ଏଭିନ୍ୟୁ ପ୍ଲାଣ୍ଟେସନ ସହ ପ୍ଲାନିଂ ଏବଂ ନନ୍ ପ୍ଲାନିଂ ଯୋଜନାରେ କୋଟି କୋଟି ଟଙ୍କାର ଅନୁଦାନରେ ଲକ୍ଷାଧିକ ବୃକ୍ଷ ରୋପଣ ହେଉଛି। ତେବେ ପରବର୍ତ୍ତୀ ବର୍ଷ ଏହି ଗଛ ଗୁଡିକ କେଉଁ ଅବସ୍ଥାରେ ରହିଛି, ବଂଚିଛି ନା ମରିଗଲାଣି, ନା ବଂଚିବା ପ୍ରୟାସରେ ରହିଛି, ବର୍ଷ ତମାମ ତାହାର ରକ୍ଷଣାବେକ୍ଷଣ ହେଲା କି ନାହିଁ, ଗଛର ଆକାର ଓ ପ୍ରକାର ଏବଂ ବୃଦ୍ଧି ଆଦିର ତଦାରଖ କିମ୍ବା କ୍ଷେତ୍ର ପ୍ରଦର୍ଶନ ହେଉନ ଥିବା ପରିବେଶବିତ୍ ରାଜେଶ ପାଣିଗ୍ରାହୀ, ଏମକେ ଦାଶ, ଅଶୋକ ମିଶ୍ର, କାର୍ତ୍ତିକ ରାଉତ ଆଦି ଅଭିଯୋଗ କରିଛନ୍ତି।

ପୂର୍ବବର୍ଷ କେତେ ଗଛ ବଂଚିଥିଲା ତାହାର ଉତ୍ତର କେହି ଦେବାକୁ ନାରାଜ। ଅନ୍ୟ ପଟେ କାଠ ମାପିଆ, କାଠ ଚୋରମାନେ ବିଭାଗୀୟ କିଛି ନ୍ୟାସ୍ତସ୍ବାର୍ଥ କର୍ମଚାରୀଙ୍କୁ ହାତବାରିସୀ କରି ଗ୍ରାମାଂଚଳର ନିରୀହ ଯୁବକ ମାନଙ୍କୁ କାଠ ଚୋରିରେ ନିୟୋଜିତ କରୁଛନ୍ତି। ଏମାନେ ଘଂଚ ଜଙ୍ଗଲକୁ ପଦା କରି ସାରିଲେଣି। ଏହି ସ୍ଥିତିରେ ଜୟପୁର ଉପଖଣ୍ଡର ପରିବେଶର ସନ୍ତୁଳନ ବିଗଡିଯାଇଛି, ସବୁଜ ହରାଭରା ପାହାଡ ପର୍ବତ ଆଜି ଟାଙ୍ଗାରା ଭୁଇଁ ପାଲଟିଛି ବୋଲି କହିଛନ୍ତି ପରିବେଶବିତ୍। ଠିକଣା ସମୟରେ ଯେଉଁ ଅନୁପାତରେ ଏବଂ ଯେତେ ପରିମାଣର ବର୍ଷା ହେବା କଥା ଜିଲ୍ଲାରେ ହେଉନି।

ଜିଲ୍ଲାର ଭୌଗଳିକ ସ୍ଥିତି ୮୮୦୭ସ୍କୋୟର କିଲୋ ମିଟର। ଏଥିରୁ ୧୮୭୯.୫୩ ସ୍କୋୟର କିଲୋ ମିଟର ପରିମିତ ପରିଧି ଅଂଚଳରେ ଜଙ୍ଗଲ ରହିଛି। ଏଥିରେ ସଂରକ୍ଷିତ ଜଙ୍ଗଲ ୩୦ହଜାର୨୫୧.୨ହେକ୍ଟର, ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ୩୯୭୭୯ ହେକ୍ଟର, ଅତ୍ୟନ୍ତ ଘଂଚ ଜଙ୍ଗଲ ୧୬୨ହେକ୍ଟର, ଦୁର୍ଗମ ଘଂଚ ଜଙ୍ଗଲ ୧୦୦ହେକ୍ଟର, ଗ୍ରାମ୍ୟ ଜଙ୍ଗଲ ୫୫୩.୧୬ ହେକ୍ଟର, ରାଜସ୍ବ ବିଭାଗର ଜଙ୍ଗଲ ୯୪୦୩ ହେକ୍ଟର ଜଙ୍ଗଲ ରହିଥିବା ସରକାରୀ ଭାବେ ସୂଚନା ମିଳିଛି। ଜଙ୍ଗଲରୁ ଶାଳ ମଂଜି, ବାଉଁଶ, ଔଷଧୀୟ ଗୁଳ୍ମ, ଝୁଣା, ମହୁଲ, ଲାଖ ଆଦି ବନ୍ୟ ଜାତ ଦ୍ରବ୍ୟ ସଂଗ୍ରହ କରି ଜଙ୍ଗଲପାର୍ଶ୍ବ ବନବାସୀ ମାନେ ବଂଚୁଥିଲେ।

Sambad

ଏବେ ଏହା ନ ମିଳିବାରୁ ବନବାସୀ ମାନେ ବି ଦିନ ମଜୁରିଆ କିମ୍ବା ଦାଦନ ସାଜି ଅନ୍ୟ ରାଜ୍ୟକୁ କାମଧନ୍ଦା କରିବାକୁ ଫଳାଇ ଯାଉଛନ୍ତି। ଜଙ୍ଗଲ ପଦା ହେବା ପରେ ବନ୍ୟଜନ୍ତୁ ଖାଦ୍ୟ ନ ପାଇ ଜଙ୍ଗଲ ଛାଡି ସହର ମୁହାଁ ହେଲେଣି। ଜୟପୁରରୁ କୋରାପୁଟ ଘାଟିର ଦେଓଘାଟି, ଜୟପୁରରୁ ମାଲକାନଗିରି ଯିବା ରାସ୍ତାରେ ପାତ୍ରପୁଟ, ଜୟପୁର ଲମତାପୁଟ ଯିବା ରାସ୍ତାର ପେଟାଘାଟି, ବୈପାରୀଗୁଡା-ଟାଙ୍ଗିନୀଗୁଡା ମଧ୍ୟରେ ଜାତୀୟ ରାଜପଥ ଉପରେ ଏହି ମାଙ୍କଡ ପଲ ଆସି ବସା ପକାଇଛନ୍ତି।। ଖାଦ୍ୟ ଅନ୍ବେଷଣରେ ମାଙ୍କଡ ଗୁଡିକ ରାସ୍ତା ଉପରକୁ ପଳାଇ ଆସୁଛନ୍ତି। ବହୁ ସମୟରେ ଦୁର୍ଘଟଣାର ବି ଶୀକାର ହେଉଥିବା ନଜିର ରହିଛି।

କୋରାପୁଟ ଜିଲ୍ଲା ଜୟପୁର ବନଖଣ୍ଡର ଭୌଗଳିକ ପରିଧିରେ ୪୯ପ୍ରତିଶତ ଜଙ୍ଗଲ ରହିଛି, ଏବଂ ଜଙ୍ଗଲ କେତେ ପ୍ରତିଶତ ବୃଦ୍ଧି ପାଇଛି ସେ ନେଇ ଏଫ୍ଏସ୍ଆଇର ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହୋଇପାରିବ ବୋଲି କହିଛନ୍ତି ଜୟପୁର ଡିଏଫଓ ଏନଏସଜେପି ସିଂହ। ପ୍ରତିବର୍ଷ ବିଭିନ୍ନ ଯୋଜନାରେ ବୃକ୍ଷ ରୋପଣ କରିବା ପରେ ଖରା ମାସ ବେଳେ କିଛି ଗଛ ମରି ଯାଇଥାଏ। ତେବେ ସେହି ସ୍ଥାନରେ ପରବର୍ତ୍ତୀ ବର୍ଷ ଲଗାଯାଏ ବୋଲି କହିଛନ୍ତି ଡିଏଫଓ। ପ୍ରତ୍ୟେକ ଯୋଜନାରେ ପୂର୍ବରୁ ପ୍ଲାନିଂ, ମ୍ୟାପିଂ କରାଯିବା ସହ ଏହାର ଦାୟିତ୍ବରେ ଅଧିକାରୀ ମାନେ ରହିଛନ୍ତି। ଏବଂ ସେମାନେ ତଦାରଖ କରନ୍ତି ବୋଲି କହିଛନ୍ତି ଡିଏଫଓ। କାଠ ଚୋର, ଅଙ୍ଗାର କାଉଡିଆ ଏବଂ ପୋଡ଼ୁଚାଷୀ ମାନେ ଚିରାଚରିତ ଏବଂ ଅଭ୍ୟାସଗତ ଭାବେ ଜଙ୍ଗଲରେ ନିଆଁ ଲଗାଇବା, ଏବଂ କାଠ ଚୋରି ନେବା କାମ କରୁଛନ୍ତି।

ଆମ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ନିୟମିତ ଚଢ଼ାଉ କରି ଏଭଳି କିଛି ଅପରାଧିଙ୍କୁ ଗିରଫ କରି କୋର୍ଟକୁ ବି ଚାଳାଣ କରିଛନ୍ତି। ବାରମ୍ବାର ଚଢ଼ାଉ କଲେ ଏମାନେ ବନ୍ଦ କରନ୍ତି। ବିଭିନ୍ନ ଯୋଜନାରେ ଗଛ ଲାଗୁଥିବାରୁ ଜଙ୍ଗଲ ପଦା ହେଉନି ତେବେ କେତେ ପ୍ରତିଶତ ବୃଦ୍ଧି ପାଇଛି ତାହା ଏଫ୍ଏସ୍ଆଇ(ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ) ରିପୋର୍ଟ ପ୍ରକାଶ ପାଇବା ପରେ ହିଁ ସ୍ପଷ୍ଟ ଭାବେ କହିବା ଠିକ୍ ବୋଲି କହିଛନ୍ତି ଡିଏଫଓ।

The post ବୃକ୍ଷରୋପଣ ପ୍ରତିବର୍ଷ, କେତେ ବଂଚୁଛି ପ୍ରଶ୍ନର ଉତ୍ତର ମିଳୁନି? first appeared on Sambad.



from ଜିଲ୍ଲା – Sambad https://ift.tt/3rMDdcA