
କୋଣାର୍କ : ଚନ୍ଦ୍ରଭାଗାଠାରେ ଦୁଇ ଦିନିଆ ବିଜେଡି ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। ଆଜି ଅପରାହ୍ଣରେ ଅନୁଷ୍ଠିତ ଉଦ୍ଯାପନୀ ଅଧିବେଶନରେ ବିଧାୟକ ତଥା ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଦଳୀୟ ସାଂଗଠନିକ ଅଭିବୃଦ୍ଧିରେ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ଭୂମିକା ସଂପର୍କରେ ଶ୍ରୀ ପଟ୍ଟନାୟକ ବକ୍ତବ୍ୟ ରଖିବା ସହ ଶିବିରରେ ଯୋଗ ଦେଇଥିବା ଛାତ୍ର, ଯୁବକ, ମହିଳାଙ୍କ ସମେତ ଦଳୀୟ କର୍ମକର୍ତ୍ତାଙ୍କୁ ଏ ସମ୍ପର୍କରେ ବୁଝାଇଥିଲେ। ଗଣମାଧ୍ୟମ ଅପୂର୍ବ ସମ୍ଭାବନାର ଅଧିକାରୀ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସେ କହିଲେ ଯେ ସାମାଜିକ ଗଣମାଧ୍ୟମ ବ୍ୟବହାର ସ୍ବଚ୍ଛ, ନିରପେକ୍ଷ ଓ ଶାଳୀନତା ସଂପନ୍ନ ହେବା ଦରକାର। କୌଣସି ସଂଗଠନକୁ ସୁଦୃଢ଼ କରିବାକୁ ହେଲେ ସାମାଜିକ ଗଣମାଧ୍ୟମର ବଳିଷ୍ଠ ଭୂମିକା ରହିଛି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନେତୃତ୍ବରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିର ବାସ୍ତବରେ ପ୍ରଶଂସାଯୋଗ୍ୟ ବୋଲି ସେ କହିଥିଲେ।
ଏହି ଅବସରରେ ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି କହିଲେ ଯେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ତାଙ୍କୁ ବନାରସ ବିଶ୍ବ ବିଦ୍ୟାଳୟରେ ପାଠ ପଢ଼ାଇଥିବାରୁ ସେ ତାଙ୍କର ଗୁରୁ ତୁଲ୍ୟ। ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦ୍ବାରା ବୁଧବାର ଉଦ୍ଘାଟିତ ଏହି ପ୍ରଶିକ୍ଷଣ ଶିବିରର ଉଦ୍ଯାପନୀ ଅଧିବେଶନରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ରାଜେନ୍ଦ୍ର ସାହୁ, ପ୍ରଶାନ୍ତ ମୁଦୁଲି, ରାଜ୍ୟ ଯୁବ ବିଜେଡି ସଂପାଦିକା ଏଲିନା ଦାଶ, ଛାତ୍ର ବିଜେଡିର ରାଜ୍ୟ ସଂପାଦିକା ଇପ୍ସିତା ସାହୁ ପ୍ରମୁଖ ପ୍ରଶିକ୍ଷକ ଭାବେ ଉପସ୍ଥିତ ଥିଲେ।
ପ୍ରଶିକ୍ଷଣ ଶିବିରର ଦ୍ବିତୀୟ ଦିନ ପ୍ରଥମ ଅଧିବେଶନରେ ବିଧାୟକ ପ୍ରତାପ ଦେବ ନିର୍ବାଚନ ମଣ୍ଡଳୀର ବୁଦ୍ଧିଜୀବୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଦଳୀୟ କାର୍ଯ୍ୟକ୍ରମ ସହିତ ପ୍ରତ୍ୟକ୍ଷ ଭାବେ ଅଂଶ ଗ୍ରହଣ କରିପାରୁନଥିଲେ ମଧ୍ୟ ଅଂଚଳର ବୁଦ୍ଧିଜୀବୀମାନଙ୍କ ସ୍ନେହ, ଶ୍ରଦ୍ଧା ଓ ମାର୍ଗଦର୍ଶନ ବିଜେଡିକୁ ବିଜୟ ମକୁଟ ପିନ୍ଧାଇ ଚାଲିଛି ବୋଲି ବିଧାୟକ ଶ୍ରୀ ଦେବ ମତ ରଖିଥିଲେ।
ତୃଣମୂଳ ସ୍ତରରୁ ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ନିମାପଡ଼ା-ଗୋପ ବିଜୁ ଜନତା ଦଳ ପକ୍ଷରୁ ଛଅଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗୃହୀତ ହୋଇଥିଲା। ତୃଣମୂଳ ସ୍ତରରୁ ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ନିମାପଡ଼ା- ଗୋପ ବିଜୁ ଜନତାଦଳ ପକ୍ଷରୁ ସାଙ୍ଗଠନିକ ଚିଠା ପ୍ରସ୍ତାବ ଓ ରାଜନୈତିକ ଚିଠା ପ୍ରସ୍ତାବ ସମେତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ , ଧନୁଆଁ ବନ୍ୟାର ସ୍ଥାୟୀ ପ୍ରତିକାର, ବଳଙ୍ଗା ଠାରେ ଶୀତଳ ଭଣ୍ଡାର ପ୍ରତିଷ୍ଠା, ଅସ୍ତରଂଗରେ ବନ୍ଦର ପ୍ରତିଷ୍ଠା କରି ପୁରୀ, କୋଣାର୍କ ଓ ଭୁବନେଶ୍ବରକୁ ରେଳପଥ ସଂଯୋଗୀକରଣ , ନିମାପଡ଼ାକୁ ଉପଖଣ୍ଡ ମାନ୍ୟତା, ନିମାପଡ଼ା ଡ଼ାକ୍ତରଖାନାକୁ ଉପଖଣ୍ଡ ସ୍ତରୀୟ ଡ଼ାକ୍ତରଖାନାରେ ପରିଣତ କରିବା ଭଳି ଛଅଟି ଗୁରୁତ୍ବପୂର୍ଣ୍ଣ ସଂକଳ୍ପନାମା ଗୃହୀତ କରାଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଯାଇଥିଲା। ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅଧୀନ ୪୬ଟି ପଞ୍ଚାୟତ ଓ ଏନ୍ଏସିର ୧୧ଟି ୱାର୍ଡର କର୍ମକର୍ତ୍ତାମାନେ ଏହି ଅବସରରେ ପ୍ରଶିକ୍ଷଣ ନେଇଥିଲେ।
ନିମାପଡ଼ା ବ୍ଳକ୍ ବିଜେଡି ସଭାପତି ଅଶୋକ କୁମାର ସାହୁ, ଗୋପ ବ୍ଲକ୍ ବିଜେଡି ସଭାପତି ମଧୁସୁଦନ ପାଇକରାୟ, ନିମାପଡ଼ା ନଗର ବିଜେଡି ସଭାପତି ଜୀବନାନନ୍ଦ ମହାପାତ୍ର, ଯୁବନେତା ପ୍ରଦୀପ୍ତ ଖଟେଇ, ଜଗତସିଂହପୁର ସାଂସଦଙ୍କ ନିମାପଡ଼ା ପ୍ରତିନିଧି ସୁଧିର ରଂଜନ ଦାଶ, ପୁରୀ ଜିଲ୍ଲା ପ୍ରତିନିଧି ବିଜୟ କୁମାର ପଟ୍ଟନାୟକ, ଗୋପ ବ୍ଳକ୍ ଛାତ୍ର ସଭାପତି ଦେବାଶିଷ ସାହୁ, ଦଳୀୟ ସୋସିଆଲ ମିଡିଆ ସେଲ୍ର ବିନ୍ଦାସ ଚିନୁ, ମନଦୀପ ପାଇକରାୟ, ପୁରୀ ଜିଲ୍ଲା ଯୁବ ବିଜେଡି ସାଧାରଣ ସଂପାଦକ ସୀତାମ ଆଲାବ ସେକ୍, ପୁରୀ ସାଂସଦଙ୍କ ଗୋପ ବ୍ଲକ୍ ପ୍ରତିନିଧି ବାଲୁଙ୍କେଶ୍ବର ସାହୁ ପ୍ରମୁଖ ଶିବିର ପରିଚାଳନା କରିଥିଲେ।
The post ଚନ୍ଦ୍ରଭାଗାଠାରେ ଦୁଇ ଦିନିଆ ବିଜେଡି ପ୍ରଶିକ୍ଷଣ ଶିବିର ଉଦ୍ଯାପିତ first appeared on Sambad.
from ଜିଲ୍ଲା – Sambad https://ift.tt/3e9VEEd
0 Comments