
ବ୍ରହ୍ମଗିରି : ବିଶ୍ବରେ ବିଲୁପ୍ତ ପ୍ରାୟ ବିରଳ ‘ଫିସିଂ କ୍ୟାଟ୍’ର ଗଣନା ଚିଲିକା କୂଳରେ ଆରମ୍ଭ ହୋଇଛି। ଏହି ଗଣନା ଏକ ମାସ ପର୍ଯ୍ୟନ୍ତ ଚାଲିବ।
ଭାରତ ସମେତ ବିଶ୍ବର ମାତ୍ର ୮ଟି ଦେଶରେ ଏହି ବିଲୁପ୍ତ ପ୍ରାଣୀ ଦେଖା ଯାଇଥାନ୍ତି। ସୌଭାଗ୍ୟର କଥା, ଓଡ଼ିଶାରେ ମଧ୍ୟ ଏହି ବିରଳ ଜନ୍ତୁ ଏବେ ବି ରହିଛନ୍ତି। ତେବେ ଏମାନଙ୍କ ବଂଶ ବିଲୁପ୍ତ ପ୍ରାୟ। ବନ୍ୟଜନ୍ତୁ ଆଇନ, ୧୯୭୨ର ସିଡ୍ୟୁଲ–୧ରେ ଏମାନଙ୍କୁ ରଖାଯାଇଛି। ଏମାନଙ୍କ ବଂଶ ବିସ୍ତାର ନେଇ ଆଜି ପର୍ଯ୍ୟନ୍ତ କୌଣସି ସଠିକ ପ୍ରମାଣ ବିଶେଷଜ୍ଞ ପାଇ ପାରିନାହାନ୍ତି।
ବାଘ ଛୁଆ ଭଳି ଦେଖିବାକୁ ଏହି ବିରଳ ପ୍ରାଣୀ ଚିଲିକା କୂଳ ସହିତ ଅସ୍ତରଙ୍ଗ, କୋଣାର୍କ, ବାଲୁଖଣ୍ତ ଅଭୟାରଣ୍ୟ ଓ ରାଜନଗର ପ୍ରଭୃତି ଅଞ୍ଚଳରେ ଦେଖାଯାଇଥାନ୍ତି। ଚିଲିକା ଉପକୂଳ ସହିତ ବ୍ରହ୍ମଗିରି ରେଞ୍ଜରେ ଏମାନଙ୍କ ଉପସ୍ଥିତି ସବୁଠାରୁ ଅଧିକ ରହିଛି। ଅନେକଥର ବନ ବିଭାଗ ଏମାନଙ୍କୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଛି।
ଏମାନଙ୍କ ଉପସ୍ଥିତି ସମ୍ପର୍କରେ ଜାଣିବା ପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ), ବନ ବିଭାଗ ଓ ବିଶେଷଜ୍ଞ ଆଗକୁ ଆସିଛନ୍ତି। ସିଡିଏ ପକ୍ଷରୁ ଚିଲିକା ଉପକୂଳରେ ୩ଟି ଜୋନ କରାଯାଇଛି। ୩ ଜୋନ୍ ହେଲା ସୋରଣ, ମଙ୍ଗଳାଯୋଡ଼ି ଓ ବ୍ରହ୍ମଗିରି ବ୍ଲକ୍ର ହରିଦାସ। ହରିଦାସ ଜୋନ୍ରେ କ୍ଷେତାଣ୍ତି ଓ ତିନି ମୁହାଣି (ବଡ଼ଗୋଠ) ରହିଛି। ଏହି ସବୁ ଜୋନ୍ରେ ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କୁ ନେଇ ଗୋଷ୍ଠୀ ତିଆରି ହୋଇଛି। ହରିଦାସରେ ‘ବାଲୁଙ୍କେଶ୍ବର ବାର୍ଡ ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ଟ ରିସର୍ଚ ସମିତି’ ରହିଛି। ସେହି ଭଳି ସୋରଣ ଓ ମଙ୍ଗଳାଯୋଡ଼ିରେ ମଧ୍ୟ କମିଟି ରହିଛି। ସ୍ଥାନୀୟ ସମିତି ଏମାନଙ୍କ ଉପସ୍ଥିତି ସମ୍ପର୍କରେ ନିୟମିତ ଅନୁଧ୍ୟ୍ୟାନ କରି ବନ ବିଭାଗ ଓ ସିଡିଏ ସହିତ ବିଶେଷଜ୍ଞମାନଙ୍କୁ ରିପୋର୍ଟ ଦେବା ପରେ ଏହି ବିରଳ ପ୍ରାଣୀ ଚିଲିକା ଉପକୂଳରେ ଥିବା ଜଣାପଡ଼ିଛି।
ଏହାପରେ ସିଡିଏ, ଚିଲିକା ୱାଇଲ୍ଡ ଲାଇଫ୍ ଡିଭିଜନ ଏବଂ ସ୍ଥାନୀୟ କମିଟି ପକ୍ଷରୁ ଗଣନା ସହିତ ଅବସ୍ଥିତି ସମ୍ପର୍କରେ ଆରମ୍ଭ ହୋଇଛି ସର୍ବେକ୍ଷଣ।
The post ପ୍ରଥମଥର ପାଇଁ ‘ଫିସିଂ କ୍ୟାଟ୍’ ଗଣନା, ଲାଗିଲା କ୍ୟାମେରା, ବାସସ୍ଥଳୀ ଚିହ୍ନଟ କଲେ ବିଶେଷଜ୍ଞ first appeared on Sambad.
from ଜିଲ୍ଲା – Sambad https://ift.tt/2MKzhdj
0 Comments