୨୦ ହଜାର ଗଛ ଲଗାଇଲେଣି, ଲ‌କ୍ଷେ ପାଇଁ ଲକ୍ଷ୍ୟ

ଚଣ୍ତିଖୋଲ: ଚାରାଗଛଟିଏ ଦେଖିଲେ ମନ ଭିତରେ ଜାଗିଉଠେ ମମତା। ତାକୁ ସେ ଯତ୍ନରେ‌ କେଉଁଠି‌ ପୋତିଦିଅନ୍ତି। ପାଣି ଦିଅନ୍ତି। ବାଡ଼ ବୁଜି ଦିଅନ୍ତି। ଗଛଟି ବଢ଼ିଲେ ତାଙ୍କ ମନ ଖୁସିରେ ଭରିଯାଏ। ଏହି ଗଛଲଗା ଅଭ୍ୟାସ ଏବେ ତାଙ୍କର ନିଶା। ପେନ୍‌ସନ ଅର୍ଥରେ ଭ୍ ୧୫ ବର୍ଷ ଧରି ଏମିତି ଗଛ ଲଗାଇ ଆସୁଛନ୍ତି। ଏଭଳି ନିସ୍ବାର୍ଥପର କାର୍ଯ୍ୟ ଯୋଗୁ ସେନାବାହିନୀର ସେବାନିବୃତ୍ତ କର୍ମଚାରୀ କ୍ଷୀରୋଦ କୁମାର ଜେନାଙ୍କୁ ସ୍ଥାନୀୟ ଲୋକେ ଗଛ ମଣିଷ ବୋଲି କହିଲେଣି। ବଡ଼ଚଣା ବ୍ଲକ ଗୋପାଳପୁର ପଞ୍ଚାୟତ କଳାଶ୍ରୀ ଗ୍ରାମର କ୍ଷୀ‌ରୋଦ କୁମାର ଏଯାଏ ୨୦ ହଜାରରୁ ଅଧିକ ଆମ୍ବଗଛ ଲଗାଇ ସାରିଲେଣି। ସେ ନିଜେ ବାଇକ୍‌ରେ ଆମ୍ବଚାରା ନେଇ ବିଭିନ୍ନ ସ୍ଥାନ ରାସ୍ତାକଡ଼ରେ ଲଗାଇଥାନ୍ତି। ଗଛର ସୁରକ୍ଷା ପାଇଁ ବାଡ଼ ବୁଜି ନିଜେ ପାଣି ଦେଇଥାନ୍ତି।

୨୦୦୫ରେ ସେ ଚାକିରିରୁ ଅବସର ନିଅନ୍ତି। ଏହାପରେ ସେ ଅନ୍ୟକୌଣସି କାର୍ଯ୍ୟରେ ମନୋନିବେଶ ନକରି କେବଳ ଆମ୍ବଗଛ ଲଗାଇ ଚାଲିଥିଲେ। ସେ ପ୍ରଥମ କରି ତାଙ୍କ ଗାଁ ଦେଇ ଯାଇଥିବା ପଟାମୁଣ୍ତାଇ କେନାଲ ବନ୍ଧରେ ଆମ୍ବ ଚାରା ରୋପଣ କରିଥିଲେ। ବର୍ତ୍ତମାନ ସେ ଗଛଗୁଡ଼ିକ ବଡ଼ ହୋଇ ଫଳ ଧରିଲାଣି। ବଡ଼ଚଣା ବ୍ଲକର ଗୋପାଳପୁର, ମଝିପଡ଼ା, ରଇପୁର, ସାଉଡ଼ିଆ, ଅଣକା, କୋଲଣଗିରି ଆଦି ପଞ୍ଚାୟତ ସମେତ ବରୀ ଓ କେନ୍ଦ୍ରାପଡ଼ାର ଡେରାବିଶ ବ୍ଲକର କେତେକ ଅଞ୍ଚଳରେ ସେ ବୁଲିବୁଲି ୨୦ହଜାର ଆମ୍ବଗଛ ଲଗାଇ ସାରିଛନ୍ତି। ଏଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୨ରୁ ୧୩ ହଜାର ଗଛ ବଞ୍ଚିଥିବାନେଇ ସେ ସୂଚନା ଦେଇଛନ୍ତି। ଆମ୍ବଗଛ ଲଗାଇବା ଦ୍ବାରା ପରିବେଶ ସୁରକ୍ଷା ହେବା ସହ ତା’ର ଫଳକୁ ଜଣେ ଖାଇପାରିବେ। ସାରା ଓଡ଼ିଶାରେ ଖାଲି ପଡ଼ିଥିବା ସ୍ଥାନରେ ଯଦି ଆମେ ଆମ୍ବଗଛ ଲଗାନ୍ତେ ତେବେ ଆମ୍ବ ପାଇଁ ଆମେ ଆଉ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରନ୍ତେ ନାହିଁ ବୋଲି ସେ କୁହନ୍ତି। ସେ ତାଙ୍କ ପେନସନ ଅର୍ଥରେ ଆମ୍ବଗଛ ଲଗାଉଛନ୍ତି ବୋଲି ସେ କହିଛନ୍ତି। ତାଙ୍କର ଏହି ଉତ୍ସର୍ଗିକୃତ କାର୍ଯ୍ୟ ଯୋଗୁଁ ରାଜ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ‘ପ୍ରକୃତି ବନ୍ଧୁ ପୁରସ୍କାର’ ପ୍ରଦାନ କରାଯାଇଛି। ରାଜ୍ୟ ପୁଲିସ୍‌ ବାହିନୀ ସମେତ ରାଜ୍ୟର ବହୁ ଅନୁଷ୍ଠାନ ତାଙ୍କୁ ଏଥିପାଇଁ ସମ୍ବର୍ଦ୍ଧିତ ଓ ସମ୍ମାନିତ କରିଛନ୍ତି।

The post ୨୦ ହଜାର ଗଛ ଲଗାଇଲେଣି, ଲ‌କ୍ଷେ ପାଇଁ ଲକ୍ଷ୍ୟ first appeared on Sambad.

from ଜିଲ୍ଲା | Sambad https://ift.tt/39068Tj

Post a Comment

0 Comments