ଦିଗପହଣ୍ତି/ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ଧାନ କିଣାରେ ଅଚଳାବସ୍ଥା ଲାଗି ରହିଛି। ଟୋକନ୍ ଥାଇ ଧାନ ବିକି ନପାରି ହଜାର ହଜାର ଚାଷୀ ମୁଣ୍ତରେ ହାତ ଦେଇ ବସିଛନ୍ତି। ଏଣେ ସମବାୟ ସଂପାଦକଙ୍କ ବେଆଇନ କାର୍ଯ୍ୟ ଯୋଗୁଁ ପ୍ରକୃତ ଚାଷୀ ଧାନ ବିକ୍ରିରୁ ବ‌ଞ୍ଚିତ ହୋଇଛନ୍ତି। ତେବେ ଏଭଳି ଜଣେ ଦୁର୍ନୀତିଖୋର ସମବାୟ ସଂପାଦକଙ୍କ କଳା କାରନାମା ପଦାକୁ ଆସିଛି। ଦିଗପହଣ୍ତି ବ୍ଲକ୍ ଚୌଧୁରୀ ଟିକରପଡ଼ା ସେବା ସମବାୟ ସମିତି ଅଧୀନରେ ଚାଷୀ ପଞ୍ଜୀକରଣ ଏବଂ ଧାନ କିଣାରେ ଅନିୟମିତତା ଅଭିଯୋଗର ପ୍ରମାଣ ମିଳିଛି। ଏହା ପରେ ଗଞ୍ଜାମ ଜିଲ୍ଲାପା‌ଳଙ୍କ ନିର୍ଦ୍ଦେଶରେ ତଦନ୍ତ ପରେ ପ୍ୟାକସ୍‌ ସଂପାଦକ ଚନ୍ଦ୍ରଧ୍ବଜ ସାହୁଙ୍କୁ ନିଳମ୍ବିତ କରାଯାଇଛି ଏବଂ ଡାଟା ଏଣ୍ଟ୍ରିଅପରେଟର ଦିଲ୍ଲୀପ କୁମାର ସାହୁଙ୍କୁ ବହିଷ୍କୃତ କରା ଯାଇଥିବା ସୂଚନା ମିଳିଛି।

୨୦୨୦–୨୧ ଆର୍ଥିକ ବର୍ଷରେ ଚୌଧୁରୀ ଟିକରପଡ଼ା ସେବା ସମବାୟ ସମିତି ଅଧୀନରେ ଚାଷୀଙ୍କ ପଞ୍ଜୀକରଣ ସମୟରେ ପ୍ୟାକସ୍‌ ସଂପାଦକ ଶ୍ରୀ ସାହୁ ନିଜ ପରିବାର ସହ ସଂପର୍କୀୟଙ୍କ ନାମ ଚାଷୀ ବୋଲି ପଞ୍ଜୀକରଣ କରି ବ୍ୟାପକ ଚଞ୍ଚକତା କରିଥିଲେ। ସେମାନଙ୍କ ନାମରେ ଧାନ କିଣି ଅନିୟମିତତା କରିଥିବା ବେଳେ ଏଥିରେ ଡାଟା ଏଣ୍ଟ୍ରି ଅପରେଟର ଦିଲ୍ଲୀପ ମଧ୍ୟ ସଂପୂର୍ଣ୍ଣ ସହଯୋଗ କରିଥିବା ନେଇ ଅଭିଯୋଗ ହୋଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ସହକାରୀ ଏଆର୍‌ସିଏସ୍‌ ଖୋଳତାଡ଼ କରି ରିପୋର୍ଟ ପ୍ରଦାନ କରିଥିଲେ। ଆଜି ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ଉମାଶଙ୍କର ପତି ଓ ଡିଆର୍‌ସିଏସ‌୍ ବିଶ୍ବରଞ୍ଜନ ଦାଶ, ବ୍ରହ୍ମପୁର ଏଆର୍‌ସିଏସ୍‌ ଶିବପ୍ରସାଦ ସ୍ବାଇଁଙ୍କ ରିପୋର୍ଟର ସତ୍ୟତା ପରଖିବାକୁ ଚୌଧୁରୀ ଟିକରପଡ଼ା ପ୍ୟାକସ୍‌କୁ ଯାଇ ସରଜମିନ ତଦନ୍ତ କରିଥିଲେ। ଅଭିଯୋଗର ହାତେ ହାତେ ପ୍ରମାଣ ମିଳିବା ପରେ ପ୍ୟାକସ୍‌ ସଂପାଦକ ଏବଂ ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଥିଲା। ଏଥିସହ ଏସ୍‌ଆରସିଏସ୍‌ଙ୍କୁ ପ୍ୟାକସ୍‌ ସଂପାଦକ ଏବଂ ଡାଟା ଏଣ୍ଟ୍ରି ଅପରେଟରଙ୍କ ବିରୋଧରେ ଦିଗପହଣ୍ତି ଥାନାରେ ଏତଲା ଦେବା ଲାଗି ପରାମର୍ଶ ଦିଆଯାଇଛି।

The post ଚାଷୀ ପଞ୍ଜୀକରଣ ଓ ଧାନ କିଣାରେ ଅନିୟମିତତା : ପ୍ୟାକସ୍‌ ସଂପାଦକ ନିଲମ୍ବିତ, ଡାଟାଏଣ୍ଟ୍ରି ଅପରେଟର୍‌ ବହିଷ୍କୃତ first appeared on Sambad.



from ଜିଲ୍ଲା – Sambad https://ift.tt/3eAzBGZ