
କଟକ: ମେଡିକାଲ କଲେଜର ଅଧ୍ୟାପକ କେତେବେଳେ କଲେଜକୁ ଆସିଲେ, କେତେବେଳେ କଲେଜ ଛାଡ଼ିଲେ ତାହାର ତଥ୍ୟ ରହିବା ପାଇଁ ବାୟୋମେଟ୍ରିକ୍ ଉପସ୍ଥାନକୁ ବାଧ୍ୟତାମୂଳକ କରାଯାଇଛି। ନ୍ୟାସ୍ନାଲ ମେଡିକାଲ କମିଶନ(ଏନ୍ଏମ୍ସି) ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ରହିଛି। ବାୟୋମେଟ୍ରିକ୍ ବ୍ୟବସ୍ଥା ସହିତ ଆଧାର ସଂଯୋଗ ନିୟମ କରାଯାଇଛି। କିନ୍ତୁ ଏନ୍ଏମ୍ସିର ଗାଇଡ୍ ଲାଇନ୍କୁ ମାନୁନି ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ। ଏସ୍ସିବିରେ ବାୟୋମେଟ୍ରିକ୍ ଅଚଳ। ୧୦ ବର୍ଷ ତଳେ ଏହି ବ୍ୟବସ୍ଥା ହୋଇଥିବା ବେଳେ ଆରମ୍ଭରୁ ଏକ ପ୍ରକାର ଅଚଳ ହୋଇ ପଡ଼ିଛି। ଏସସିବିକୁ ବିଶ୍ବସ୍ତରୀୟ କରିବା ପାଇଁ ଯୋଜନା ହେଉଥିଲେ ବି ଏଭଳି ସ୍ଥିତି ସବୁକିଛିକୁ ପ୍ରହସନରେ ପରିଣତ କରି ଦେଉଛି। ଏସ୍ସିବି ପରିସରରେ ଥିବା ଦନ୍ତ ମହାବିଦ୍ୟାଳୟରେ ବାୟୋମେଟ୍ରିକ୍ ବ୍ୟବସ୍ଥା ଥିବାବେଳେ ଏସ୍ସିବିରେ କିନ୍ତୁ ଏହି ବ୍ୟବସ୍ଥା ହୋଇପାରୁନି।
ଅବଶ୍ୟ ଏସସିବିରେ ନିୟମ କରାଯିବା ପୁଣି ତାକୁ ଭଙ୍ଗାଯିବା କିଛି ନୂଆ କଥା ନୁହେଁ। ବାରମ୍ବାର ଏଭଳି ଘଟଣା ଘଟିଥାଏ କଟକ ବଡ଼ ଡାକ୍ତରଖାନାରେ। ସ୍ବାସ୍ଥ୍ୟ ସଚିବ ଅନୁ ଗର୍ଗଙ୍କ ସମୟରେ ଏସ୍ସିବିରେ ଆରମ୍ଭ ହୋଇଥିଲା ବାୟୋମେଟ୍ରିକ୍ ବ୍ୟବସ୍ଥା। ପ୍ରଶାସନିକ ଅଧିକାରୀ ସଂଜିତା ଦାସଙ୍କ ସମୟରେ ୨୦୧୧ ଡିସେମ୍ବରରେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା। ପ୍ରତି ବିଭାଗ ସମ୍ମୁଖରେ ଲାଗିଥିଲା ବାୟୋମେଟ୍ରିକ୍ ମେସିନ। ଡାକ୍ତର କେତେବେଳେ ଆସିଲେ ତାର ଉପସ୍ଥାନ ରେକର୍ଡ କରାଯାଉଥିଲା।
କିନ୍ତୁ ଏହି ବ୍ୟବସ୍ଥା କିଛି ଦିନ ଧରି ଚାଲିବା ପରେ ବଦଳିଗଲେ ସଚିବ। ଆଉ ତା’ ପରଠାରୁ ବନ୍ଦ ହୋଇଗଲା ବାୟୋମେଟ୍ରିକ୍ ବ୍ୟବସ୍ଥା। ଏହି ବ୍ୟବସ୍ଥାକୁ ନେଇ ସେତେବେଳେ ଅସନ୍ତୋଷ ଦେଖା ଦେଇଥିବା ବେଳେ ମେଡିକାଲ ଆସୁନଥିବା ଡାକ୍ତରଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ଏହା ବେଶ୍ ସହଜ ହୋଇଥିଲା। କିନ୍ତୁ ଏବେ ଦୀର୍ଘ ଦଶ ବର୍ଷ ହେଲା ଏହି ବ୍ୟବସ୍ଥା ବନ୍ଦ ହୋଇଯିବା ସହ ଖାତାରେ ନିଜର ଉପସ୍ଥାନ ଦେଉଛନ୍ତି ଡାକ୍ତର, କମର୍ଚାରୀ। କିନ୍ତୁ ଠିକାସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ରହିଛି ବାୟୋମେଟ୍ରିକ୍ ବ୍ୟବସ୍ଥା। ସରକାର ସ୍ବଚ୍ଛତା ଆଣିବା ପାଇଁ ମୋ’ ସରକାର, ୫-ଟି ଯୋଜନା ଲାଗୁ କରିଥିବାବେଳେ କଟକ ବଡଡାକ୍ତରଖାନାକୁ କେତେବେଳେ ଡାକ୍ତର, କର୍ମଚାରୀ, ନର୍ସ ଆସୁଛନ୍ତି, ଯାଉଛନ୍ତି, ତାର ହିସାବ ପୂରୁଣା ଢଙ୍ଗରେ ଖାତାରେ ରହୁଛି। ଲାଗିଥିବା ସବୁ ବାୟୋମେଟ୍ରିକ୍ ଏବେ ଖତ ଖାଉଥିବାବେଳେ ଯଦି ପୁଣି ବାୟୋମେଟ୍ରିକ୍ ବ୍ୟବସ୍ଥା ହୁଏ ତେବେ ପୁଣି ନୂଆ ସବୁ ବ୍ୟବସ୍ଥା କରିବାକୁ ପଡିବ।
କାଜୁଆଲିଟି, ଓପିଡି ହେଉ କି ୱାର୍ଡ ସବୁଠି ଡାକ୍ତର ଠିକ୍ ସମୟରେ ଆସୁନଥିବା ଅଭିଯୋଗ ଆଜି ବା କାଲିର ନୁହେଁ ଏହା ବେଶ୍ ପୁରୁଣା। ବିଶେଷଜ୍ଞଙ୍କ ସ୍ଥାନରେ ପିଜି ଛାତ୍ରଛାତ୍ରୀ ଯୋଗାଇଥାନ୍ତି ରୋଗୀ ସେବା। ଡାକ୍ତର ଆସୁନଥିବା ଓ ରୋଗୀଙ୍କୁ ଠିକ୍ରେ ଦେଖୁନଥିବା ସଂପର୍କରେ ଭୟରେ ମୁହଁ ଖୋଲିବାକୁ ସାହସ କରି ପାରୁନାହାନ୍ତି ରୋଗୀ। ଗତ କିଛି ଦିନ ତଳେ ହଠାତ୍ ପରିଦର୍ଶନରେ ଯାଇ ଏସ୍ସିବି କାଜୁଆଲିଟିର ୪ଜଣ ଡାକ୍ତର ଓ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଅନ୍ୟପଟେ ଏବେ ଏସ୍ସିବିରେ ଡିନ୍ ତଥା ପ୍ରିନ୍ସିପାଲ ଉପସ୍ଥାନ ବ୍ୟବସ୍ଥାକୁ କଡାକଡି କରିଥିବା କୁହାଯାଉଛି। ସକାଳ ୧୦ଟା ସୁଦ୍ଧା ତାଙ୍କ କାର୍ଯ୍ୟାଳୟକୁ ଉପସ୍ଥାନ ରେକର୍ଡ ଯାଉଥିବା ସୂଚନା ମିଳିଛି। କରୋନା ସମୟରେ ବାୟୋମେଟ୍ରିକ ବ୍ୟବସ୍ଥା ଉପରେ ଅଙ୍କୁଶ ରହିଥିବାରୁ ଆଗାମୀ ଦିନରେ ତାହା ହୁଏତ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି।
The post କଟକ ବଡ଼ଡାକ୍ତରଖାନା କେମିତି ହେବ ବିଶ୍ବସ୍ତରୀୟ? first appeared on Sambad.
from ଜିଲ୍ଲା – Sambad https://ift.tt/2NcVxN4
0 Comments