ଡାବୁଗାଁ : ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ଥାନା ଅଞ୍ଚଳରେ ସଡ଼କ ଦୁର୍ଘଟଣା ବଢ଼ି ଚାଲିଛି। ବର୍ଷକ ମଧ୍ୟରେ ସଡ଼କ ଦୁର୍ଘଟଣାରେ ୧୩ ଜଣଙ୍କ ଅକାଳରେ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଊର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି। ଡାବୁଗାଁ ଥାନା ଅଞ୍ଚଳରେ ସଡ଼କ ସୁରକ୍ଷା ନେଇ ବାରମ୍ବାର ପୁଲିସ ପକ୍ଷରୁ ସଚେତନ କରା ଯାଉଥିଲେ ମଧ୍ୟ ସଡ଼କ ଦୁର୍ଘଟଣା କମିବାର ନା ନେଉନି।

ଡାବୁଗାଁ ଥାନାକୁ ପାପଡାହାଣ୍ଡି, ଝରିଗାଁ, କୋଡିଙ୍ଗା ଓ ଉମରକୋଟ ଥାନା ଅଞ୍ଚଳ ସଂଯୋଗ କରୁଛି। ପ୍ରତିଦିନ ବିଭିନ୍ନ ଥାନା ଅଞ୍ଚଳର ଲୋକେ ପ୍ରାୟତଃ ସରକାରୀ କାର୍ଯ୍ୟ, ସ୍ବାସ୍ଥ୍ୟସେବା ଓ ବ୍ୟବସାୟ ପାଇଁ ଡାବୁଗାଁ ଆସିଥାନ୍ତି। ଡାବୁଗାଁ ଥାନା ଅଞ୍ଚଳରେ ସଡ଼କ ଦୁର୍ଘଟଣା ଘଟୁଥିବା ସ୍ଥାନ ଗୁଡ଼ିକ ମଧ୍ୟରେ ବିରିସଲା ଛକ, ଧାମନାଗୁଡ଼ା ଓ ସରାଗୁଡ଼ା ନିକଟସ୍ଥ ବୁଲାଣି, ଝାଲିଆଗୁଡ଼ା ଜଙ୍ଗଲ ନିକଟସ୍ଥ ବୁଲାଣି ଓ ମାଝିଗୁଡ଼ା ପ୍ରମୁଖ ଅଟେ। ଏହି ସ୍ଥାନ ଗୁଡ଼ିକରେ ସର୍ବାଧିକ ଦୁର୍ଘଟଣା ଘଟି ଅକାଳରେ ବହୁ ଜୀବନ ଚାଲି ଯାଇଛି। ଅସାବଧାନତା, ମଦ୍ୟପାନ ତଥା ଦ୍ରୁତ ଗତିରେ ଗାଡ଼ି ଚଳାଇବା ଯୋଗୁ ପ୍ରାୟତଃ ଦୁର୍ଘଟଣା ମାନ ଘଟୁଥିବା ନଜିର ରହିଛି।

ସରକାରୀ ତଥ୍ୟ ଅନୁସାରେ ୨୦୨୦-୨୧  ମସିହାରେ ଡାବୁଗାଁ ଥାନା ଅଞ୍ଚଳରେ ୨୧ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୮ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୬ ଜଣ ଗୁରୁତର ଆହତ ହୋଇଥିଲେ। ସେହିପରି ୨୦୨୧-୨୨ ମସିହାର ପ୍ରାରମ୍ଭରେ ତଥା ମାର୍ଚ୍ଚ ମାସ ସୁଦ୍ଧା ୧୧ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଗତ ବର୍ଷ ମାର୍ଚ୍ଚ ମାସରୁ କରୋନ କଟକଣା ପରେ ଯାନବାହନ କମ୍‌ ଚଳାଚଳ କରୁଥିଲେ ହେଁ ଡାବୁଗାଁ ଥାନା ଅଞ୍ଚଳରେ ଦୁର୍ଘଟଣା କମିବାର ନା ନେଉନି। ଦୁର୍ଘଟଣା ଘଟୁଥିବା ସ୍ଥାନ ଗୁଡ଼ିକୁ ପୂର୍ତ୍ତ ବିଭାଗ ତରଫରୁ ଚିହ୍ନଟ କରାଯାଇ ବ୍ଲାକ୍‌ ସ୍ପଟ୍‌ କରିବାକୁ ନିୟମ ଥିବା ବେଳେ ଆଜି ପର୍ଯ୍ୟନ୍ତ ଡାବୁଗାଁ ଥାନା ଅଞ୍ଚଳର ଗୋଟିଏ ହେଲେ ସ୍ଥାନକୁ ବ୍ଲାକ ସ୍ପଟ୍ ଚିହ୍ନଟ କରାଯାଇନି।

କେତେକ ସ୍ଥାନରେ ଅନାବଶ୍ୟକ ଭାବେ ଉଚ୍ଚତାରେ ହମ୍ପସ ତିଆରି କରାଯାଉଥିବାରୁ ମଧ୍ୟ ସଡ଼କ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ଡାବୁଗାଁ ଥାନା ଅଞ୍ଚଳର ଅନ୍ୟ କିଛି ପ୍ରମୁଖ ଦୁର୍ଘଟଣା ସ୍ଥଳ ମଧ୍ୟରେ ମାନିଗାଁ ଅଙ୍ଗି ନଦୀ ବୁଲାଣି, ଧନସରା ଛକ ଓ ଭଣ୍ଡିମାଲ ଛକ ଆଦି ରହିଛି। ଦୁର୍ଘଟଣା ଘଟୁଥିବା ଏହି ସବୁ ସ୍ଥାନରେ ପୂର୍ତ୍ତ ବିଭାଗ ତରଫରୁ ବ୍ଲାକ ସ୍ପଟ୍ କରାଯିବା ସହ ପୁଲିସ ପକ୍ଷରୁ ଲୋକଙ୍କୁ ସଡ଼କ ସୁରକ୍ଷା ସଂପର୍କରେ ବ୍ୟାପକ ସଚେତନତା କରାଗଲେ କିଛି ମାତ୍ରାରେ ଦୁର୍ଘଟଣା କମିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

The post ଡାବୁଗାଁ ଥାନା ଅଞ୍ଚଳରେ ବଢ଼ୁଛି ସଡ଼କ ଦୁର୍ଘଟଣା, ବର୍ଷକ ମଧ୍ୟରେ ୧୩ ମୃତ, ୧୨ରୁ ଊର୍ଦ୍ଧ୍ବ ଗୁରୁତର first appeared on Sambad.

from ଜିଲ୍ଲା | Sambad https://ift.tt/3sCmMQB