କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଅର୍ବାନ୍‌ କୋ-ଅପରେଟିଭ୍‌ ବ୍ୟାଙ୍କ୍‌ର ସମସ୍ତ କର୍ମଚାରୀଙ୍କ ଦରମା ବନ୍ଦ। ଟାର୍ଗେଟ୍‌ ଅନୁଯାୟୀ ଏନ୍‌ପିଏ (ଅନା‌ଦାୟ ଋଣ) ଅର୍ଥ ଆଦାୟ ହେଇପାରି ନ ଥିବାରୁ ବ୍ୟାଙ୍କ୍‌ ପ୍ରଶାସକ ଦାୟିତ୍ବରେ ଥିବା ଅତିରିକ୍ତ ଜିଲ୍ଳାପାଳ ବସନ୍ତ କୁମାର ରାଉତ ସମସ୍ତ କର୍ମଚାରୀଙ୍କ ଫେବ୍ରୁଆରି ମାସର ଦରମା ବନ୍ଦ କରି ଦେଇଛନ୍ତି। ପ୍ରଶାସକଙ୍କ ବିନା ଲିଖିତ ଅନୁମତିରେ କୌଣସି କର୍ମଚାରୀଙ୍କୁ ଦରମା ଦେଇପାରିବ ନାହିଁ ବୋଲି ବ୍ୟାଙ୍କ୍‌ ମୁଖ୍ୟ ପରିଚାଳନା ଅଧିକାରୀ(ସିଓଓ) ସୁଶୀଲ କୁମାର ସାମଲଙ୍କୁ ଚିଠି ଲେଖି ଶ୍ରୀ ରାଉତ ଜଣାଇଥିବା ସୂଚନା ମିଳିଛି। ତେବେ ପ୍ରଶାସକଙ୍କ ଏପ୍ରକାର ନିଷ୍ପତ୍ତିକୁ ନେଇ ସାଧାରଣରେ ପ୍ରଶ୍ନ ଉଠିବା ସହିତ କର୍ମଚାରୀଙ୍କ ମହଲରେ ଭୀଷଣ ଅସନ୍ତୋଷ ପ୍ରକାଶ ପାଇଛି। ଋଣ ଦେବା ଓ ଆଦାୟ ଦାୟିତ୍ବ ବ୍ୟାଙ୍କ୍‌ର ଏକ ସ୍ବତନ୍ତ୍ର ବିଭାଗର ହୋଇଥିବାବେଳେ ସେମାନଙ୍କ ଅବହେଳା ପାଇଁ ସମସ୍ତ କର୍ମଚାରୀ କାହିଁକି ଦରମା ପାଇବାରୁ ବଞ୍ଚିତ ହେବେ ବୋଲି ପ୍ରଶ୍ନ ଉଠୁଛି।

ଅର୍ବାନ୍‌ ବ୍ୟାଙ୍କ୍‌ରେ ପାଖାପାଖି ୨୧କୋଟି ଋଣ ଏନ୍‌ପିଏ(ନନ୍‌ ପରଫରମାନ୍ସ ଆସେଟ୍‌ସ) ହୋଇଛି। ଅର୍ଥାତ୍‌ ବର୍ଷ ବର୍ଷ ହେବ ଏ ଅର୍ଥ ଆଦାୟ ହୋଇପାରୁନାହିଁ। କୋଭିଡ୍‌ ପରେ ସ୍ଥିତି ଆହୁରି ବିଗିଡ଼ି ଯାଇଛି। ବ୍ୟାଙ୍କ୍‌ ବାରମ୍ବାର ନୋଟିସ୍‌ ଦେବା ପରେ ବି ଖିଲାପି ବକେୟା ଋଣ ପରିଶୋଧ କରୁନାହାନ୍ତି। ଏଭଳି ସ୍ଥିତିରେ ପ୍ରଶାସକ ଦାୟିତ୍ବରେ ଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତ ଏନ୍‌ପିଏ ହୋଇଥିବା ବକେୟା ସମସ୍ତ ଅର୍ଥକୁ ମାର୍ଚ୍ଚ ସୁଦ୍ଧା ଆଦାୟ କରିବାକୁ ନିର୍ଦେଶ ଦେଇଥିଲେ। ଜାନୁଆରୀ, ଫେବ୍ରୁଆରି ଏବ˚ ମାର୍ଚ୍ଚ ମାସରେ କେତେ କେତେ ଟଙ୍କା ଆଦାୟ ହେବ; ତାର ମାସଵାରି ଟାର୍ଗେଟ୍‌ ଦେଇଥିଲେ। କିନ୍ତୁ ଧାର୍ଯ୍ୟଲକ୍ଷ୍ୟ ଅନୁଯାୟୀ ବକେୟା ଋଣ ଆଦାୟ ନ ହେବାରୁ ଶ୍ରୀ ରାଉତ ବ୍ୟାଙ୍କ୍‌ର ସମସ୍ତ ୧୦୧ଜଣ କର୍ମଚାରୀଙ୍କ ଦରମା ବନ୍ଦ କରି ଦେଇଛନ୍ତି। ଏମାନଙ୍କ ମଧୢରେ ୮୦ଜଣ ବ୍ୟାଙ୍କ୍‌ର ସ୍ଥାୟୀ କର୍ମଚାରୀ ଥିବା ବେଳେ ୧୨ଜଣ ଅସ୍ଥାୟୀ, ଆଠ ଜଣ ସୁରକ୍ଷା କର୍ମୀ ଏବ˚ ଜଣେ ରାତି ଜଗୁଆଳି ଅଛନ୍ତି। ପ୍ରଶାସକଙ୍କ ଅଚାନକ ଦରମା ବନ୍ଦ ନିଷ୍ପତ୍ତି ପରେ ସମସ୍ତେ ମୁଣ୍ତରେ ହାତ ଦେଇ ବସିଛନ୍ତି। ବିଶେଷକରି ତୃତୀୟ, ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ଏହାଦ୍ବାରା ସା˚ଘାତିକ ପ୍ରଭାବିତ ହୋଇଥିବାବେଳେ ଦରମା ନ ମିଳିଲେ କିଭଳି ପରିବାର ଚଳାଇବେ, ତାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି। ଏଭଳି ସ୍ଥିତିରେ ଯେଉଁ ମୌଳିକ ପ୍ରଶ୍ନଟି ସମସ୍ତଙ୍କୁ ଆନ୍ଦୋଳିତ କରୁଛି, ତାହା ହେଉଛି ବ୍ୟାଙ୍କ୍‌ରେ ଋଣ ଦେବା ଓ ଆଦାୟ ପାଇଁ ସ୍ବତନ୍ତ୍ର ଅଧିକାରୀ ଅଛନ୍ତି। କୌଣସି କାରଣରୁ ଯଦି ଋଣ ଠିକ୍‌ ସମୟରେ ଆଦାୟ ହେଇପାରିଲା ନାହିଁ, ତେବେ ଏଥିପାଇଁ କର୍ତ୍ତୃପକ୍ଷ ସ˚ପୃକ୍ତ ଅଧିକାରୀଙ୍କୁ ଉତ୍ତରଦାୟୀ କରିପାରନ୍ତି। ହେଲେ ବ୍ୟାଙ୍କ୍‌ର ଏହି ଋଣ ମାମଲା ସହିତ ଧାର‌୍‌ ଧରି ନ ଥିବା କିରାଣି, ପିଅନ, ସୁରକ୍ଷା କର୍ମୀ, ରାତି ଜଗୁଆଳି ଆଦି ତଳିଆ କର୍ମଚାରୀଙ୍କୁ କାହିଁକି ଏଥିପାଇଁ ଦରମା ବନ୍ଦ ରୂପକ ଦଣ୍ତରେ ଦଣ୍ତିତ କରାଯିବ, ତାହା ବୁଝାପଡ଼ୁନାହିଁ। ପ୍ରଶାସକ କିଭଳି ଏଭଳି ନିଷ୍ପତ୍ତି ନେଇ ସମସ୍ତ କର୍ମଚାରୀଙ୍କ ଦରମା ବନ୍ଦ କରିଦେଲେ, ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ସେପଟେ ପ୍ରଶାସକ ଶ୍ରୀ ରାଉତ କହିଛନ୍ତି ଯେ ବ୍ୟାଙ୍କ୍‌ର ୨୫କୋଟି ଋଣ ଏନ୍‌ପିଏ ହୋଇଛି। କିନ୍ତୁ ଏହି ଅର୍ଥ ଆଦାୟ  କରିବାରେ ବ୍ୟାଙ୍କ୍‌ କର୍ମଚାରୀ ଖିଲାପ କରିଛନ୍ତି। ତେଣୁ ସେମାନଙ୍କ ଦରମା ବନ୍ଦ କରାଯାଇଛି। ଏହି ଟଙ୍କା ଆଦାୟ କଲେ ଯାଇ ଦରମା ଦିଆଯିବ। ନଚେତ୍‌ ଦରମା କେଉଁଠି ଆଣି ଦିଆଯିବ ବୋଲି ଶ୍ରୀ ରାଉତ ପ୍ରଶ୍ନ କରିଛନ୍ତି।

The post ବକେୟା ଋଣ ଆଦାୟରେ ଖିଲାପ : କେନ୍ଦ୍ରାପଡ଼ା ଅର୍ବାନ୍‌ ବ୍ୟାଙ୍କ୍‌ କର୍ମଚାରୀଙ୍କ ଦରମା ବନ୍ଦ first appeared on Sambad.



from ଜିଲ୍ଲା – Sambad https://ift.tt/2O0ZbtJ