ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ତହସିଲ ଅଧିନସ୍ଥ ସିଧେଶ୍ୱର ପୀଠ ନିକଟରେ ଥିବା ବୈତରଣୀ ନଦୀ ଗର୍ଭରୁ ବାଲି ଖୋଳୁ ଖୋଳୁ ବାହାରିଥିଲେ  ମହାଦେବ ।  ଖବର ପ୍ରକାଶ ପରେ ଆଜି ସକାଳୁ ଶହଶହ ଶ୍ରଦ୍ଧାଳୁ ସେଠାରେ ଭିଡ ଲଗାଇଥିବା ବେଳେ ଦଶରଥପୁର ତହସିଲଦାର ନଦୀ ଭିତରେ ଥିବା ଶିବଲିଙ୍ଗ ପାଖରେ ପହଞ୍ଚି ସ୍ଥିତି ପରଖିଛନ୍ତି। ଅନ୍ୟପଟେ ସିଧେଶ୍ବର ମହାଦେବଙ୍କ ସେବାୟତ ଆଜି ଶିବ ଲିଙ୍ଗଙ୍କ ପୂଜାର୍ଚ୍ଚନା କରିଛନ୍ତି ।

ସୂ୍ଚନା ଅନୁସାରେ ଯାଜପୁର ଜିଲ୍ଲା ଦଶରଥପୁର ତହସିଲ ଅଧିନସ୍ଥ ସିଧେଶ୍ୱର ପୀଠ ନିକଟରେ ଥିବା ବୈତରଣୀ ନଦୀ ଗର୍ଭରୁ ଗୋଟିଏ ଧଳା ଶିବ ଲିଙ୍ଗ ବାହାରିଥିବା ବେଳେ ଆଉ ଦୁଇଟି ଅମୁହାଁ  ମନ୍ଦିର ଦୃଶ୍ୟମାନ ହେଉଛି । ସିଧେଶ୍ୱର ମନ୍ଦିରରୁ ଦୁଇଶହ ମିଟର ଦୂରରେ ବୈତରଣୀ ନଦୀ ଗର୍ଭରୁ ଜେସିବି ସାହାଯ୍ୟରେ ବାଲି ଉତ୍ତୋଳନ କରାଯାଉଛି।  ଦିନ ରାତି ବାଲି‌ ଉତ୍ତୋଳନ ଯୋଗୁଁ ଉକ୍ତ ଅଞ୍ଚଳରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ତେବେ ସେହି ଉତ୍ତୋଳନ ଭିତରେ ପୁରାତନ ଏହି ମନ୍ଦିର ଓ ଲିଙ୍ଗ ଦୃଶ୍ୟମାନ ହୋଇଛି।

କେଉଁ କାଳରୁ ତାହା ନଦୀ ଗର୍ଭରେ  ପୋତି ହୋଇ ରହିଥିବା ବେଳେ ଏବେ ପଦାକୁ ଦୃଶ୍ୟମାନ ହେଉଛି । ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ମଧ୍ୟ ଜମୁଛି ।  ଜାଗର ଦିନ ଏହି ମନ୍ଦିର ଓ ଲିଙ୍ଗ ଦୃଶ୍ୟମାନ ହୋଇଥିବା ବେଳେ କେତେକ ସେବାୟତ ପହଁରିକି ପାଣି ଭିତରେ ତାହାକୁ  ବିଧି ଅନୁସାରେ ପୂଜା କରି ଆସିଥିଲେ।  ସିଧେଶ୍ବର  ମନ୍ଦିର ବହୁ ଐତିହ ଓ ସଂସ୍କୃତି ସହ ଜଡିତ ଥିବା ବେଳେ ଏହି ପୁରାତନ ଲିଙ୍ଗ ଓ ମନ୍ଦିରକୁ ଉଦ୍ଧାର କରାଯାଇ ମନ୍ଦିର ପରିସରରେ ସ୍ଥାନୀତ କରିବାକୁ  ସେବାୟତମାନେ ମନ୍ଦିର ଟ୍ରଷ୍ଟି ତଥା ଦଶରଥପୁର ତହସିଲଦାରଙ୍କୁ ଅନୁରୋଧ କରିଛନ୍ତି।

ଖାଲି ଏତିକି ନୁହେଁ ମନ୍ଦିର ଚାରି ପଟେ ଆହୁରି  ପଥର କଳା ପୋତି ହୋଇ ରହିଥିବା ସ୍ଥାନୀୟ ଅଞ୍ଚଳବାସୀ ମତ ରଖିଛନ୍ତି।  ତେବେ ମନ୍ଦିର ସୁରକ୍ଷା ସହ ମିଳୁଥିବା ଐତହ୍ୟର ଯତ୍ନ ନେବା ପାଇଁ ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ପୂଜକ ଧନଞ୍ଜୟ ଦିକ୍ଷୀତ, ହରିଶଙ୍କର ଦିକ୍ଷୀତ ଓ  ପ୍ରୀତିରଂଜନ ଦିକ୍ଷୀତ ପ୍ରମୁଖ ଦାବି କରିଛନ୍ତି।

The post ସିଧେଶ୍ବରପୀଠରେ ବାଲି ଖୋଳୁ ଖୋଳୁ ବାହାରିଥିବା ମହାଦେବଙ୍କୁ ପୂଜାର୍ଚ୍ଚନା କଲେ ପୂଜକ first appeared on Sambad.

from ଜିଲ୍ଲା | Sambad https://ift.tt/3llrAa9