
କଟକ: କେବେ ଆସିବ ନିର୍ମଳ? କେବେଠାରୁ ଲାଗୁ ହେବ ଏହି ଯୋଜନା? ଏହାର ସଠିକ୍ ତଥ୍ୟ ଯଦିଓ କାହାରି ପାଖରେ ନାହିଁ ତଥାପି ଖୁବ୍ଶୀଘ୍ର କଟକ ବଡ଼ ଡାକ୍ତରଖାନାରେ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି। ଏଭଳି ବ୍ୟବସ୍ଥାରେ ଆଉ ଖାଦ୍ୟ ପାଇଁ, ସୁରକ୍ଷାକର୍ମୀ, ସଫେଇ ତଥା ବିଭିନ୍ନ ସେବା ପାଇଁ ଅଲଗା ଅଲଗା ଟେଣ୍ଡର ହେବନି। ଘରୋଇ ସଂସ୍ଥା ହଟିବେ ଓ ଏକକ ବ୍ୟବସ୍ଥା ନିର୍ମଳ ଯୋଜନା ମାଧ୍ୟମରେ ସବୁ ବ୍ୟବସ୍ଥା ପରିଚାଳିତ ହେବ। ଫଳରେ ଏସ୍ସିବିରେ ବର୍ଷ ବର୍ଷ ହେଲା କାର୍ଯ୍ୟ କରୁଥିବା ୫୦ରୁ ଅଧିକ ଘରୋଇ ସଂସ୍ଥାଙ୍କ ମଧ୍ୟରେ ଏହାକୁ ନେଇ ଏବେ ଛନକା ପଶିଛି।
କଟକ ବଡ଼ ଡାକ୍ତରଖାନାରେ ୩୯ଟି ବିଭାଗ ରହିଛି। ପୂର୍ବରୁ ବର୍ଜ୍ୟବସ୍ତୁ ପରିଚାଳନା, ସଫେଇ , ସୁରକ୍ଷା, ବର୍ହି ବିଭାଗ ଟିକେଟ ଭଳି ଅନେକ ସେବା ସରକାରୀ କର୍ମଚାରୀମାନଙ୍କ ଦ୍ବାରା ପରିଚାଳିତ ହେଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହି ପଦବିରେ ନିଯୁକ୍ତି ପାଉଥିବା କର୍ମଚାରୀ ଅବସର ନେବା ପରେ ଆଉ ନୂଆ ପଦ ସୃଷ୍ଟି ହେଲାନି। ଧୀରେ ଧୀରେ ବିଭିନ୍ନ ବ୍ୟବସ୍ଥାର ଘରୋଇକରଣ କରାଗଲା। ଟେଣ୍ଡର ମାଧ୍ୟମରେ ସବୁ ସେବାକୁ ବାଣ୍ଟି ଦିଆଗଲା। କିନ୍ତୁ ଏବେ ସରକାରୀ ମେଡିକାଲ କଲେଜ ଗୁଡିକରେ ଉନ୍ନତମାନର ସେବା ଯୋଗାଇବା ପାଇଁ ସରକାର ‘ନିର୍ମଳ’ ଯୋଜନା ଆରମ୍ଭ କରିଛନ୍ତି। ୨୦୧୯ରୁ ଏହି ଯୋଜନା ପରୀକ୍ଷାମୂଳକଭାବେ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ କରାଯାଇଛି। ପର୍ଯ୍ୟାୟକ୍ରମେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପର୍ଯ୍ୟନ୍ତ ଏହି ନିର୍ମଳ ଯୋଜନା କାର୍ଯ୍ୟକାରୀ ହେବ। ଏସ୍ସିବିରେ ମଧ୍ୟ ଖୁବ୍ଶୀଘ୍ର ଏହି ଯୋଜନା ଲାଗୁ କରାଯିବ। ସମସ୍ତ ଘରୋଇ ସଂସ୍ଥାକୁ ହଟାଯାଇ ଗୋଟିଏ ସଂସ୍ଥା ସଫେଇଠାରୁ ଆରମ୍ଭ କରି ଡାଏଟ୍, ସୁରକ୍ଷାକର୍ମୀ ଭଳି ସବୁ ସେବା ଯୋଗାଇ ଦେବ। ଏ ସଂପର୍କରେ ଏସ୍ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ କହିଛନ୍ତି ଯେ ନିର୍ମଳ ଯୋଜନା କାର୍ଯ୍ୟକାରୀ ହେବ ବୋଲି ଶୁଣିଛି କିନ୍ତୁ କେବେଠାରୁ ହେବ, କଣ ହେବ ସେ ନେଇ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ତାଙ୍କ ପାଖରେ ନାହିଁ।
The post ଆସୁଛି ‘ନିର୍ମଳ’ ଯୋଜନା: ବଡ଼ ମେଡିକାଲରୁ ହଟିବେ ଘରୋଇ ସଂସ୍ଥା first appeared on Sambad.from ଜିଲ୍ଲା | Sambad https://ift.tt/3rmania
0 Comments