ପୁରୀ: ଆଗାମୀ ଆର୍ଥିକ ବର୍ଷ ପାଇଁ ୨୦୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଛି ଶ୍ରୀମନ୍ଦିର ଅର୍ଥ ସବକମିଟି। ଆଗାମୀ ରଥଯାତ୍ରା ପାଇଁ ୧୧ କୋଟି, ସେବାୟତ କଲ୍ୟାଣ ପାଇଁ ୫ କୋଟି ଓ ସେବାୟତଙ୍କ ଚିକିତ୍ସା ପାଇଁ ୫୦ ଲକ୍ଷର ଏକ ପାଣ୍ଠି ପ୍ରସ୍ତୁତ କରିଛି ସବକମିଟି। ବଜେଟରେ ସେବାୟତ ଗୁରୁକୁଳ ପ୍ରତିଷ୍ଠା ପାଇଁ ସ୍ବତନ୍ତ୍ର ବ୍ୟୟ ବରାଦ ହୋଇଛି। କୋଭିଡ ଯୋଗୁଁ ଶ୍ରୀମନ୍ଦିର ରାଜସ୍ବ ସଂଗ୍ରହ ହ୍ରାସ ପାଇଥିବାରୁ ଭକ୍ତଙ୍କ ଦାନ, ଖଣିଖାଦାନ ଓ ଭକ୍ତ ନିବାସ ପ୍ରତିଷ୍ଠା କରାଯାଇ ରାଜସ୍ବ ବୃଦ୍ଧି କରାଯିବ।

୨୦୨୩ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିରର ସ୍ଥାୟୀ ଜମା ରାଶି ୧୦୦୦ କୋଟି ଟଙ୍କା କରିବା ପାଇଁ ଉଦ୍ୟମ କରାଯିବ ବୋଲି ଆଜି ଅର୍ଥ ସବକମିଟି ବୈଠକରେ ମୁଖ୍ୟ ପ୍ରଶାସକ ଡ଼. କ୍ରିଷନ କୁମାର ସୂଚନା ଦେଇଛନ୍ତି। ସବକମିଟିର ନିଷ୍ପତ୍ତି ଅନୁଯାୟୀ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨ଟି ଧର୍ମଶାଳାର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ଆଉ ଏକ ଭକ୍ତ ନିବାସ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଉନ୍ନୟନ ପ୍ରଶାସକଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି।

ଶ୍ରୀମନ୍ଦିରର ଆର୍ଥିକ ସ୍ଥିତି ଦୁର୍ବଳ ହେଉଥିବାରୁ ଅଧିକ ରାଜସ୍ବ ସଂଗ୍ରହ ପାଇଁ ଉଦ୍ୟମ କରାଯିବ। ଭକ୍ତଙ୍କଠାରୁ ଦାନ ଅର୍ଥ ସଂଗ୍ରହ ପାଇଁ ଏୟାରପୋର୍ଟ ସହିତ ଗୁରୁତ୍ବପୂର୍ଣ୍ଣ ସ୍ଥାନଗୁଡିକରେ ଦାନ ବାକ୍ସ ରଖାଯିବ। ଖଣି ଖାଦାନରୁ ପ୍ରାୟ ୧୦ କୋଟିରୁ ଅଧିକ ରାଜସ୍ବ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଜମି ବିକ୍ରି, ନୂଆ ବାଣିଜ୍ୟିକ ପ୍ରତିଷ୍ଠାନ ନିର୍ମାଣ କରାଯାଇ ରାଜସ୍ବ ବୃଦ୍ଧି କରାଯିବ। ଶ୍ରୀମନ୍ଦିରର ବର୍ତ୍ତମାନ ସ୍ଥାୟୀ ଜମା ୬୫୦ କୋଟି ଟଙ୍କା ଥିବାବେଳେ ଆଗାମୀ ୨୦୨୩ ରଥଯାତ୍ରା ବେଳକୁ ସ୍ଥାୟୀ ଜମା ରାଶି ୧୦୦୦ କୋଟି ଟଙ୍କା କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିପରି ଦିବ୍ୟାଙ୍ଗ ଓ ବୟସ୍କ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ହେବାକୁ ଯାଉଥିବା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଆଗାମୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହା ଚୂଡାନ୍ତ ଅନୁମୋଦନ ଲାଭ କରିବ।

The post ୨୦୨୧-୨୨ରେ ଶ୍ରୀମନ୍ଦିର ପାଇଁ ୨୦୨ କୋଟି ଟଙ୍କାର ବଜେଟ, ସ୍ଥାୟୀ ଜମା ୧୦୦୦ କୋଟି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ first appeared on Sambad.



from ଜିଲ୍ଲା – Sambad https://ift.tt/3btT6yZ