
ଭୁବନେଶ୍ବର : ବାଲେଶ୍ବରର ନିର୍ମାଣାଧୀନ ଏମ୍ସର ସେଟେଲାଇଟ ସେଣ୍ଟର ଆସନ୍ତା ଜୁଲାଇ ସୁଦ୍ଧା ଉଦ୍ଘାଟିତ ହୋଇ କାର୍ଯ୍ୟକ୍ଷମ ହେବ। ଏଥିପାଇଁ ସମସ୍ତ ପ୍ରକାର ନିର୍ମାଣ ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଥିବା କହିଛନ୍ତି ଏମ୍ସର ନିର୍ଦେଶିକା ଡ.ଗୀତାଞ୍ଜଳି ବି.। ଏହା କାର୍ଯ୍ୟକାରୀ ହେଲେ ଉତ୍ତର ଓଡ଼ିଶାରୁ ଏମ୍ସ ଭୁବନେଶ୍ବରକୁ ଆସୁଥିବା ରୋଗୀ ସଂଖ୍ୟା ହ୍ରାସ ପାଇବ ଏବଂ ବାଲେଶ୍ବରରେ ରୋଗୀଙ୍କୁ ଉପଯୁକ୍ତ ସେବା ମିଳିବ ବୋଲି ଆଶା ରହିଛି। ପ୍ରଥମ ପର୍ଯ୍ୟାୟ କାର୍ଯ୍ୟର ସମାପ୍ତି ପରେ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ କରି ଦିଆଯିବ ବୋଲି ନିର୍ଦେଶିକା ସୂଚନା ଦେଇଛନ୍ତି।
ଲକ୍ଡାଉନ୍ ଯୋଗୁଁ ଏହି ସାଟେଲାଇଟ୍ ସେଣ୍ଟର ନିର୍ମାଣକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଥିଲା। ଏହାକୁ ନେଇ କିଛି ଦିନ ପୂର୍ବରୁ ପ୍ରଥମେ କୋରାପୁଟର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଧନଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ ପରେ ବାଲେଶ୍ବର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଏ ନେଇ କେନ୍ଦ୍ର ସ୍ବାସ୍ଥମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। କିଛି ଦିନ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସାଟେଲାଇଟ୍ ସେଣ୍ଟର ପାଇଁ ୧୯.୯୧ ଏକର ହସ୍ତାନ୍ତରିତ ହୋଇଥିଲା।
୨୦୧୨ ମସିହାରେ ପ୍ରତିଷ୍ଠା ହୋଇଥିବା ଏମ୍ସ ଭୁବନେଶ୍ବରର ସାଟେଲାଇଟ ସେଣ୍ଟର ବାଲେଶ୍ବରରେ କରାଯିବା ନେଇ ୟୁପିଏ-୨ ସରକାରର କାର୍ଯ୍ୟକାଳ ସମୟରେ ଅର୍ଥାତ ୨୦୧୩ ମସିହାରେ ଘୋଷଣା ହୋଇଥିଲା। ଏଥିପାଇଁ ବାଲେଶ୍ବର ସହରର ରେମୁଣା ଗୋଲେଇର ଅନତି ଦୂରରେ ଜାତୀୟ ରାଜପଥକୁ ଲାଗି ଜମି ଚିହ୍ନଟ ହୋଇଥିଲା। ମାତ୍ର ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ୫ ବର୍ଷ ସମୟ ଲାଗି ଯାଇଥିଲା। ୨୦୧୮ ମସିହା ଅଗଷ୍ଟ ମାସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଓପିଡି କୋଠା ସହିତ ଷ୍ଟାଫ୍ କ୍ବାର୍ଟର୍ସ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। ତେବେ ଏଠାରେ କେବଳ ଏମ୍ସର ଓପିଡି ନୁହେଁ; ଏକ ସ୍ବୟଂ ସମ୍ପୂର୍ଣ୍ଣ ସ୍ପେସାଲିଟି ହସ୍ପିଟାଲ କରିବାକୁ ବାଲେଶ୍ବରର ବିଭିନ୍ନ ସାମାଜିକ ସଙ୍ଗଠନଗୁଡ଼ିକ ଏକ ସ୍ବରରେ ଦାବି କରିଥିଲେ। ଏମ୍ସ ନିର୍ଦେଶିକା ଡ.ଗୀତାଞ୍ଜଳି ବି.ଙ୍କ କହିବା ଅନୁସାରେ, ଏଠାରେ ଏମ୍ସ ଭୁବନେଶ୍ବରର ସମସ୍ତ ସ୍ପେସାଲିଷ୍ଟ ଡାକ୍ତର ରହିବେ। ଗୁରୁତର ଅବସ୍ଥାରେ କୌଣସି ରୋଗୀ ଏଠାରେ ପହଞ୍ଚିଲେ ଏମ୍ସ ଭୁବନେଶ୍ବର ଭଳି ତାଙ୍କର ଉପଚାର ହେବ। ଏଥିପାଇଁ ୩୫ କୋଟି ଟଙ୍କା ଖର୍ଚ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ମଲ୍ଟି ସ୍ପେସାଲିଷ୍ଟ ଡାକ୍ତରଖାନା ହେବ। ଏଥିପାଇଁ ଡିପିଆର ପ୍ରସ୍ତୁତ କରାଯାଉଛି। ଏହା ଅନୁମୋଦନ ହେଲେ, ସେହି ଦିଗରେ କାର୍ଯ୍ୟ ଅଗ୍ରସର ହେବ।
ଏ ନେଇ ସାଂସଦ ସପ୍ତଗିରି ଉଲାକା କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ଏମ୍ସର ବାଲେଶ୍ବର ସାଟେଲାଇଟ ସେଣ୍ଟରର କାର୍ଯ୍ୟର ଅଗ୍ରଗତି ନେଇ ସେ ସନ୍ତୁଷ୍ଟ ଅଛନ୍ତି। ତେବେ ନିର୍ଦିଷ୍ଟ ସମୟସୀମା ମଧ୍ୟରେ ଏହାର ନିର୍ମାଣ ସମାପ୍ତ ନହେଲେ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି।
The post ଜୁଲାଇ ସୁଦ୍ଧା ବାଲେଶ୍ବରରେ ଏମ୍ସ ସାଟେଲାଇଟ୍ ସେଣ୍ଟର first appeared on Sambad.
from ଜିଲ୍ଲା – Sambad https://ift.tt/3rPN817
0 Comments