ସୁନ୍ଦରଗଡ଼ : ଯେଉଁଆଡ଼େ ଆଖି ପକାଇବ, କେବଳ ଧୁଧୁ ବାଲି। କେଉଁଠି ବି କ୍ଷୀଣ ପାଣି ଧାରଟେ ନାହିଁ। ଜାନୁଆରିରୁ ଏମିତି ଶୁଖିଲା ପଡ଼ିଲାଣି ସୁନ୍ଦରଗଡ଼ର ଜୀବନରେଖା ଇବ୍‌ନଦୀ। ମାର୍ଚ୍ଚ ଆସି ପହଞ୍ଚିଲାଣି, କିନ୍ତୁ ଜଳଧାର ଅଟକାଇବାକୁ ସାମାନ୍ୟ ବାଲିବନ୍ଧଟେ ମଧ୍ୟ ତିଆରି କରିବାକୁ ଉଚିତ ମଣି ନାହିଁ ପୌର ପ୍ରଶାସନ। ସୁନ୍ଦରଗଡ଼ବାସୀଙ୍କ ସ୍ବପ୍ନର ବ୍ୟାରେଜ୍‌ ସମ୍ପର୍କରେ ନକହିବା ଭଲ। ପ୍ରଶାସନର ଉଦାସୀନତା ମଧ୍ୟରେସ୍ଥାନୀୟ ଜନପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବ, ସାଧାରଣଜନତାଙ୍କ ନିରବତା ନଦୀକୁ କ୍ରମଶଃ ମରଣମୁଖୀ କରୁଛି।

ସୁନ୍ଦରଗଡ଼ର ଉପରମୁଣ୍ତ ତେଲିଯୋର ଠାରୁ ଶେଷ ମୁଣ୍ତ ଭଷ୍ମା ଯାଏଁ ୭୦ କିଲୋମିଟର ଦୈର୍ଘ୍ୟ ଏହି ନଦୀ ସୁନ୍ଦରଗଡ଼ ସହରର ପାନୀୟ ଜଳ ଯୋଗାଣର ଏକ ବଡ଼ ଉତ୍ସ ହୋଇଥିବାବେଳେ ଜିଲ୍ଲାର ଚାଷବାସ ପାଇଁ ମଧୢ ଏହାର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ଏକଦା ଚିରସ୍ରୋତ ଥିବା ଏହି ନଦୀ କିଛି ବର୍ଷ ହେଲା, ବର୍ଷା ଋତୁ ବ୍ୟତୀତ ଅନ୍ୟ ସମୟରେ ପ୍ରାୟ ଶୁଖିଲା ରହୁଛି। କାରଣ ଉପରମୁଣ୍ଡରେ ଛତିଶଗଡ଼ ସରକାର ବନ୍ଧ ପରେ ବନ୍ଧ ବାନ୍ଧି ଇବ୍‌ ପାଣିକୁ ଅଟକାଇ ରଖିଥିବାବେଳେ ଓଡ଼ିଶା ସରକାର ଓ ସ୍ଥାନୀୟ ପ୍ରଶାସନ ହାତରେ ହାତ ବାନ୍ଧି ବସି ଯାଇଛନ୍ତି। ୧୫ ବର୍ଷ ପରେ ବି ଇବ୍‌ ନଦୀରେ କୌଣସି ବନ୍ଧ କି ଛୋଟ ଆନିକଟଟେ ତିଆରି ହୋଇପାରି ନାହିଁ। କେବଳ ଯୋଜନା, ସର୍ଭେ, ଡିପିଆର୍, ଅନୁମୋଦନର ପ୍ରକ୍ରିୟା ମଧ୍ୟରେ ବନ୍ଧ ବାନ୍ଧିବା କାର୍ଯ୍ୟ ଅଟକି ରହିଛି। ଫଳରେ ସୁନ୍ଦରଗଡ଼ ଜିଲ୍ଲା ନଭେମ୍ବର ମାସରୁ ଜଳ ସଂକଟର ସମ୍ମୁଖୀନ ହେଉଥିବା ଦେଖାଯାଇଛି। ୨୦୧୪ରୁ ସୁନ୍ଦରଗଡ଼ ସହରକୁ ପାନୀୟ ଜଳ ଓ ତଳ ମୁଣ୍ଡର କ୍ଷେତକୁ ଜଳସେଚନ ପହଞ୍ଚାଇବାକୁ ପ୍ରସ୍ତାବିତ ଇବ୍‌ ବ୍ୟାରେଜ ଏଯାଏ ଫାଇଲ ଭିତରେ ବନ୍ଦ ହୋଇରହିଛି। ଏହିଭଳି ଏକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ଫା‌ଇଲ୍‌ ବର୍ଷ ବର୍ଷ ଧରି ଗଡ଼ିବା ସମସ୍ତଙ୍କୁ ଚକିତ କରିଛି।

The post ଶୁଖିଗଲା ସୁନ୍ଦରଗଡ଼ର ଜୀବନରେଖା ଇବ୍‌ first appeared on Sambad.



from ଜିଲ୍ଲା – Sambad https://ift.tt/3rMxhQX