
ରାୟଗଡ଼ା : ରାୟଗଡ଼ାରୁ ଆନ୍ଧ୍ରକୁ ବାଲି ଚୋରାଚାଲାଣ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ। ‘୩୦୦ ଦିଅ, ବାଲି ଉଠାଅ’ ସଂପର୍କିତ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ସଚିବ ଶ୍ରୀ ସେଠୀ ରାୟଗଡ଼ା ଜିଲ୍ଲା ପ୍ରଶାସନକୁ ରିପୋର୍ଟ ତଲବ କରିଛନ୍ତି। ସଚିବଙ୍କ ନିର୍ଦ୍ଦେଶ ପରେ ବାଲି ଚୋରାଚାଲାଣ ରୋକିବାକୁ ରାଜସ୍ବ ବିଭାଗ ଅଧିକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି।
ରାୟଗଡ଼ା ତହସିଲ ଅଧୀନରେ ଥିବା ତୁମ୍ବିଗୁଡ଼ା, ବେହେରାଗୁଡ଼ା, ଗୁରୁରାଜୁଗୁଡ଼ା, ପାରତାପୁର, କେରେଡ଼ା, ଖିଲିମିଶିଗୁଡ଼ା, ବଡ଼ହଂସା, କୋତପେଟା ବାଲିଘାଟରୁ ଆନ୍ଧ୍ରକୁ ବେଆଇନ ଭାବେ ବାଲିଚାଲାଣ ଜାରି ରହିଛି। ୨୦୨୦-୨୧ ଆର୍ଥିକବର୍ଷ ପାଇଁ ଏହି ସମସ୍ତ ବାଲିଘାଟକୁ ତହସିଲ ପକ୍ଷରୁ ଲିଜସୂତ୍ରରେ ପ୍ରଦାନ କରାଯାଇଛି। କିନ୍ତୁ ଲିଜ୍ ପାଇବା ପରେ ବିଭାଗୀୟ ନୀତି, ନିୟମକୁ ଉଲ୍ଲଂଘନ କରି ଲିଜଧାରୀ ନିଜ ଇଚ୍ଛାରେ ବାଲି ଖନନ କରି ବାହାରକୁ ଚାଲାଣ କରୁଛନ୍ତି। ଏପରିକି କିଛି ବାଲିଘାଟର ୱାଇ ଫର୍ମ ଶେଷ ହୋଇଯାଇଥିବା ସତ୍ତ୍ବେ ରାତି ଅଧିଆ ବାଲି ଖନନ ଜାରି ରଖିଛନ୍ତି। ଅସାଧୁ ଅଫିସରଙ୍କୁ ହାତବାରିସ କରି ବାଲିମାଫିଆ ଚୋରା ଚାଲାଣ କରୁଥିବା ବେଳେ ଜିଲ୍ଲାସ୍ତରୀୟ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେଉନଥିବାରୁ ମାଫିଆ ଓ ଅସାଧୁ ଅଫିସର ମାଲାମାଲ୍ ହେବାରେ ଲାଗିଛନ୍ତି। ଚୋରା ଚାଲାଣ ରୋକିବାକୁ ବିଭାଗୀୟ ଶାସନ ସଚିବଙ୍କ ନିର୍ଦ୍ଦେଶ ପରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ରାୟଗଡ଼ା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ବାଲି ଚୋରା ଚାଲାଣ ଘଟଣାର ତଦନ୍ତ କରି ୨ଦିନ ମଧ୍ୟରେ ରିପୋର୍ଟ ଦେବାକୁ କହିଛନ୍ତି।
The post ଆନ୍ଧ୍ରକୁ ବାଲି ଚୋରାଚାଲାଣ ଘଟଣା : ରାଜସ୍ବ ବିଭାଗ ଶାସନ ସଚିବଙ୍କ ତଦନ୍ତ ନିର୍ଦ୍ଦେଶ first appeared on Sambad.
from ଜିଲ୍ଲା – Sambad https://ift.tt/3c6r0cj
0 Comments