ନରସିଂହପୁର: ବଡ଼ମ୍ବା ଓ ନରସିଂହପୁର ଅଞ୍ଚଳରେ ଡକାୟତି, ଲୁଟ୍ ଓ ରାହାଜାନି କରି ପୁଲିସର ନିଦ ହଜାଇ ଦେଇଥିବା ଡକାୟତ ଗ୍ୟାଙ୍ଗ୍ର ମାଷ୍ଟର୍ମାଇଣ୍ଡ୍ ସହ ୫ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ମାଉଜର, ଜୀବନ୍ତ ଗୁଳି, ଭୁଜାଲି, ଫାର୍ସା ସହ ନଗଦ ୪୧୦୦ ଟଙ୍କା ଜବତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ଖୁବ୍ଶୀଘ୍ର ଧରାପଡ଼ିବେ ବୋଲି ଗତ ୨୮ ତାରିଖ ଦିନ ବଡ଼ମ୍ବା ଥାନା ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଠଗଡ଼ ଏସ୍ଡିପିଓ ଆଲୋକ କୁମାର ରାୟ ସୂଚନା ଦେଇଛନ୍ତି।
ସେ କହିଥିଲେ ଯେ ବଡ଼ମ୍ବା ଥାନା ଅନ୍ତର୍ଗତ ଗୋପାଳପୁର ପେଟ୍ରୋଲ ପମ୍ପ, କାନପୁର ଥାନା ଗୋଡ଼ିବନ୍ଧ କାନାରା ବ୍ୟାଙ୍କ, ନରସିଂହପୁର ଥାନା ଗୋହିରୀଶଙ୍ଖ ଓ ମଥୁରାପୁର ମଧ୍ୟବର୍ତ୍ତୀ ସ୍ଥାନରେ ଡକାୟତି, କମଳାଦେଈପୁର ଷ୍ଟେଟ ବ୍ୟାଙ୍କ ଗ୍ରାହକସେବା କେନ୍ଦ୍ରରୁ ଲୁଟ୍, ନଖପଡ଼ା ସୀତାରାମପୁର ଛକରୁ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା କର୍ମଚାରୀଙ୍କ ନିକଟରୁ ବନ୍ଧୁକ ମୁନରେ ଡକାୟତି, ଗଣଗଣା ଲେହେଙ୍ଗ ରାସ୍ତାରେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା କର୍ମଚାରୀଙ୍କ ନିକଟରୁ ଲୁଟ୍ ଆଦି ଘଟଣାରେ ଗିରଫ ୫ ଅଭିଯୁକ୍ତ ସମ୍ପୃକ୍ତ ବୋଲି ସ୍ବୀକାର କରିଛନ୍ତି।
ଏହି ଘଟଣାରେ ଗିରଫ ହୋଇଥିବା ନରସିଂହପୁର ଥାନା ଅନ୍ତର୍ଗତ କେନ୍ଦୁପଲ୍ଲୀର ଅଜୁ ଓରଫ ଅଜୟ ପ୍ରଧାନ, କାନପୁର ଥାନା କୁରାଞ୍ଜ ଗ୍ରାମର ବାବୁ ଓରଫ ରଞ୍ଜିତ ନାୟକ, କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପୋକଡ଼ାଇ ଗ୍ରାମର ଅନୀଲ ବେହେରା, ବିସିପଡ଼ାର ସମୀର ଦିଘଲ ଓ ନରସିଂହପୁର ଥାନା ବାରଭାୟା ଗ୍ରାମର ପାଣୁ ବାରିକଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ଏସ୍ଡିପିଓ ଶ୍ରୀ ସୂଚନା ଦେବା ସହିତ ଅନ୍ୟ ଫେରାର ଅଭିଯୁକ୍ତମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି। ଅପରପକ୍ଷରେ ଡକାୟତି ଓ ଲୁଟ୍ ଘଟଣାରେ ନରସିଂହପୁର ଥାନାର ଜଣେ ଗୃହରକ୍ଷୀ ସାମିଲ ଥିବା ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଏ ସମ୍ପର୍କରେ ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ଘଟଣାର ତଦନ୍ତ ଜାରି ରହିଛି ଏବଂ ପ୍ରମାଣ ମିଳିଲେ ତାଙ୍କୁ ଗିରଫ କରାଯିବ ବୋଲି ଏସ୍ଡିପିଓ ପ୍ରକାଶ କରିଥିଲେ।
The post ନରସିଂହପୁର-ବଡ଼ମ୍ବାରେ ଡକୟତି, ରାହାଜାନି, ଲୁଟ୍ ଘଟଣା; ଡକାୟତ ଗ୍ୟାଙ୍ଗ୍ର ୫ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3fpX26l
0 Comments